ହାଇଦ୍ରାବାଦ:ନିଜ ତୀକ୍ଷ୍ଣ ପ୍ରଶ୍ନବାଣରେ ସରକାର ଓ ଶାସକ ଦଳକୁ ସଂସଦରେ ଘାଇଲା କରୁଥିବା ତୃଣମୂଳ କଂଗ୍ରେସର ଫାଏରବ୍ରାଣ୍ଡ ନେତ୍ରୀ ତଥା ସାଂସଦ ମହୁଆ ମୋଇତ୍ରା ଏବେ ଭିନ୍ନ କାରଣରୁ ମସାଲୋଚନା ଓ କଟାକ୍ଷର ପରିଧି ଭିତରକୁ ଆସିଛନ୍ତି । କାରଣ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ସହ ମୋଇତ୍ରାଙ୍କର ଡିନର ବେଳର ଏକାଧିକ ବ୍ୟକ୍ତିଗତ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ନେଇ ନେଟିଜେନମାନେ ଉଭୟଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ବହୁ ୟୁଜର୍ସ ସୋସିଆଲ ମିଡିଆରେ ଏହି ଭାଇରାଲ ଫଟୋ ଗୁଡିକୁ ପୋଷ୍ଟ କରି ଥରୁର ଓ ମହୁଆଙ୍କ ମଧ୍ୟରେ କଣ କୁକିଂ ଚାଲିଛି ବୋଲି ପ୍ରଶ୍ନ କରି କଟାକ୍ଷ କରିଛନ୍ତି । ଏହାକୁ ନେଇ ମର୍ମାହତ ବୋଲି କହିବା ସହ ବିଜେପି ଦ୍ବାରା ଏହାକୁ ଭାଇରାଲ କରାଯାଇଥିବା ମହୁଆ କହିଛନ୍ତି ।
ଭାଇରାଲ ହେଉଥିବା ଏକାଧିକ ଫଟୋରେ ମହୁଆ-ଥରୁର ଏକାଠି ଡିନର କରୁଥିବା ଦେଖିବାକୁ ମିଳିଛି । ଉଭୟ ବେଶ ଘନିଷ୍ଠ ଭାବେ ଫଟୋ ପୋଜ ମଧ୍ୟ ଦେଇଛନ୍ତି । ଅନ୍ୟ ଏକ ଫଟୋରେ ମହୁଆ ହାତରେ ସିଗାରେଟ ମଧ୍ୟ ଧରିଛନ୍ତି । ଭାଇରାଲ ହେଉଥିବା ଏକାଧିକ ଫଟୋରେ ଉଭୟ ମହୁଆ ଓ ଥରୁରଙ୍କ ବ୍ୟତୀତ ଅନ୍ୟ କେହି ଦେଖାଯାଉ ନାହାନ୍ତି । ତେବେ ଫଟୋ ଭାଇରାଲ ହେବା ପରେ ୟୁଜର୍ସମାନେ ଉଭୟଙ୍କୁ ଟ୍ରୋଲ କରିବା ଆରମ୍ଭ କରିବା ପରେ ମହୁଆଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।