ଜୟପୁର: ୨୫ ବର୍ଷ ତଳେ କଟକରୁ ନିଖୋଜ ବ୍ୟକ୍ତିଙ୍କ ମିଳିଲା ସନ୍ଧାନ । ରାଜସ୍ଥାନ ଭରତପୁରରୁ ଉଦ୍ଧାର କଲେ ପରିବାର ଲୋକେ । ମାନସିକ ସ୍ଥିତି ବିଗିଡି ଯିବା ପରେ ଘରୁ ପଳାଇ ଯାଇଥିଲେ ସୋମେଶ୍ବର ଦାସ ନାମକ ଜଣେ ବ୍ୟକ୍ତି । ୨୫ ବର୍ଷ ପରେ ସମ୍ପର୍କୀୟଙ୍କୁ ଭେଟିବା ପରେ ପରିବାରରେ ଖୁସିର ଲହରୀ ।
୨୫ ବର୍ଷ ପରେ ନିଖୋଜ ବ୍ୟକ୍ତିଙ୍କ ମିଳିଲା ସନ୍ଧାନ, ରାଜସ୍ଥାନରୁ ଉଦ୍ଧାର - ରାଜସ୍ଥାନ ଆଶ୍ରମରୁ କଟକର ନିଖୋଜ ବ୍ୟକ୍ତି ଉଦ୍ଧାର
୨୫ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା କଟକର ଜଣେ ବ୍ୟକ୍ତିଙ୍କ ସନ୍ଧାନ ମିଳିଛି । ରାଜସ୍ଥାନରୁ ଉଦ୍ଧାର କଲେ ପରିବାର ଲୋକ । ଅଧିକ ପଢନ୍ତୁ
ସୂଚନା ଅନୁଯାୟୀ ୨୫ ବର୍ଷ ତଳେ ସୋମେଶ୍ବରଙ୍କ ମାନସିକ ସ୍ଥିତି ବିଗିଡି ଯିବାରୁ ସେ ଘରୁ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଏହାରି ମଧ୍ୟରେ ୨୪ ବର୍ଷ ବିତିଯିବାରୁ ଆଶା ହରାଇଦେବା ସହ ସମେଶ୍ବରଙ୍କ ଦଶାହ କ୍ରିୟା ମଧ୍ୟ ଶେଷ କରି ଦେଇଥିଲେ । ମାତ୍ର ୨୫ ବର୍ଷ ପରେ ଆକସ୍ମିକ ଭାବେ ଘରକୁ ଫେରିଛନ୍ତି ସୋମେଶ୍ବର । ରାଜସ୍ଥାନର ଅପନା ଘର ନାମକ ଏକ ଆଶ୍ରମରେ ସୋମେଶ୍ବର ରହିଥିବା ନେଇ ଖବର ପାଇବା ପରେ ସେଠାରୁ ଘରକୁ ଆଣିଛନ୍ତି ପରିବାର ଲୋକେ ।
ଖବର ମୁତାବକ ନିଖୋଜ ପରେ ରାଜସ୍ଥାନର ଅପନା ଘର ଆଶ୍ରମ ସୋମେଶ୍ବରଙ୍କୁ ଆଶ୍ରୟ ଦେଇଥିଲା । ସେଠାରେ ତାଙ୍କର ସମସ୍ତ ପ୍ରକାର ଚିକିତ୍ସା ମଧ୍ୟ କରାଯାଉଥିଲା । ଚିକିତ୍ସା ଦ୍ବାରା ସୋମେଶ୍ବରଙ୍କ ମାନସିକ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିଥିଲା ଏବଂ ତାଙ୍କର ପୂର୍ବ କଥା ମନେ ପଡିଯାଇଥିଲା । ଏହାପରେ ସୋମେଶ୍ବର ଘର ଠିକଣା ନେଇ ଆଶ୍ରମ ପରିଚାଳନାରେ ଥିବା ସଦସ୍ୟଙ୍କୁ ଜଣାଇଥିଲେ । ଆଶ୍ରମ ପରିଚାଳନା ଦାୟିତ୍ବରେ ଥିବା ସଦସ୍ୟ ଏନେଇ ପରିବାର ଲୋକଙ୍କୁ ଖବର ଦେବା ପରେ ରାଜସ୍ଥାନରେ ପହଞ୍ଚିଥିଲେ ସୋମେଶ୍ବରଙ୍କ ପୁଅ ସନ୍ତୋଷ । ୨୫ ବର୍ଷ ପରେ ବାପାଙ୍କୁ ଦେଖି ଆତ୍ମବିଭୋର ହୋଇଯାଇଛନ୍ତି ସନ୍ତୋଷ ।