ଓଡିଶା

odisha

ETV Bharat / bharat

Karnataka Polls: ଅଚଳାଚଳ ସମ୍ପତ୍ତିର ମାଲିକ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ, ଜାଣନ୍ତୁ କେତେ - ୧୪୧୪ କୋଟି ସମ୍ପତ୍ତିର ମାଲିକ ଡିକେ ଶିବକୁମାର

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ଦାଖଲ । ସତ୍ୟପାଠ ଅନୁସାରେ, ୧,୪୧୪ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ହେଉଛନ୍ତି KPCC ମୁଖ୍ୟ ଡିକେ ଶିବକୁମାର । ଅଧିକ ପଢନ୍ତୁ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ
କର୍ଣ୍ଣାଟକ ବିଧାନସଭା ନିର୍ବାଚନ

By

Published : Apr 19, 2023, 4:53 PM IST

Updated : Apr 20, 2023, 9:04 AM IST

ବେଙ୍ଗାଲୁରୁ: ଆସନ୍ତା ମେ' ୧୦ରେ କର୍ଣ୍ଣାଟକ ବିଧାନସଭା ଲଢେଇ । ଏଥିପାଇଁ ବର୍ତ୍ତମାନ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଛି । KPCC ମୁଖ୍ୟ ଡିକେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ନାମାଙ୍କନ ଭରିବା ସହ ନିଜର ସମ୍ପତ୍ତି ସାର୍ବଜନୀନ କରୁଛନ୍ତି । ଏହି କ୍ରମରେ କନକପୁରା ଆସନରୁ ନିର୍ବାଚନ ଲଢୁଥିବା କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ମଧ୍ୟ ନିଜର ସମ୍ପତ୍ତି ବିବରଣୀ ଦେଇଛନ୍ତି, ଯାହାକି ସମସ୍ତଙ୍କୁ ତାଜୁବ କରିବା ଭଳି । ଶିବକୁମାର ୧,୪୧୪ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ଅଟନ୍ତି । ସେ ପ୍ରାର୍ଥୀପତ୍ର ଦାଖଲ ସମୟରେ ୧୦୮ ପୃଷ୍ଠାର ନିଜର ସମ୍ପତ୍ତି ସମ୍ପର୍କିତ ବିବରଣୀ ଦାଖଲ କରିଛନ୍ତି ।

ଡିକେ ଶିବକୁମାରଙ୍କ ସମ୍ପତ୍ତି:KPCC ମୁଖ୍ୟ ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ତାଙ୍କ ନାମରେ କେବଳ ୧,୨୧୪ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି । ପତ୍ନୀ ଉଷା ୧୩୩ କୋଟିର ମାଲିକାଣୀ ହୋଇଥିବା ବେଳେ ପୁଅ ଆକାଶଙ୍କ ନାମରେ ୬୬ କୋଟି ଟଙ୍କାର ସମ୍ପତ୍ତି ଅଛି । ଶିବକୁମାରଙ୍କ ନିଜସ୍ବ ୯୭୦ କୋଟି ମୂଲ୍ୟର ଅସ୍ଥାବର ଓ ୨୪୪ କୋଟିର ସ୍ଥାବର ସମ୍ପତ୍ତି ରହିଛି । ଏହାମଧ୍ୟରେ ୨୬୬ କୋଟି ଟଙ୍କା ଋଣ ଅଛି । ସେହିପରି ତାଙ୍କର ବାର୍ଷିକ ଆୟ ୧୪ କୋଟି ବୋଲି ସେ ଦର୍ଶାଇଛନ୍ତି ।

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାରଙ୍କ ଗୋଟିଏ Yublot ଘଣ୍ଟା ଅଛି, ଯାହାର ମୂଲ୍ୟ କେବଳ ୨୩ ଲକ୍ଷ ଟଙ୍କା । ଶିବକୁମାରଙ୍କ ପରିବାର ନିକଟରେ ୪ କେଜି ସୁନା ଗହଣା ରହିଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ତାଙ୍କ ନାମରେ ଅନେକ ଚାଷ ଜମି, ଅଣଚାଷ ଜମି, ବ୍ୟବସାୟିକ ବିଲ୍ଡିଂ ଅଛି । ୨୦୨୩ରେ ଡିକେ ଶିବକୁମାରଙ୍କ ପରିବାରର ଆୟ ୨୫୨ କୋଟି ଥିଲା । ୨୦୧୮ରେ ଏହା ୮୪୦ କୋଟିକୁ ବୃଦ୍ଧି ପାଇଥିଲା । ତେବେ KPCC ଅଧ୍ୟକ୍ଷଙ୍କ ବିରୋଧରେ ସମୁଦାୟ ୧୯ଟି ଅଧିକ ଅପରାଧିକ ମାମଲା ରହିଛି ।

