ଓଡିଶା

odisha

By ETV Bharat Odisha Team

Published : Jan 7, 2024, 4:46 PM IST

Updated : Jan 9, 2024, 11:39 AM IST

ETV Bharat / bharat

ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତରେ ବିବ୍ରତ ମାଳଦ୍ବୀପ ! ଭାରତକୁ ଟାର୍ଗେଟ କଲେ ଏକାଧିକ ମନ୍ତ୍ରୀ

Lakshadweep controversy: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ନେଇ ଏକଧିକ ମାଳଦ୍ବୀପ ମନ୍ତ୍ରୀଙ୍କ ଟାର୍ଗେଟ । ମନ୍ତବ୍ୟକୁ ନାପସନ୍ଦ କଲେ ମାଳଦ୍ବୀପର ପୂର୍ବତନ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ନେଇ ମାଳଦ୍ବୀପ ମନ୍ତ୍ରୀଙ୍କ ଟାର୍ଗେଟ
ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ନେଇ ମାଳଦ୍ବୀପ ମନ୍ତ୍ରୀଙ୍କ ଟାର୍ଗେଟ

ହାଇଦ୍ରାବାଦ:ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଲାକ୍ଷାଦ୍ବୀପ ଗସ୍ତକୁ ନେଇ ପର୍ଯ୍ୟଟନ ଶିଳ୍ପ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଦ୍ବୀପପୂଞ୍ଜ ରାଷ୍ଟ୍ର ମାଳଦ୍ବୀପ ବିବ୍ରତ ହୋଇପଡିଛି । ମାଳଦ୍ବୀପର ଏକାଧିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ସମାଲୋଚନା କରିଛନ୍ତି । ମାଳଦ୍ୱୀପରେ ଯୁବ ସଶକ୍ତିକରଣ ଉପମନ୍ତ୍ରୀ ମରିୟମ ଶିଉନା ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଯାହାକୁ ପରବର୍ତ୍ତୀ ସମୟରେ ସେ ଡିଲିଟ୍‌ କରିବାକୁ ବାଧ୍ୟ ହୋଇଛନ୍ତି । ସେହିପରି ଅନ୍ୟଜଣେ ମନ୍ତ୍ରୀ ଅବଦୁଲ୍ଲା ମହଜୁମ ମଜିଦ ମଧ୍ଯ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ପକୁ ଟାର୍ଗେଟ କରିବା ପାଇଁ ନୂଆଦିଲ୍ଲୀର ଉଦ୍ଦେଶ୍ୟ ବୋଲି କହିଛନ୍ତି । ହେଲେ ସାମୁଦ୍ରିକ ଓ ବେଳାଭୂମି ପର୍ଯ୍ୟଟନରେ ମାଳଦ୍ବୀପ ସହ ପ୍ରତିଦ୍ବନ୍ଦ୍ବିତା କରିବା ଭାରତ ପାଇଁ ସହଜ ହେବନି । ଭାରତ ଏକାଧିକ ସମସ୍ୟାର ସାମ୍ନା କରିବାକୁ ପଡିବ ବୋଲି ମନ୍ତ୍ରୀ ମଜିଦ ନିଜ ଟ୍ବିଟରେ ଲେଖିଛନ୍ତି ।

