କିଭ:ୟୁକ୍ରେନରେ ଋଷର ଆକ୍ରମଣ ଜାରି ରହିଥିବା ବେଳେ ଦେଶବାସୀଙ୍କ ସଙ୍କଟ ବଢିବାରେ ଲାଗିଛି । ରାଷ୍ଟ୍ରପତି ଜେଲେନସ୍କି ଆତ୍ମସମର୍ପଣ କରିବା ପରିବର୍ତ୍ତେ ୟୁକ୍ରେନ ତାର ଲଢେଇ ଜାରି ରଖିବା ନେଇ ସ୍ପଷ୍ଟ କରିଛନ୍ତି । ଯାହା ୟୁକ୍ରେନବାସୀଙ୍କ ସଙ୍କଟକୁ ବଢାଇବାରେ ଲାଗିଛି । ଏହାରି ମଧ୍ଯରେ ବେଲାରୁଷର ରାଜଧାନୀ ମିନସ୍କିରେ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ଥିବା ଋଷ କହିଥିବା ବେଳେ ଏଥିରେ ୟୁକ୍ରେନ ମନା କରିଥିବା ସୂଚନା ମିଳିଛି । ଏନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।
ଋଷ ମୁଖ୍ୟାଳୟ କ୍ରମିଲିନର ମୁଖପାତ୍ର ଦିମିତ୍ରୀ ପେସକୋବଙ୍କ ସୂଚନା ଅନୁସାରେ, ଋଷର ଏକ ପ୍ରତିନିଧିମଣ୍ଡଳୀ ମନସ୍କିରେ ପହଞ୍ଚି ସାରିଥିବା ବେଳେ ସେମାନେ ୟୁକ୍ରେନ ସହ କଥାବାର୍ତ୍ତା କରିବା ପାଇଁ ଆଗ୍ରହୀ ଅଛନ୍ତି । ଏହି ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀରେ ବିଦେଶ ମନ୍ତ୍ରାଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ଅନ୍ୟ କିଛି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ରାଷ୍ଟ୍ରପତିଙ୍କ ପ୍ରତିନିଧି ମଧ୍ୟ ରହିଛନ୍ତି । ତେବେ ଏପରି ପ୍ରସ୍ତାବ ଆସିବା ସତ୍ତ୍ବେ ମଧ୍ୟ ଆଲୋଚନା ପାଇଁ ୟୁକ୍ରେନ ପକ୍ଷରୁ ମନା କରାଯାଇଛି ।