ସମାଜର ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ମାଗଣାରେ ଆଇନଗତ ସହାୟତା ପ୍ରଦାନ କରିବା ସହିତ ସୁନିଶ୍ଚିତ ଭାବରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ପାଇଁ ଭାରତୀୟ ସମ୍ବିଧାନର 39କ ଧାରାରେ ବ୍ୟବସ୍ଥା ରହିଛି । 1987ମସିହାରେ,ଦେଶ ସ୍ବାଧୀନତା ଲାଭ କରିବାର ପ୍ରାୟ ଚାରି ଦଶନ୍ଧି ପରେ ହିଁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ ନିମନ୍ତେ ଆଇନଗତ ସେବାର ସଂପ୍ରସାରଣ ସହିତ ସାମ୍ବିଧାନିକ ଲକ୍ଷ୍ୟ ପୂରଣର ଆବଶ୍ୟକତା ଦିଗରେ ଭାରତ ସରକାର ତତ୍ପରତା ପ୍ରକାଶ କଲେ । ଯଦିଚ 1987ମସିହାରେ ହିଁ ଆଇନଗତ ସେବା କର୍ତ୍ତୃପକ୍ଷ ଆଇନ ସଂସଦର ଅନୁମୋଦନ ଲାଭ କରିଥିଲା,ତଥାପି 1995ମସିହାରେ ଏହି ଆଇନ କାର୍ଯ୍ୟକାରୀ ହେବା ପରେ ହିଁ ଜାତୀୟ ଆଇନଗତ ସେବା କର୍ତ୍ତୃପକ୍ଷ ସ୍ଥାପିତ ହୋଇଥିଲା ।
ସାଧାରଣ ଲୋକଙ୍କୁ ତ୍ବରାନ୍ବିତ ନ୍ୟାୟ ପ୍ରଦାନ ନିମନ୍ତେ ଲୋକ ଅଦାଲତ ଏବଂ ଅନ୍ୟାନ୍ୟ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ପ୍ରଚଳିତ ହେଲା । ଗତ ଶନିବାର ଦିନ ତେଲଙ୍ଗାନାରେ ଆୟୋଜିତ ଚତୁର୍ଥ ଜାତୀୟ ଲୋକ ଅଦାଲତ ଉଦ୍ଯାପିତ ହୋଇଛି । ଏହି ଲୋକ ଅଦାଲତ ଦ୍ବାରା 39,000ମାମଲାର ସମାଧାନ କରାଯାଇଛି ଏବଂ ବିଭିନ୍ନ ମାମଲାରେ କ୍ଷତିଗ୍ରସ୍ତ ଆବେଦନକାରୀମାନଙ୍କୁ 49କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ସଂକ୍ରମଣର ପ୍ରକୋପ କାରଣରୁ ମହାରାଷ୍ଟ୍ର,ଦିଲ୍ଲୀ,ପଶ୍ଚିମ ବଙ୍ଗ ଏବଂ ଆନ୍ଧ୍ର ପ୍ରଦେଶ ସମେତ 16ଟି ରାଜ୍ୟରେ ପ୍ରସ୍ତାବିତ ଲୋକ ଅଦାଲତକୁ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ ଶେଷ ସପ୍ତାହରେ କର୍ଣ୍ଣାଟକରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ 3.3ଲକ୍ଷ ମାମଲାର ସମାଧାନ ହେବା ସହିତ ପ୍ରାୟ 1,000କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା ।
