ରାୟପୁର:ଛତିଶଗଡରେ ରକ୍ତର ହୋଲି ଖେଳିଲେ ଲାଲବାହିନୀ । ଆଜି ଛତିଶଗଡ ନାରାୟଣପୁର ଜିଲ୍ଲାରେ ନକ୍ସଲମାନେ ବଡ ଧରଣର ଆଇଇଡି ବିସ୍ଫୋରଣ କରିଛନ୍ତି । ଗୋଟିଏ ଲୁହାପଥର ଖଣିରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇ ଥିବାବେଳେ ଜଣେ ଗୁରୁତର ଅଛନ୍ତି । ଆଜି ସକାଳ ୮ଟା ସମୟରେ ଶ୍ରମିକମାନେ ନାରାୟଣପୁର ସ୍ଥିତ ଆମଦାଇ ଖଣିକୁ କାମ କରିବା ପାଇଁ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା । ଖଣି ଭିତରେ ନକ୍ସଲମାନେ ଖଞ୍ଜିଥିବା ଆଇଇଡି ଉପରେ ଶ୍ରମିକଙ୍କ ପାଦ ପଡିଯିବାରୁ ଏହା ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ବିସ୍ଫୋରଣରେ ଆହତ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଅଛି । ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଛୋଟାଡୋଙ୍ଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ରାଜଧାନୀ ରାୟପୁର ଠାରୁ ୩୫୦ କିଲୋମିଟର ଦୂର ଡୋଙ୍ଗର ଥାନା ଅଞ୍ଚଳରେ ଥିବା ଲୁହାପଥର ଖଣିରେ ନକ୍ସଲମାନେ ଏଭଳି ବଡ ଧରଣର ଆକ୍ରମଣ ଘଟାଇଛନ୍ତି । ତେବେ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସମଗ୍ର ଅଞ୍ଚଳ ଥରି ଉଠିଥିଲା । ଏଥରେ ମୃତ ଶ୍ରମିକମାନେ ହେଲେ ୨୧ ବର୍ଷୀୟ ରିତେଶ ଗଗଡା ଏବଂ ୨୪ ବର୍ଷୀୟ ଶ୍ରବଣ ଗଗଡା । ଉଭୟଙ୍କ ଘର ନାରାୟଣପୁର ଜିଲ୍ଲାରେ । ବିସ୍ଫୋରଣ ପରେ ଶ୍ରବଣଙ୍କ ମୃତଦେହ ଦୂରକୁ ଛିଟକି ପଡିବାରୁ ତୁରନ୍ତ ତାଙ୍କର ପତ୍ତା ମିଳିନଥିଲା । ପରେ ଦୁର୍ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ସୁରକ୍ଷାକର୍ମୀ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଦ୍ବିତୀୟ ଦିନରେ ରଜୌରୀ ଏନକାଣ୍ଟର: 5 ଶହୀଦ, 2 ଆତଙ୍କୀ ନିପାତ