ହେଲେ ଏହାକୁ ନେଇ ଦେଶ ଭିତରେ ମଧ୍ୟ ଏମାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ଭାରତ ବିରୋଧୀ ମନ୍ତବ୍ୟକୁ ପୂର୍ବତନ ତଥା ମାଳଦ୍ବୀପର ପ୍ରଥମ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ନସିଦ ନିନ୍ଦା କରିଛନ୍ତି । ସେ ବର୍ତ୍ତମାନର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଏହି ପ୍ରସଙ୍ଗରେ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ମଧ୍ୟ କହିଛନ୍ତି । ତାଙ୍କ ମନ୍ତ୍ରୀମାନେ ଦେଇଥିବା ଭାରତ ବିରୋଧୀ ମନ୍ତବ୍ୟ ସେମାନଙ୍କ ବ୍ୟକ୍ତିଗତ ଟିପ୍ପଣୀ, ଏହା ମାଳଦ୍ବୀପର ବିଦେଶ ଆଭିମୁଖ୍ୟକୁ ପ୍ରତିଫଳନ କରେନାହିଁ ବୋଲି ରାଷ୍ଟ୍ରପତି ମୁଇଜୁ ସ୍ପଷ୍ଟ କରନ୍ତୁ ବୋଲି ନାସିଦ କହିଛନ୍ତି ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ବୀପ ଗସ୍ତ କରି ସେଠାକାର ରୋମାଞ୍ଚକର ଅନୁଭୂତି ସୋସିଆଲ ମିଡିଆରେ ସେୟାର କରିଥିଲା । ସେଠାରେ ସେ ବେଳାଭୂମିରେ ବିଶ୍ରାମ କରିବା ସହ ଆରବ ସାଗରରେ ସ୍କୁବା-ଡାଇଭିଂ ମଧ୍ୟ କରିଥିଲେ । ଲାକ୍ଷାଦ୍ବୀପର କିଛି ଏରିଆଲ ଭ୍ୟୁ-ସଟ ସେୟାର କରିବା ସହ ଉତ୍ତମ ଅତିଥ୍ୟତା ପାଇଁ ସେ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେଇଥିଲେ । ତେବେ କେବଳ ଭାରତ ନୁହେଁ ବରଂ ସାରା ବିଶ୍ବରେ ପ୍ରଭାବ ରଖୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ପରେ ମାଳଦ୍ବୀପରେ ଆଶଙ୍କା ପ୍ରକାଶ ପାଇଛି । ସାରା ଦେଶରେ ଓ ବିଶ୍ବରେ ଏବେ ଲାକ୍ଷାଦ୍ବୀପ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଲାକ୍ଷାଦ୍ବୀପ ଗସ୍ତ ମାଳଦ୍ବୀପ ପର୍ଯ୍ୟଟନ ଶିଳ୍ପକୁ ପ୍ରଭାବିତ କରିବ ବୋଲି ମାଳଦ୍ବୀପରେ ସନ୍ଦେହ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ :- 'ଭାରତ ବାଂଲାଦେଶର ବିଶ୍ୱସ୍ତ ବନ୍ଧୁ'; ନିର୍ବାଚନ ମଧ୍ୟରେ ଭାରତକୁ ଶେଖ୍ ହସିନାଙ୍କ ପ୍ରଶଂସା

ତେବେ ଏହି ବିବାଦର ଅନ୍ୟ ଏକ ରାଜନୈତିକ କାରଣ ମଧ୍ୟ ରହିଛି । ମାଳଦ୍ବୀପରେ ଏବେ ନୂତନ ଭାବେ ନିର୍ବାଚିତ ହୋଇଥିବା ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚୀନ ଅନୁଗାମୀ ନେତା ଭାବେ ପରିଚିତ । କ୍ଷମତାକୁ ଆସିବା ପରେ ସେ ଚୀନ ପ୍ରଭାବରେ ଭାରତ ସହ ସମ୍ପର୍କକୁ ଜଟିଳ କରିବାରେ ଲାଗିଛନ୍ତି । ପୂର୍ବରୁ ମାଳଦ୍ବୀପ ବିଦେଶ ନୀତିରେ ଭାରତ ପ୍ରଥମ ଆଭିମୁଖ୍ୟରେ ବିଶ୍ବାସ କରୁଥିଲା । ହେଲେ ମୁଇଜୁ ନିର୍ବାଚିତ ହେବା ପରେ ସେଠାରେ ଦୀର୍ଘ ବର୍ଷରୁ ନିୟୋଜିତ ଥିବା ଭାରତୀୟ ସଶସ୍ତ୍ର ବଳକୁ ଅପସାରଣ କରିବା ପାଇଁ ମାଳଦ୍ବୀପ ଇଚ୍ଛା ପ୍ରକାଶ କରିଛି । ଏହା ବେଜିଂର ପ୍ରରୋଚନାରେ ହେଉଥିବା ସନ୍ଦେହ କରାଯାଉଛି । ଏହାରି ମଧ୍ୟରେ ସୋମବାର ରାଷ୍ଟ୍ରପତି ମୁଇଜୁ ଚୀନ ଗସ୍ତ କରିବାକୁ ଯାଉଛନ୍ତି । ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ ତାଙ୍କୁ ନିମନ୍ତ୍ରଣ କରିଥିବା ମାଳଦ୍ବୀପ ସରକାର କହୁଛନ୍ତି । ତେବେ ଦ୍ବୀପପୂଞ୍ଜ ରାଷ୍ଟ୍ର ମାଳଦ୍ବୀପର ଅର୍ଥନୀତି କେବଳ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ ଥିବାରୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ବୀପ ଗସ୍ତ ଏବେ ମାଳଦ୍ବୀପକୁ ଆଶଙ୍କିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 9, 2024, 11:39 AM IST

ABOUT THE AUTHOR

...view details