ଲକ୍ଷ୍ନୌ:ବିଜେପି ବିରୋଧରେ ବିରୋଧୀ ମେଣ୍ଟ ଗଠନ କରିଦେଲେ । ‘ଇଣ୍ଡିଆ’ ମେଣ୍ଟ ବ୍ୟାନର ତଳେ ଏକାଠି ବିଜେପି ବିରୋଧରେ ଯୁଦ୍ଧ ଡାକରା ମଧ୍ୟ ଦେଲେ । ହେଲେ 26 ପାର୍ଟି ଏକାଠି ହୋଇଥିବା ଏହି ମେଣ୍ଟରେ ଆସନ ବୁଝାମଣା କେତେ ସୁରୁଖୁରୁରେ ଶେଷ ହେବ, ତାହା ମେଣ୍ଟର ସ୍ଥାୟିତ୍ବ ଉପରେ ବଡ ପ୍ରଶ୍ନ ହେବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି । ହେଲେ ଏହି ବ୍ୟାପାରରେ କୌଣସି ସମସ୍ୟା ହେବ ନାହିଁ ଓ ଦଳମାନଙ୍କ ବୁଝାମଣା ମଧ୍ୟରେ ଆସନ ଭାଗବଣ୍ଟା ହେବ ବୋଲି ମେଣ୍ଟ ନେତାଏଁ କହିଛନ୍ତି ।
ଏହାରି ମଧ୍ୟରେ ସବୁଠୁ ବଡ ରାଜ୍ୟ ଉତ୍ତର ପ୍ରଦେଶରେ ବିରୋଧୀ ଦଳ ତଥା ମେଣ୍ଟ ସହଯୋଗୀ ସମାଜବାଦୀ ପାର୍ଟି ନିଜର ଆସନ ପାଇଁ ଏକ ସମ୍ଭାବିତ ସଂଖ୍ୟା ଧାର୍ଯ୍ୟ କରିସାରିଥିବା ଚର୍ଚ୍ଚା ହେଉଛି । ମୋଟ 80 ଆସନ ମଧ୍ୟରୁ 50 ଆସନରେ ନିଜ ପ୍ରାର୍ଥୀ ଲଢାଇବା ପାଇଁ ଅଖିେଳେଶଙ୍କ ଦଳ ମେଣ୍ଟ ନିକଟରେ ଦାବି କରିବାକୁ ଯାଉଥିବା ସୂତ୍ରରୁ ସୂଚନା ମିଳିଛି । ଭାରତୀୟ ଜନତା ପାର୍ଟି ଶାସନରେ ଥିବା ଉତ୍ତର ପ୍ରଦେଶରେ ମୁଖ୍ୟ ବିରୋଧୀ ଦଳ ସ୍ଥାନରେ ରହିଛି ସପା । ହେଲେ ରାଷ୍ଟ୍ରୀୟ ଲୋକ ଦଳ ଓ ତୃଣମୂଳ କଂଗ୍ରେସ ମଧ୍ୟ ଉତ୍ତର ପ୍ରଦେଶରେ ସିଟ ଆଶାୟୀ ରହିଛନ୍ତି । ମାତ୍ର ଅଖିଳେଶ ନିଜ ଦଳ ପାଇଁ 50 ଆସନ ଦାବି କରିବା ନେଇ ଦଳ ଏକପ୍ରକାର ରଣନୀତି ପ୍ରସ୍ତୁତ କରିସାରିଥିବା କୁହାଯାଉଛି ।
ତେବେ ଉତ୍ତର ପ୍ରଦେଶରେ ଜାତୀୟ ରାଜନୀତିରେ ମୁଖ୍ୟ ବିରୋଧୀ ଦଳର ଭୂମିକାରେ ଥିବା କଂଗ୍ରେସ ପ୍ରାୟ 20ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିପାରେ । ସେହିଭଳି ଆରଏଲଡି, ଟିଏମସି ଏବଂ ଅନ୍ୟାନ୍ୟ ଦଳଙ୍କ ମଧ୍ୟରେ କେତେ ଆସନରେ ଭଗବଣ୍ଟା ହେବ ସେନେଇ ଆଲୋଚନା ଚାଲିଛି । ଭାରତୀୟ ଜନତା ପାର୍ଟି (ବିଜେପି) ପରେ ଲୋକସଭାରେ ସବୁଠାରୁ ବଡ ଦଳ ସ୍ଥାନରେ ଥିବା କଂଗ୍ରେସର ଉତ୍ତର ପ୍ରଦେଶରେ ମାତ୍ର ଗୋଟିଏ ଆସନ ରହିଛି । ତାହା ହେଉଛି ସୋନିଆ ଗାନ୍ଧୀଙ୍କ ରାଏ ବରେଲୀ ଆସନ ।