ଜେଡିଏସ୍ ପ୍ରାର୍ଥୀ ଏଚଡି କୁମାରାସ୍ବାମୀ: ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରାସ୍ବାମୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୮୯.୨୭ କୋଟି ଟଙ୍କା । ଏଚଡି କୁମାରାସ୍ବାମୀ ଓ ପତ୍ନୀ ଅନିତା କୁମାରାସ୍ବାମୀଙ୍କ ନାଁରେ ସମୁଦାୟ ୯୨.୮୪ କୋଟିର ଅସ୍ଥାବର ସମ୍ପତ୍ତି ଏବଂ ୯୪.୪୩ କୋଟିର ସ୍ଥାବର ସମ୍ପତ୍ତି ରହିଛି । ଦୁହିଁଙ୍କ ପାଖରେ ୪.୧୩୦ କେଜି ସୁନା, ୨୯ କେଜି ରୁପା ଓ ୫୪ କ୍ୟାରେଟ ହୀରା ଗହଣା ରହିଛି । କୁମାରାସ୍ବାମୀଙ୍କ ନାମରେ କେବଳ ଗୋଟିଏ ଟ୍ରାକ୍ଟର ଥିବାବେଳେ ପତ୍ନୀଙ୍କ ନାଁରେ ଗୋଟିଏ ଇନୋଭା କ୍ରିଷ୍ଟା, ୮ଟି ମାରୁତି ଇଚୋ କାର୍ ଅଛି ।

ସେହିପରି କୁମାରାସ୍ବାମୀ ୪୮ ଏକର ଚାଷ ଜମିର ମାଲିକ ହୋଇଥିବାବେଳେ ୨୦୨୧-୨୨ରେ ଏଥିରୁ ସେ ୪୭ ଲକ୍ଷ ଟଙ୍କା ଆୟ କରିଥିଲେ । ଅନିତାଙ୍କ ପାଖରେ ଏକାଧିକ କମର୍ସିଆଲ ଆସେଟ୍‌ ରହିଛି । ସେ ବହୁ କମ୍ପାନୀରେ ନିବେଶ ମଧ୍ୟ କରିଛନ୍ତି । ତାଙ୍କ ନାଁରେ ୭୭ କୋଟିର ଋଣ ଅଛି । ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ, କୁମାରସ୍ବାମୀଙ୍କ ବିରୋଧରେ ୫ଟି ମାମଲା ରହିଛି ।

ଜେଡିଏସ୍ ପ୍ରାର୍ଥୀ ନିଖିଲ କୁମାରାସ୍ବାମୀ:ରାମନଗର ଆସନରୁ ଟିକେଟ ପାଇଥିବା ନିଖିଲ ଗତ ସୋମବାର ଦିନ ନାମାଙ୍କନ ଭରିଛନ୍ତି । ନାମାଙ୍କନ ସମୟରେ ସେ ନିଜର ସମ୍ପତ୍ତି ଘୋଷଣା କରିଥିଲେ । ନିଖିଲ କୁମାରସ୍ବାମୀ ୪୬.୫୧ କୋଟିର ସ୍ଥାବର ଓ ୨୮ କୋଟି ଅସ୍ଥାବର ସମ୍ପତ୍ତିର ମାଲିକ ଅଟନ୍ତି । ତାଙ୍କ ପାଖରେ ୧.୧୫୧ କେଜି ସୁନା ଏବଂ ୩୮.୯୪ କୋଟି ଋଣ ଅଛି । ଏହି ଜେଡିଏସ୍ ପ୍ରାର୍ଥୀଙ୍କ ୫.୬୭ କୋଟିର ଲାମ୍ବୋରଗିନି ସହ ମୋଟ ୫ଟି କାର୍ ଅଛି । ୨୦୨୧-୨୨ରେ ତାଙ୍କର ବାର୍ଷିକ ଆୟ ୪ କୋଟି ୨୮ ଲକ୍ଷ ହୋଇଥିବା ସେ ଜଣାଇଛନ୍ତି ।

