ଓଡିଶା

odisha

ETV Bharat / bharat

President Election: ଦେଶକୁ ମିଳିବେ ନୂଆ ରାଷ୍ଟ୍ରମୁଖ୍ୟ, ଏମିତି ନିର୍ବାଚିତ ହୁଅନ୍ତି ରାଷ୍ଟ୍ରପତି

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । 18 ତାରିଖରେ ମତଦାନ, 21 ରେ ଗଣତି । 25 ତାରିଖରେ ଶପଥ ନେବେ ବିଶ୍ବର ସର୍ବବୃହତ ଗଣତନ୍ତ୍ରର ନୂଆ ରାଷ୍ଟ୍ରମୁଖ୍ୟ । କିପରି ହୁଏ ନିର୍ବାଚନ । କିପରି ହୁଏ ଭୋଟିଂ ପ୍ରକ୍ରିୟା । ଜନପ୍ରତିନିଧିଙ୍କ ଭୋଟର ମୂଲ୍ୟ କିପରି ହୁଏ ନିର୍ଦ୍ଧାରଣ । ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା..

ଦେଶକୁ ମିଳିବେ ନୂଆ ରାଷ୍ଟ୍ରମୁଖ୍ୟ, ଏମିତି ନିର୍ବାଚିତ ହୁଅନ୍ତି ରାଷ୍ଟ୍ରପତି
ଦେଶକୁ ମିଳିବେ ନୂଆ ରାଷ୍ଟ୍ରମୁଖ୍ୟ, ଏମିତି ନିର୍ବାଚିତ ହୁଅନ୍ତି ରାଷ୍ଟ୍ରପତି

By

Published : Jun 9, 2022, 5:54 PM IST

ନୂଆଦିଲ୍ଲୀ:ଆସନ୍ତା ମାସ 25 ତାରିଖରେ ଦେଶକୁ ମିଳିବେ ନୂଆ ରାଷ୍ଟ୍ରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ 24 ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ଆଜି ରାଷ୍ଟ୍ରପତି ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ । ଜୁଲାଇ 15 ତାରିଖରେ ନର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ 18 ତାରିଖରେ ମତଦାନ ଓ 21 ରେ ଗଣତି ହେବ । ସେହିପରି 25 ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ପାଠ କରିବେ। ପ୍ରଧାନ ବିଚାରପତି ବିଶ୍ବର ସର୍ବବୃହତ ଲୋକତନ୍ତ୍ରର ରାଷ୍ଟ୍ରର ମୁଖ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।

କିପରି ହୁଏ ନିର୍ବାଚନ:-

ଜନତାଙ୍କ ଦ୍ବାରା ପ୍ରତ୍ୟେକ୍ଷ ଭାବେ ନୁହେଁ ବରଂ ଜନତାଙ୍କ ଦ୍ବାରା ନିର୍ବାଚିତ ଜନ ପ୍ରତିନିଧିଙ୍କ ଦ୍ବାରା ନିର୍ବାଚିତ ହୋଇଥାନ୍ତି ରାଷ୍ଟ୍ରପତି । ସାଧାରଣ ଜନତାଙ୍କ ଦ୍ବାରା ନିର୍ବାଚିତ ବିଧାୟକ ଓ ସାଂସଦମାନେ ରାଷ୍ଟ୍ରପତିଙ୍କୁ ଭୋଟ ଦେଇ ନିର୍ବାଚିତ କରିଥାନ୍ତି । ରାଜ୍ୟସଭା, ଲୋକସଭାର ସାଂସଦ ଓ ରାଜ୍ୟ ବିଧାନସଭାର ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନରେ ଭୋଟିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥାନ୍ତି । କିନ୍ତୁ ପ୍ରତ୍ୟକ ଭୋଟରଙ୍କ ଭୋଟର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଭୋଟରଙ୍କ ମୂଲ୍ୟ ମଧ୍ୟ ଏକାଧିକ ମାପଦଣ୍ଡରେ ମୂଲ୍ୟାଙ୍କନ ହୁଏ । ସାଂସଦମାନଙ୍କ ଭୋଟର ମୂଲ୍ୟ 708 ହୋଇଥିବା ବେଳେ ରାଜ୍ୟ ବିଧାନସଭାର ବିଧାୟକଙ୍କ ଭୋଟର ମୂଲ୍ୟ ରାଜ୍ୟଓ୍ବାରୀ ଭିନ୍ନ ଭିନ୍ନ ହୋଇଥାଏ । ବିଧାୟକଙ୍କ ଭୋଟର ମୂଲ୍ୟ ସମ୍ପୃକ୍ତ ରାଜ୍ୟର ମୋଟ ଜନସଂଖ୍ୟା ଓ ବିଧାନସଭାର ଆସନ ସଂଖ୍ୟା ଅନୁପାତରେ ନିର୍ଦ୍ଧାରିତ ହୋଇଥାଏ । ରାଜ୍ୟମାନଙ୍କ ବିଧାନସଭା ଆସନ ଓ ଜନସଂଖ୍ୟା ପୃଥକ ହୋଇଥିବାରୁୁ ବିଧାୟକଙ୍କ ଭୋଟ ମୂଲ୍ୟରେ ମଧ୍ୟ ଭିନ୍ନତା ପରିଲିକ୍ଷିତ ହୋଇଥାଏ ।

ଭୋଟିଂ ପ୍ରକ୍ରିୟା: -

ସାଂସଦମାନେ ଦିଲ୍ଲୀରେ ସଂସଦ ଭବନରେ ଭୋଟ ଦେବା ବେଳେ ରାଜ୍ୟ ବିଧାନସଭାରେ ଭୋଟ ଦେଇଥାନ୍ତି ବିଧାୟକ । ଭୋଟି ପ୍ରକ୍ରିୟା ମଧ୍ୟ ସାଧାରଣ ନିର୍ବାଚନ କିମ୍ବା ବିଧାନସଭା ନିର୍ବାଚନ ପରି ନହୋଇ ସମ୍ପୂର୍ଣ୍ଣ ପୃଥକ ହୋଇଥାଏ । ରାଷ୍ଟ୍ରପତି ନିର୍ବାଚନରେ ନିର୍ବାଚନ ଆୟୋଗ ପ୍ରଦାନ କରିଥିବା ଏକ ସ୍ବତନ୍ତ୍ର କଲମର ବ୍ୟବହାର କରନ୍ତି ଭୋଟର । ବାଲାଟ ପେପରରେ ପ୍ରଥମ ପସନ୍ଦ ପ୍ରାର୍ଥଙ୍କ ପାଇଁ 1 ନମ୍ବର ଲେଖିବାକୁ ଥିବାବେଳେ ପ୍ରର୍ଯ୍ୟାୟ କ୍ରମେ ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କୁ ନମ୍ବର ଲେଖିବାକୁ ହେବ । ଆୟୋଗ ପ୍ରଦାନ କରିଥିବା ବିଶେଷ ପେନର ବ୍ୟବହାର ବିନା ସାଧାରଣ ପେନ ବ୍ୟବହାର ହେଲେ ଉକ୍ତ ଭୋଟ ବୈଧ ବୋଲି ଗ୍ରହଣ କରାଯାଏ ନାହିଁ ।

କେତେ ଭୋଟର ଅଶଂଗ୍ରହଣ କରନ୍ତି:-

ସଂସଦର ଉଚ୍ଚ ସଦନ ରାଜ୍ୟସଭାର ମୋଟ 245 ସଦସ୍ୟଙ୍କ ମଧ୍ୟରୁ 233 ନିର୍ବାଚିତ ସାଂସଦ ହିଁ ଏହି ନିର୍ବାଚନରେ ଭୋଟ ଦେଇ ପାରିବେ । ସେହିପରି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ହୋଇଥିବା 12 ସାଂସଦ ଏହି ମତଦାନରୁ ବିରତ ରହିଥାନ୍ତି । ସେହିପରି ଲୋକସଭାର 543 ସଦସ୍ୟ ଭୋଟ ଦେଇଥାନ୍ତି । ଏହା ବ୍ୟତୀତ ରାଜ୍ୟ ବିଧାନସଭାର ସମସ୍ତ ବିଧାୟକ ଏହି ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥାନ୍ତି । ଚଳିତ ଥରର ସଂଖ୍ୟା ଉପରେ ନଜର ପକାଇଲେ ମୋଟ 4,120 ବିଧାୟକ ଓ 776 ସାଂସଦଙ୍କୁ ମିଶାଇ ମୋଟ ମତଦାତାଙ୍କ ସଂଖ୍ୟା 4896 ହେବାକୁ ଯାଉଛି ।

ଜୁଲାଇ 25 ରେ କାହିଁକି ଶପଥ ଗ୍ରହଣ କରିଥାନ୍ତି ରାଷ୍ଟ୍ରପତି:-

ଦେଶରେ ଜୁଲାଇ 25 ତାରିଖର ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ 1977 ମସିହାରୁ କ୍ରମାଗତ ଭାବେ ହୋଇଆସୁଛି । ତତ୍କାଳୀନ ରାଷ୍ଟ୍ରପତି ଫକିରୁଦ୍ଦିନ ଅଲ୍ଲୀ ଅହମ୍ମଦଙ୍କ ଦେହାନ୍ତ 1977 ମସିହାରେ କାର୍ଯ୍ୟକାଳ ସମୟରେ ହୋଇଥିଲା । ପରେ ତତ୍କାଳୀନ ଉପରାଷ୍ଟ୍ରପତି ବିଡି ଜତି କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ବ ସମ୍ଭାଳିଥିଲେ । ନୂଆ ରାଷ୍ଟ୍ରପତି ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ନୂତନ ରାଷ୍ଟ୍ରପତି ଭାବେ ନୀଲମ ସଞ୍ଜୀବ ରେଡ୍ଡୀ ସେହି ବର୍ଷ ଜୁଲାଇ 25 ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ସେବେଠାରୁ ପ୍ରତି 5 ବର୍ଷରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ପରେ ଜୁଲାଇ 25 ତାରିଖରେ ନୂତନ ରାଷ୍ଟ୍ରପତି ଶପଥ ଗ୍ରହଣ କରିଆସୁଛନ୍ତି ।

ବର୍ତ୍ତମାନର ସଂଖ୍ୟାକୁ ବିଚାରକୁ ନେଲେ ବିଜେପି ନତୃତ୍ବାଧୀନ NDA ବହୁମତ ହାସଲ କରିବା ପାଇଁ ଆବଶ୍ୟକ ସଂଖ୍ୟା ଠାରୁ ସାମାନ୍ୟ ପଛରେ ଅଛି । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ପ୍ରାର୍ଥୀ ନେଇ କିଛି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ NDA ର ପ୍ରାର୍ଥୀ ଉପରେ ସମସ୍ତଙ୍କ ନଜର ରହିଛି । ତେବେ କିଏ ହେବ ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ତାକୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details