କୋଲକାତା:2024 ସାଧାରଣ ନିର୍ବାଚନରେ ମୋଦି ନେତୃତ୍ବାଧୀନ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଏକାଠି ହୋଇଥିବା ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ସଠିକ ସାଙ୍ଗଠନିକ ଆକାର ପାଇବା ପୂର୍ବରୁ ସେଥିରେ ଫାଟ ସୃଷ୍ଟି ହେବାରେ ଲାଗିଛି । ବିଭିନ୍ନ ପ୍ରସଙ୍ଗରେ ମେଣ୍ଟ ସହଯୋଗୀ ଦଳଙ୍କ ମଧ୍ୟରେ ଯେଉଁ ବିବାଦ ରହିଥିଲା, ତାହା ଚଳିତ 4 ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଆହୁରି ସୁସ୍ପଷ୍ଟ ହେବାରେ ଲାଗିଛି । କାରଣ 4 ରାଜ୍ୟରୁ 3ଟି ରାଜ୍ୟରେ ମେଣ୍ଟର ନେତୃତ୍ବ ନେଉଥିବା କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।
ଗତକାଲି ଫଳାଫଳ ଆସିବା ପରେ ‘ଇଣ୍ଡିଆ’ ମେଣ୍ଟ ବୁଧବାର ଯେଉଁ ବୈଠକ ଡାକିଛି, ସେଥିରେ ମେଣ୍ଟର ଅନ୍ୟତମ ପ୍ରମୁଖ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହେବେ ନାହିଁ । କେବଳ ଏହି ନିଷ୍ପତ୍ତି ନୁହେଁ ବରଂ ମମତାଙ୍କ ଏ ସମ୍ପର୍କରେ ପ୍ରତିକ୍ରିୟା ମେଣ୍ଟରେ ସେ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ କରିଛି । ମେଣ୍ଟ ବୈଠକ ଡାକିଥିବା ନେଇ ତାଙ୍କ ନିକଟରେ କୌଣସି ସୂଚନା ନାହିଁ । ସେହିଦିନ ଉତ୍ତର ବଙ୍ଗଳାରେ ତାଙ୍କର ଅନ୍ୟ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଛି ବୋଲି ମମତା କହିଛନ୍ତି । ଏଥିରୁ ସ୍ପଷ୍ଟ ଯେ, ମମତା ଆସନ୍ତା ବୈଠକରେ ଉପସ୍ଥିତ ରହିବେନାହିଁ ।
ଇଣ୍ଡିଆ ମେଣ୍ଟର ଶେଷ ଦୁଇଦିନିଆ ବୈଠକ ଅଗଷ୍ଟ 31 ଓ ସେପ୍ଟମ୍ବର ପହିଲାରେ ଶେଷ ହୋଇଥିଲା । ଏହା ପରେ ବିଧାନସଭା ନିର୍ବାଚନ କାରଣରୁ ମେଣ୍ଟର ବୈଠକ ବନ୍ଦ ରହିଥିଲା । ମାତ୍ର ଗତକାଲି 4 ରାଜ୍ୟର ବିଧାନସଭା ଫଳାଫଳରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ବୁଧବାର ‘ଇଣ୍ଡିଆ’ ମେଣ୍ଟ ବୈଠକ ଡାକିଥିଲେ । ଦଳର ପରାଜୟରେ ଟ୍ବିଟ କରି ଖଡଗେ ଲେଖିଥିଲେ, ଏହା ନୈରାଶ୍ୟଜନକ ପ୍ରଦର୍ଶନ । ଏହି ସବୁ ରାଜ୍ୟରେ ଦଳ ନିଜର ସାଙ୍ଗଠନିକ ପୁନଃନିର୍ମାଣ କରିବ । ସେହିପରି 2024 ସାଧାରଣ ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଙ୍କ ସାହାଯ୍ୟରେ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିବ । ମାତ୍ର 2024 ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା 4 ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସର ନେତୃତ୍ବ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି ।