ବେଙ୍ଗାଲୁରୁ:ବେଙ୍ଗାଲୁରୁର ଆର.ଆର ନଗରରେ 57 ଲକ୍ଷ ଟଙ୍କା ମୂଲ୍ୟର ଦାମି ଘଣ୍ଟା ଡକାୟତି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜାନୁଆରୀ 15 ରେ ଆର.ଆର ନଗରରେ ଅଞ୍ଚଳରେ ଏକ ଟେମ୍ପୋରୁ ଏହି ଲୁଟ ହୋଇଥିଲା । ଅଭିଯୋଗ ପରେ ତଦନ୍ତ ଜାରି ରହିଥିବା ବେଳେ ଆଜି ବେଙ୍ଗାଲୁରୁ ପଶ୍ଚିମ ଡିଭିଜନ ପୋଲିସର ଏକ ଟିମ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସମସ୍ତ ଲୁଟ ସାମଗ୍ରୀ ଜବତ କରିବାରେ ସଫଳତା ପାଇଛି ।
ପୋଲିସ ସୂଚନା ଅନୁସାରେ, ଦୁଇ ଅଭିଯୁକ୍ତ 28 ବର୍ଷୀୟ ଜାମିର ଅହମ୍ମଦ ଏବଂ 26 ବର୍ଷୀୟ ସୟଦ ଶାହିଦ । ଏମାନଙ୍କ ସହ ଏହି ଲୁଟରେ ଅନ୍ୟ କିଛି ସହଯୋଗୀ ମଧ୍ୟ ଥିଲେ । ଏକ ଟେମ୍ପୋର ଏହି ଦାମି ଘଣ୍ଚାର 23 ପେଟି ଯାଉଥିବା ବେଳେ ପ୍ରାୟ ପାଞ୍ଚରୁ ଛଅଜଣ ଅଭିଯୁକ୍ତ ଏହାକୁ ରାସ୍ତା ମଝିରେ ଅଟକାଇ ଲୁଟି ନେଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ବେଙ୍ଗାଲୁରୁ ପୋଲିସ କମିଶନର ସନ୍ଦୀପ ପାଟିଲଙ୍କ ସୂଚନା ଅନୁସାରେ, ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀ ହନୁମେ ଗୌଡା ଏନେଇ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଟେମ୍ପୋରେ ଲକ୍ଷାଧିକ ଟଙ୍କାର ଦାମୀ ବ୍ରାଣ୍ଡର 23ଟି ପେଟି ଘଣ୍ଟା ଥିଲା । ବ୍ୟବସାୟ ଉଦ୍ଦେଶ୍ୟରେ ଅନ୍ୟତ୍ର ସେ ଏହି କନ୍ସାଇନମେଣ୍ଟ୍ ପଠାଇଥିଲେ । କୌଣସି ସୂତ୍ରରୁ ସୂଚନା ପାଇ ଏହି ଅଭିଯୁକ୍ତମାନେ ଏକ କାର ଓ ବାଇକରେ ତାଙ୍କ ଟେମ୍ପୋକୁ ପିଛା କରିବା ସହ ଏକ ନିର୍ଜନ ସ୍ଥାନରେ ରାସ୍ତା ମଝିରେ ଅଟକାଇଥିଲେ । ଆକ୍ରମଣ କରି ଟେମ୍ପୋ ସହ ସମସ୍ତ ମାଲ୍ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ କିଛି ଘଣ୍ଟା ପରେ ସମସ୍ତ ଘଣ୍ଟା ପେଟି ଅନ୍ୟତ୍ର ରଖିଦେଇ ଟେମ୍ପୋକୁ ପୁନର୍ବାର ଉକ୍ତ ସ୍ଥାନରେ ଛାଡି ଦେଇଥିଲେ ।
ଏନେଇ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ କରିବା ପରେ ଆଜି ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନ୍ୟ କିଛି ଫେରାର ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବା ନେଇ ପୋଲିସ କହିଛି । ଗିରଫ ଦୁଇ ଅଭିଯୁକ୍ତଙ୍କର କୌଣସି ପୂର୍ବ ଅପରାଧିକ ରେକର୍ଡ ନଥିବା ମଧ୍ୟ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସେମାନଙ୍କରଠାରୁ ସମସ୍ତ ଲୁଟ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି । ଅଧିକ ଜେରା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