ହାଇଦ୍ରାବାଦ: ଜୁନ 25 ବର୍ଷ 1975....ଏ ତାରିଖ ଆଉ ବର୍ଷକୁ ବୋଧେ ଭୁଲି ପାରିବେନି ଭାରତବାସୀ । ଭାରତରେ ରାଜନୈତିକ ଇତିହାସରେ ଘଟିଯାଇଥିବା ବହୁ ଘଟଣାବଳୀ ମଧ୍ୟରେ ଆଜିର ତାରିଖ ଲିପିବଦ୍ଧ ହୋଇରହିଛି । କଳା ଇତିହାସର କଳା ଛାୟାକୁ ଯେମିତି ଆଜିବି ମନେ ପକେଇ ଦେଉଛି ସେଦିନର କଥା । ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି ବା ଏମରଜେନ୍ସି । 1975 ମସିହାର ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁପାରିସ କ୍ରମେ ତତ୍କାଳୀନ ରାଷ୍ଟ୍ରପତି ଫକରୁଦ୍ଦିନ୍ ଅଲ୍ଲୀ ଅହମ୍ମଦ୍ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ରାତାରାତି ଲୋକଙ୍କ ସମ୍ବିଧାନ ଅଧିକାର ଉପରେ ଲଗାଯାଇଥିଲା ଅଙ୍କୁଶ ।
ଜରୁରୀକାଳୀନ ପରିସ୍ଥିତି କଣ ?
ଜରୁରୀକାଳୀନ ବା ବିପତ୍ତି ଅବା ସଙ୍କଟ ସମୟକୁ ବୁଝାଯାଏ । ଭାରତୀୟ ସମ୍ବିଧାନରେ ଏନେଇ ନିୟମ ରହିଛି । ଦେଶର ଆଭ୍ୟନ୍ତରୀଣ, ଆର୍ଥିକ ଉପରେ କୌଣସି ବିପତ୍ତି ଥିଲେ ଏହାର ବ୍ୟବହାର କରାଯାଏ । କୌଣସି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେଲେ ସରକାରଙ୍କ ସମସ୍ତ କ୍ଷମତା ପ୍ରଧାନମନ୍ତ୍ରୀଙ୍କ ହାତକୁ ଚାଲିଆସେ । ଯଦି ରାଷ୍ଟ୍ରପତି ଅନୁଭବ କରନ୍ତି ଦେଶକୁ ଆଭ୍ୟନ୍ତରୀଣ ଅବା ଆର୍ଥିକ ଭାବେ କୌଣସି ବିପତ୍ତି ରହିଛି ସେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିପାରିବେ । ଦେଶର ଅଖଣ୍ଡତା ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ବିଧାନରେ ଏହି ପ୍ରାବଧାନ ରହିଛି ।
ବର୍ତ୍ତମାନ ସୁଦ୍ଧା ଦେଶରେ 3 ଥର ଲାଗୁ ହୋଇଛି ଜରୁରୀକାଳୀନ ପରିସ୍ଥିତି:
26 ଅକ୍ଟୋବର 1962-
ଇତିହାସରେ ଇନ୍ଦିରା ଗାନ୍ଧୀଙ୍କ ସମୟରେ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଲାଗୁକୁ ନେଇ ବହୁ ଚର୍ଚ୍ଚା ଆଲୋଚନା ହୁଏ । କିନ୍ତୁ ଇତିହାସ କଥା ଆମେ ଯଦି ଦେଖିବା 1975 ମସିହା ପୂର୍ବରୁ ଅର୍ଥାତ 1962 ମସିହାରେ ଲାଗୁ ହୋଇଥିଲା । ଏହି ସମୟରେ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା ।
3 ଡିସେମ୍ବର 1971-ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ମଧ୍ୟ ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ଯୁଦ୍ଧକୁ ଦେଖି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ।
25 ଜୁନ 1975 -ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ଯାହାକୁ ନେଇ ଏବେ ସୁଦ୍ଧା କଳଙ୍କର ଦୋଷ ମୁଣ୍ଡାଉଛନ୍ତି ଇନ୍ଦିରା ସରକାର । ଦେଶ ସ୍ବାର୍ଥ ନୁହେଁ ବଂର ନିଜ ସ୍ବାର୍ଥ ପାଇଁ ଏହା କରାଯାଇଥିବା ଲୋକେ କୁହନ୍ତି ।
ଜାଣନ୍ତୁ କାହିଁକି ଇନ୍ଦିରା ଘୋଷଣା କରିଥିଲେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ?
୧୯୭୫ ଜୁନ୍ ୧୨ରେ ଆହ୍ଲାବାଦ୍ ହାଇକୋର୍ଟ ଏକ ମାମଲାର ବିଚାର କରି ରାୟବରେଲୀ ଲୋକସଭା ଆସନରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିଜୟକୁ ଅବୈଧ ଘୋଷିତ କରିଥିଲେ । ଏହାସହ 6 ବର୍ଷ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଇନ୍ଦିରା । ସେଠାରେ କେବଳ ପ୍ରଧାନମନ୍ତ୍ରୀ ପଦ କାଏମ ରହିବା ନେଇ କୋର୍ଟ କହିଥିଲେ । ଆଉ ଏହା ହିଁ ଥିଲା ଏମରଜେନ୍ସିର ପୃଷ୍ଠଭୂମି । ଏମରଜେନ୍ସି ଘୋଷଣା ଜୁନ 25ରେ କରାଯାଇଥିଲା ହେଲେ ଏହାର ବ୍ଲୁପ୍ରିଣ୍ଟ 12 ଜାନୁଆରୀରୁ ପ୍ରସ୍ତୁତ କରାଯାଇଥିଲା ।
୧୯୭୧ରେ ଇନ୍ଦିରା ଗରିବ ହଟାଅ ସ୍ଲୋଗାନ୍ ଦେଇ ଲୋକସଭା ନିର୍ବାଚନରେ ୫୧୮ ଆସନ ମଧ୍ୟରୁ ୩୫୨ ଆସନ ହାତେଇବାକୁ ସକ୍ଷମ ହୋଇଥିଲେ। ପରବର୍ତ୍ତୀ ସମୟରେ ରାୟବରେଲୀ ଆସନରୁ ତାଙ୍କ ବିଜୟକୁ ଜୟ ପ୍ରକାଶ ନାରାୟଣ ବିରୋଧ କରିବାରୁ ଭଳି ସ୍ଥିତି ସୃଷ୍ଟି ହୋଇଥିଲା ।