ଗତ ବର୍ଷ,ଯେତେବେଳେ କୋଭିଡର ପ୍ରକୋପ ଶୀର୍ଷରେ ରହିଥିଲା,ସେତେବେଳେ ଦେଶରେ ଦୁଇ ଥର ଜାତୀୟ ଲୋକ ଅଦାଲତ ଆୟୋଜିତ ହୋଇଥିଲା ଏବଂ ପାରମ୍ପରିକ ଅଦାଲତ ବାହାରେ 12.6ଲକ୍ଷ ମାମଲାର ସମାଧାନ ହେବା ସହିତ 1,000କୋଟି ଟଙ୍କାରୁ ଅଧିକ ପରିମାଣର କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା ।
ଦେଶର 24ଟି ରାଜ୍ୟରେ ରାଜ୍ୟସ୍ତରୀୟ ଆଇନଗତ ସେବା ସଂସ୍ଥା ପକ୍ଷରୁ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମ ସହାୟତାରେ ଇ-ଲୋକ ଅଦାଲତର ଆୟୋଜନ କରାଯାଇ ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ ଧାରାକୁ ତ୍ବରାନ୍ବିତ କରାଯାଇଛି । ଆମ ଦେଶର ନ୍ୟାୟ ବ୍ୟବସ୍ଥା ଯେ ନୂତନ ଜ୍ଞାନକୌଶଳକୁ ଆପଣେଇ ନେଇସାରିଲାଣି, ତାହା ଏଥିରୁ ବୁଝି ହେଉଛି ।
ବିଶ୍ବର ଅନ୍ୟ କୌଣସି ଦେଶରେ ଲୋକ ଅଦାଲତ ସମତୁଲ ବ୍ୟବସ୍ଥା ଦେଖାଯାଏ ନାହିଁ । ବର୍ଷ ବର୍ଷର ଅଭିଜ୍ଞତାକୁ ପାଥେୟ କରି ଏହି ବ୍ୟବସ୍ଥାକୁ ଆହୁରି ପ୍ରଭାବଶାଳୀ କରିବା ଉଚିତ ।
ବର୍ଷ ବର୍ଷ ଧରି ବିଚାର ଅପେକ୍ଷାରେ ରହିଥିବା ମାମଲା ଯୋଗୁଁ ଆମ ବିଚାର ବିଭାଗ ଉପରେ ଅତିରିକ୍ତ ବୋଝ ପଡ଼ିବା ସହିତ ନ୍ୟାୟ ଅପେକ୍ଷାରେ ରହିଥିବା କୋଟି କୋଟି ଆବେଦନକାରୀ ହତାଶ ହୋଇପଡ଼ିଲେଣି । ଏହି ପରିସ୍ଥିତିକୁ ସୁଧାରିବା ଦିଗରେ ପରିକଳ୍ପିତ ଯୋଜନାର ଅଭାବ ନାହିଁ । ହେଲେ ଏଗୁଡ଼ିକୁ କାର୍ଯ୍ୟକାରୀ କରାଇବା ହିଁ ସମସ୍ୟା ସୃଷ୍ଟି କରିଛି ।
ସାରା ଦେଶରେ ଜିଲ୍ଲା ଓ ତାଲୁକା ସ୍ତରୀୟ ଅଦାଲତରେ ବିଚାର ଅପେକ୍ଷାରେ ରହିଥିବା ମାମଲାଗୁଡ଼ିକ ମଧ୍ୟରୁ ପ୍ରାୟ 17ପ୍ରତିଶତ ମାମଲା ତିନିରୁ ପାଞ୍ଚ ବର୍ଷ ପୂର୍ବରୁ ପଞ୍ଜୀକୃତ ହୋଇଥିଲା । ବିଭିନ୍ନ ଉଚ୍ଚ ଅଦାଲତରେ,ବିଚାର ପାଇଁ ରହିଥିବା ମାମଲା ମଧ୍ୟରୁ 20.4ପ୍ରତିଶତ ପାଞ୍ଚରୁ ଦଶ ବର୍ଷ ପୁରୁଣା ଏବଂ 17ପ୍ରତିଶତ ମାମଲା କୋଡ଼ିଏ ବର୍ଷ ହେଲା ବିଚାର ଅପେକ୍ଷାରେ ରହିଛି ।
50ପ୍ରତିଶତରୁ ଅଧିକ ବକେୟା ମାମଲାରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ପକ୍ଷଭୁକ୍ତ ହୋଇଛନ୍ତି । ଏଭଳି ସ୍ଥିତିର ତୁଳନା ନାହିଁ । ଉପଯୁକ୍ତ ବିଚାରଣା ପ୍ରକ୍ରିୟା ଅନୁସରଣ ଦ୍ବାରା ବକେୟା ମାମଲାର ସଂଖ୍ୟା କମାଇବା ପାଇଁ ପ୍ରାୟ ତିନି ଦଶନ୍ଧି ତଳେ ଆଇନ କମିଶନ ପ୍ରସ୍ତାବ ଦେଇଥିଲେ । କିଛି ଦିନ ତଳେ ସୁପ୍ରିମ କୋର୍ଟ ମଧ୍ୟ ଉଲ୍ଲେଖ କରିଥିଲେ ଯେ ନାଗରିକମାନଙ୍କ ପ୍ରତି ସରକାରଙ୍କ ମନୋଭାବ ମୁକାବିଲାମୂଳକ ନୁହେଁ,ସମାଧାନ ଭିତ୍ତିକ ହେବା ଉଚିତ ।
ଲୋକ ଅଦାଲତରେ ବିଚାର ପାଇଁ ପହଞ୍ଚୁଥିବା ଅଧିକାଂଶ ମାମଲା ଭୂମି ଅଧିଗ୍ରହଣ,ଶ୍ରମ ବିବାଦ,ପେନ୍ସନ୍,ଖାଉଟି ଅଭିଯୋଗ ଏବଂ ବିଦ୍ୟୁତ ଶକ୍ତି,ଟେଲିଫୋନ୍ ଏବଂ ପୌର ସଂସ୍ଥାର ସେବା ସଂପର୍କିତ । ସୁପ୍ରିମ କୋର୍ଟଙ୍କ ପ୍ରସ୍ତାବ ଅନୁସାରେ ଏଭଳି କ୍ଷେତ୍ରରେ ସରକାରୀ କର୍ତ୍ତୃପକ୍ଷ ଲୋକଙ୍କ ସହ ମୁକାବିଲା ମୂଳକ ମନୋଭାବ ପୋଷଣ ନ କରି ବୁଝାମଣା ଭିତ୍ତିରେ ସମାଧାନ ଉପରେ ଜୋର ଦେବା ଉଚିତ ।
ଲୋକମାନଙ୍କ ଅଦାଲତ ଭାବରେ ନିଜ ନାମକରଣର ଯଥାର୍ଥତା ପ୍ରତିପାଦନ କରି ଲୋକ ଅଦାଲତ ଏଭଳି ଭାବରେ ନ୍ୟାୟ ପ୍ରଦାନ କରିବା ଉଚିତ ଯେ,ପୀଡ଼ିତ ଆବେଦନକାରୀଙ୍କ ମନର ବୋଝ ହାଲୁକା ହୋଇପାରିବ । ଦେଶର ସର୍ବାଧିକ ଦୁର୍ଗମ ଅଞ୍ଚଳରେ ଆଇନଗତ ସେବା ଉପଲବ୍ଧ କରାଇବା ସକାଶେ ପ୍ରତି ଗାଁରେ କିମ୍ବା ବିଚାରଶୀଳ ଭାବରେ କେତେକ ଗାଁକୁ ନେଇ ଗଠିତ ଏକ ସମୂହରେ ଗୋଟିଏ ଲେଖାଏଁ ଆଇନଗତ ଉପଚାର କେନ୍ଦ୍ର ବା ‘ଲିଗାଲ କ୍ଲିନିକ୍’ ସ୍ଥାପନର ଆବଶ୍ୟକତା ରହିଛି ବୋଲି 2011ମସିହାରେ ଜାତୀୟ ଆଇନଗତ ସେବା କର୍ତ୍ତୃପକ୍ଷ (NALSA)ମତବ୍ୟକ୍ତ କରିଥିଲେ । ଆଜି 14,000ରୁ ଅଧିକ ଲିଗାଲ କ୍ଲିନିକ୍ ରହିଛି । ହେଲେ ଦେଶରେ ଗାଁ ସଂଖ୍ୟା ପ୍ରାୟ 6ଲକ୍ଷ । ଲୋକଙ୍କ ଦୁଆରମୁହଁରେ ତ୍ବରାନ୍ବିତ ନ୍ୟାୟ ଉପଲବ୍ଧ କରାଇବା ପାଇଁ ଆଗକୁ ଲୋକ ଅଦାଲତ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ଉଚିତ ।