ଅହମ୍ମଦାବାଦ:ଗୁଜୁରାଟରଅଙ୍କଲେଶ୍ବର ଅଞ୍ଚଳରୁ ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପାଖାପାଖି ୫ ବର୍ଷ ଧରି ଯୁବକଙ୍କ ପେଟରେ ରହିଛି ଛୁରୀ । ଭରୁଚ ସିଭିଲ ହସ୍ପିଟାଲର ଡାକ୍ତରଙ୍କ ଅବହେଳା ଯୋଗୁଁ ଏପରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଅଙ୍କଲେଶ୍ବର ଗାର୍ଡେନ ସିଟି ଅଞ୍ଚଳର ଅତୁଲ ଗିରି ନାମକ ଜଣେ ଯୁବକଙ୍କ ଶରୀରରେ ଆଘାତ ଲାଗିଥିଲା । ତେଣୁ ସେ ଚିକିତ୍ସା ପାଇଁ ଭରୁଚ ସିଭିଲ ହସ୍ପିଟାଲକୁ ଯାଇଥିଲେ ।
ଆଉ ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା । ହେଲେ ଡାକ୍ତରଙ୍କ ବେପରୁଆ ଅପରେସନ ଯୋଗୁ ତାଙ୍କ ପେଟରେ ଛୁରୀଟି ରହିଯାଇଥିବା ଜଣାପଡିଛି । ଦୀର୍ଘ ୫ ବର୍ଷ ହେବ ଛୁରୀଟି ତାଙ୍କ ପେଟ ଭିତରେ ରହିଥିବାବେଳେ ଦିନକୁ ଦିନ ଯନ୍ତ୍ରଣା ବଢିବାରେ ଲାଗିଲା । କିଛି ଦିନ ବ୍ୟବଧାନରେ ଯନ୍ତ୍ରଣା ଅନୁଭବ କରୁଥିଲେ ଅତୁଲ । ଏଥିପାଇଁ ଡାକ୍ତରଙ୍କୁ ପରାମର୍ଶ କରି ଅନେକ ଔଷଧ ଖାଇଥିଲେ ମଧ୍ୟ ଯନ୍ତ୍ରଣା କମିନଥିଲା ।
ଆଉ ଶେଷରେ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ପୁନର୍ବାର ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାକୁ ଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ଶରୀର ପରୀକ୍ଷା (Full Body Check Up) ପାଇଁ ପରାମର୍ଶ ଦେଇଥିଲେ । ଏନେଇ ତାଙ୍କର X-Ray କରାଯିବା ପରେ ସାଙ୍ଘାତିକ ତଥ୍ୟ ସାମନାକୁ ଆସିଥିଲା । ଅତୁଲଙ୍କ ପେଟରେ ଏକ ଛୁରୀ ରହିଥିବା ନେଇ X-Ray ରିପୋର୍ଟରୁ ଜଣାପଡିଥିଲା ।