ଭୋପାଳ:ମଧ୍ୟ ପ୍ରଦେଶର ଇନ୍ଦୋରରେ ସୋମବାର ଜଣେ ପୂର୍ବତନ ଛାତ୍ରଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିବା କଲେଜ ଅଧ୍ୟକ୍ଷା ଆଜି (ଶନିବାର) ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଜଣେ ପୂର୍ବତନ ଛାତ୍ର ତାଙ୍କ ଦେହେରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ସଙ୍କଟାପନ୍ନ ଅବସ୍ଥାରେ 5 ଦିନ ଧରି ଚିକିତ୍ସାଧୀନ ଥିବା ଅଧ୍ୟକ୍ଷାଙ୍କର ଆଜି (ଶନିବାର) ମୃତ୍ୟୁ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଛାତ୍ରଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ଏହି ମହିଳା ଶିକ୍ଷାବିତ ହେଉଛନ୍ତି, ଇନ୍ଦୋରର ସିମରୋଲ ଥାନା ଅଧୀନରେ ଥିବା ବି.ଏମ ଫାର୍ମାସି କଲେଜର ଅଧ୍ଯକ୍ଷା ଡ.ବିମୁକ୍ତା ଶର୍ମା । ସୋମବାର 24 ବର୍ଷୀୟ ଆଶୁତୋଷ ଶ୍ରୀବାସ୍ତବ ନାମକ ଜଣେ ପୂର୍ବତନ ଛାତ୍ର ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଅଧ୍ୟକ୍ଷାଙ୍କ ଶରୀରର ପ୍ରାୟ 80 ପ୍ରତିଶତରୁ ଅଧିକ ପୋଡି ଯାଇଥିଲା । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ 5 ଦିନର ଚିକିତ୍ସା ପରେ ସେ ଆଜି ଶେଷରେ ଆଖି ବୁଜିଛନ୍ତି । ଅଭିଯୁକ୍ତ ପୁରାତନ ଛାତ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେହିଦିନ ପୋଲିସ ତାଙ୍କୁ ଗିରଫ କରିଥିଲା ।