ମଧୁ ବାଙ୍ଗରପ୍ପା: ଏହି ରାଜନେତା ୩୭ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତିର ମାଲିକ ଅଟନ୍ତି । ତାଙ୍କର ନିଜସ୍ବ ୧୭,୮୪,୮୭,୫୬୧ କୋଟିର ସ୍ଥାବର ସମ୍ପତ୍ତି ରହିଛି । ବାଙ୍ଗରପ୍ପାଙ୍କ ପାଖରେ ୧.୨୫ କୋଟି ଟଙ୍କାର ସୁନା ଗହଣା ଏବଂ ଦୁଇଟି କାର ଅଛି । ତାଙ୍କ ନାମରେ ୬,୯୧,୩୦,୦୦୦ ଟଙ୍କାର ଚାଷ ଜମି ଥିବାବେଳେ ପତ୍ନୀଙ୍କ ନାମରେ ୯,୯୫,୮୫,୬୭୧ କୋଟିର ସ୍ଥାବର ସମ୍ପତ୍ତି ପଞ୍ଜିକୃତ ଅଛି । ପତ୍ନୀଙ୍କ ପାଖରେ ୮୨.୭୩ ଲକ୍ଷର ଗୋଟିଏ କେଜି ସୁନା ଏବଂ ହୀରା ଗହଣା ଓ ୨୫ କେଜି ରୁପା ଅଛି ।

ଶମାନୁର ଶିବଶଙ୍କରପ୍ପା:କଂଗ୍ରେସ ପ୍ରାର୍ଥୀ ଭାବେ ବିଧାୟକ ଶମାନୁର ଶିବଶଙ୍କରପ୍ପା ଦେବଙ୍ଗିରି ଦକ୍ଷିଣ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିବା ସଙ୍ଗେସଙ୍ଗେ ନିଜର ସମ୍ପତ୍ତି ଘୋଷଣା କରିଛନ୍ତି । ସତ୍ୟପାଠ ଅନୁସାରେ, ସେ ୨୯୩.୮୩ କୋଟି ସମ୍ପତ୍ତିର ମାଲିକ ଅଟନ୍ତି । ସେଥିମଧ୍ୟରୁ ତାଙ୍କ ପାଖରେ ୮.୧ ଲକ୍ଷ ନଗଦ, ୬୩.୯୬ କୋଟି ବ୍ୟାଙ୍କ ଜମା ଏବଂ ୮୫.୩୨ କୋଟି ମୂଲ୍ୟର ସେୟାର ଓ ୨.୨୫ କୋଟି ମୂଲ୍ୟ ଗହଣା ରହିଛି । ତାଙ୍କଠାରୁ ଉଧାର ନେଇଥିବା ବିଭିନ୍ନ ଲୋକଙ୍କ ଉପରେ ୧୦୪ କୋଟି ବକେୟା ରହିଛି । ଶିବଶଙ୍କରପ୍ପାଙ୍କ ନାମରେ ୩୫ କୋଟିର ଅଣଚାଷ ଜମି ଏବଂ ୩୫ କୋଟି ଅସ୍ଥାବର ଓ ସ୍ଥାବର ସମ୍ପତ୍ତି ସମେତ ୨୫୭.୮୩ କୋଟି ମୂଲ୍ୟର ଘର ଅଛି ।

ଗଲି ଲକ୍ଷ୍ମୀ ଅରୁଣା:ଗଲି ଜନାର୍ଦ୍ଧନ ରେଡ୍ଡିଙ୍କ ପତ୍ନୀ ଗଲି ଲକ୍ଷ୍ମୀ ଅରୁଣା ବଲାରି ନଗର ଆସନରୁ ନାମାଙ୍କନ ଭରିବା ସହ ନିଜ ସମ୍ପତ୍ତି ବିବରଣୀ ଦାଖଲ କରିଛନ୍ତି । ଅରୁଣାଙ୍କ ପାଖରେ ୧.୭୬ ଲକ୍ଷ ଏବଂ ସ୍ବାମୀଙ୍କ ପାଖରେ ୧.୩୩ ଲକ୍ଷ ନଗଦ ରହିଛି । ତାଙ୍କର ସ୍ଥାବର ସମ୍ପତ୍ତି ମୂଲ୍ୟ ୯୬.୨୩ କୋଟି ଟଙ୍କା ଏବଂ ସ୍ବାମୀଙ୍କ ୨୯.୨୦ କୋଟି ଟଙ୍କା । ଲକ୍ଷ୍ମୀ ଅରୁଣା ଅନେକ ଗୁଡିଏ କମ୍ପାନୀରେ କୋଟିକୋଟି ଟଙ୍କା ନିବେଶ କରିଛନ୍ତି । ତାଙ୍କ ନିକଟରେ ୧୬.୪୪ କୋଟିର ସୁନା ଓ ହୀରା ଗହଣା ଏବଂ ୭୭ ଲକ୍ଷରୁ ଅଧିକ ରୁପା ଗହଣା ରହିଛି । ଜନାର୍ଦ୍ଧନଙ୍କର ୩୨.୧୮ ଲକ୍ଷର ସୁନା ଓ ରୁପା ଗହଣା ସହତି ୭.୯୩ କୋଟିର ହୀରା ଅଳଙ୍କାର ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2023, 9:04 AM IST

ABOUT THE AUTHOR

...view details