କୋଲକାତା:2024 ସାଧାରଣ ନିର୍ବାଚନ (2024 general election) ପୂର୍ବରୁ ବିରୋଧୀଙ୍କ ମେଳିକୁ ନେଇ ବିଭିନ୍ନ ବିଜେପି ବିରୋଧୀ ନେତା ଅଣ୍ଟା ଭିଡିବାରେ ଲାଗିଥିବା ବେଳେ ଆଜି ଏକ ବଡ ଘୋଷଣା କରିଛନ୍ତି ବିଜେପିର ବଡ ପ୍ରତିନ୍ଦ୍ବନ୍ଦୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (CM Mamata Banerjee)। ମମତା କହିଛନ୍ତି 2024 ପାଇଁ ପଶ୍ଚିମବଙ୍ଗରୁ ଖେଳ ଆରମ୍ଭ ହେବ। ବିଜେପିକୁ ହରାଇବା ପାଇଁ ସମସ୍ତ ବିରୋଧୀ ଏକାଠି ହେବେ । ଏହି ମିଳିତ ବିରୋଧୀ ମେଣ୍ଟ ଗଠନରେ ବିହାର ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ମଧ୍ୟ ସହଯୋଗର ହାତ ବଢାଇବେ । ସମସ୍ତ ବିରୋଧୀ ଦଳ ଗୋଟିଏ ମଞ୍ଚକୁ ଆସି ବିଜେପି ବିରୋଧରେ ନିର୍ବାଚନ ଲଢିବେ । ଆଜି ଏକ ଦଳୀୟ ସଭାକୁ ସମ୍ବୋଧିତ କରିବା ବେଳେ ମମତା ଏହି ପ୍ରସଙ୍ଗ ଉଠାଇ ବିଜେପି ଉପରେ ବର୍ଷିବା ସହ 2024 ରେ ବିରୋଧୀ ଏକତା ପ୍ରସଙ୍ଗ ଉଠାଇ ଦମ୍ଭ ଦେଖାଇଛନ୍ତି (CM Mamata Banerjee on 2024 poll)।
ମମତା କହିଛନ୍ତି, ‘‘ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ହେଲେ ବିରୋଧୀଙ୍କୁ ଏକଠି ହେବାକୁ ପଡିବ । ମୁଁ ନୀତିଶ କୁମାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଅନ୍ୟମାନେ ବିରୋଧୀଙ୍କୁ ଏକାଠି କରିବୁ (CM Mamata Banerjee on 2024 poll)। ସମସ୍ତ ବିରୋଧୀ ଦଳ ବିଜେପିକୁ ହରାଇବା ପାଇଁ ହାତ ମିଳାଇବେ। ଆମେ ସମସ୍ତେ ଗୋଟିଏ ପାର୍ଶ୍ବରେ ଥିବୁ ଓ ବିଜେପି ବିପରୀତ ପାର୍ଶ୍ବରେ ଥିବ । 3ଶହ ଆସନ ଜିତିବା ନେଇ ବିଜେପି ଯେଉଁ ଅହଙ୍କାର ଦେଖାଉଛି ତାହା ସଫଳ ହେବ ନାହିଁ । 2024ରେ ବଙ୍ଗରୁ ହିଁ ଖେଲା ହୋବେ ।"
ଅନ୍ୟପଟେ ଦିଲ୍ଲୀରେ ବିରୋଧୀ ଏକତା ଅଭିଯାନ ଆରମ୍ଭ କରି ସାରିଥିବା ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ଖୁବଶୀଘ୍ର ପଶ୍ଚିମବଙ୍ଗ ଗସ୍ତ କରି ମମତାଙ୍କ ସହ ସାକ୍ଷାତ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଏବେ ଦିଲ୍ଲୀରେ ଏକାଧିକ ନେତାଙ୍କୁ ଭେଟି ସାରିଥିବା ନୀତିଶ ଏବେ ପୂର୍ବ ଭାରତ ମୁହାଁ ହେବେ । ବଙ୍ଗରେ ମମତା ଓ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବାରେ ଲାଗିଲାଣି । ଏହାରି ମଧ୍ୟ ବେଙ୍ଗଲରୁ ଦିଦି ମଧ୍ୟ ବିରୋଧୀ ଏକତା ମିଶନ ଆରମ୍ଭ କରିଛନ୍ତି ।