ମୁମ୍ବାଇ: କୋରୋନା ମହାମାରୀରେ ଦେଶର ସମସ୍ତ ରାଜ୍ୟ ମଧ୍ୟରେ ସର୍ବାଧିକ ପ୍ରଭାବିତ ହେଉଛି ମହାରାଷ୍ଟ୍ର । ମହାମାରୀର ପ୍ରଥମ, ଦ୍ବିତୀୟ ଲହର ପରେ ସମ୍ଭାବ୍ୟ ତୃତୀୟ ଲହର ଭ୍ୟାରିଆଣ୍ଟ ଡେଲଟା ପ୍ଲସରେ ମଧ୍ୟ ଅଧିକ ସଂକ୍ରମିତ ହୋଇଛି ରାଜ୍ୟ । ସେପଟେ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଟୀକାକରଣ ଜାରି ରହିଥିବା ବେଳେ ଆଜି(ଶନିବାର) ଦୈନିକ ସର୍ବାଧିକ 7 ଲକ୍ଷରୁ ଊର୍ଦ୍ଧ୍ବ ଟୀକାକରଣ ହୋଇଥିବା ରେକର୍ଡ କରାଯାଇଛି ।
ଶନିବାର ସନ୍ଧ୍ୟା 6ଟା ପର୍ଯ୍ୟନ୍ତ 7 ଲକ୍ଷ 2 ହଜାର 432 ଡୋଜ ଟିକା ଦିଆଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ପ୍ରଦୀପ ବ୍ୟାସ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ 3 କୋଟି 9 ଲକ୍ଷ 79 ହଜାର 469 ଟୀକାକରଣ ହୋଇଛି । ଏହାସହିତ ରାଜ୍ୟରେ କୋଭିଡ ମହାମାରୀ ଲଢେଇ ବିରୋଧରେ ଆହୁରି ଏକ ମାଇଲଷ୍ଟୋନ ଛୁଇଁଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି । ଗତ ଶୁକ୍ରବାର ମହାରାଷ୍ଟ୍ର ଏକମାତ୍ର ରାଜ୍ୟ ଭାବେ ଦେଶରେ 3 କୋଟି ଟୀକାକରଣକୁ ପାର କରିଛି ।