ଓଡିଶା

odisha

ବିଶ୍ବବିଦ୍ୟାଳୟ ଚାନସେଲର ପଦରୁ ହଟିବେ ରାଜ୍ୟପାଳ, ବିଲ୍‌ ପାସ କଲେ କେରଳ ସରକାର

By

Published : Dec 13, 2022, 7:36 PM IST

କେରଳରେ ରାଜ୍ୟ ବିଶ୍ବବିଦ୍ୟାଳୟରେ ଚାନସେଲର ପଦରୁ ହଟିବେ ରାଜ୍ୟପାଳ (University Laws Amendment Bill in kerala)। ରାଜ୍ୟପାଳଙ୍କୁ ଅପସାରଣ କରିବା ପାଇଁ କେରଳ ସରକାର ପାରିତ କଲେ ବିଲ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏଣିକି ଚାନସେଲର ବାଛିବ । ଅଧିକ ପଢନ୍ତୁ

ବିଶ୍ବବିଦ୍ୟାଳୟ ଚାନସେଲର ପଦରୁ ହଟିବେ ରାଜ୍ୟପାଳ, ବିଲା ପାସ କଲେ କେରଳ ସରକାର
ବିଶ୍ବବିଦ୍ୟାଳୟ ଚାନସେଲର ପଦରୁ ହଟିବେ ରାଜ୍ୟପାଳ, ବିଲା ପାସ କଲେ କେରଳ ସରକାର

ହାଇଦ୍ରାବାଦ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏଣିକି ଚାନସେଲର ବାଛିବ । କେରଳରେ ଲାଗି ରହିଥିବା ରାଜ୍ୟପାଳ ଓ ସରକାର ବିବାଦ ସମୟ କ୍ରମେ ଭିନ୍ନ ମୋଡ ନେବାରେ ଲାଗିଛି । ବିଶ୍ବବିଦ୍ୟାଳୟର ଚାନସେଲର ପଦରୁ ରାଜ୍ୟପାଳଙ୍କୁ ଅପସାରଣ କରିବା ପାଇଁ ଆଜି କେରଳ ସରକାର ବିଧାନସଭାରେ ବିଲ ମଧ୍ୟ ପାରିତ କରିଛନ୍ତି । ବିଶ୍ବବିଦ୍ୟାଳୟ ନିୟମ (ସଂଶୋଧନ) ଅଧିନିୟମ (University Laws Amendment Bill in kerala) ଆଜି (ମଙ୍ଗଳବାର) ରାଜ୍ୟ ବିଧାନସଭାରେ ପାରିତ ହୋଇଛି । ଏହା ଫଳରେ ରାଜ୍ୟପାଳ ଆଉ ରାଜ୍ୟ ଅଧୀନରେ ଥିବା ବିଶ୍ବବିଦ୍ୟାଳୟର କୁଳାଧିପତି ବା ଚାନସେଲର ପଦବୀରେ ରହିପାରିବେ ନାହିଁ ।

ଏହି ସଂଶୋଧିତ ବିଲ୍କୁ‌ ରାଜ୍ୟ ଆଇନ ମନ୍ତ୍ରୀ ପି.ରାଜୀବ 7 ତାରିଖରେ ବିଧାନସଭାରେ ଆଗତ କରିଥିଲେ । ନୂଆ ବିଲରେ ଥିବା ସଂଶୋଧିତ ପ୍ରାବଧାନ ଅନୁସାରେ, ରାଜ୍ୟ ପରିଚାଳନାରେ ଥିବା ବିଶ୍ବବିଦ୍ୟାଳୟଗୁଡିକରେ ରାଜ୍ୟପାଳ ଚାନସେଲର ପଦବୀରେ ରହିବେ ନାହିଁ । ଏହି ପଦବୀ ପାଇଁ ଜଣେ ଶିକ୍ଷାବିତ ବା ଏକାଡେମିସିଆନଙ୍କୁ ନିଯୁକ୍ତ କରାଯିବ । ଏଥିପାଇଁ ଏକ 3 ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ଚୟନ କମିଟି ଗଠନ କରାଯିବ । ଏଥିରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଭାବେ ରହିବାକୁ ଥିବା ବେଳେ ବାଚସ୍ପତି ଓ ବିରୋଧୀ ଦଳ ନେତା ସହ-ସଦସ୍ୟ ଭାବେ ରହିବେ । ଏହି ଚୟନ କମିଟି ହିଁ ଚାନସେଲର ନିଯୁକ୍ତ କରିବ ।

ଚୟନ କମିଟି ଦ୍ବାରା ନିଯୁକ୍ତ ହୋଇଥିବା ଚାନସେଲର 5ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ପରେ ଆବଶ୍ୟକ ସ୍ଥଳେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାର କ୍ଷମତା ମଧ୍ୟ ଚୟନ କମିଟି ନିକଟରେ ରହିବ । କୌଣସି କ୍ଷେତ୍ରରେ ବିଶିଷ୍ଟ ଶିକ୍ଷାବିତ ଥିବା ବା ଆଇନ କିମ୍ବା ପ୍ରଶାସନିକ ସେବା ପୃଷ୍ଟଭୂମିରୁ ଥିବା ବ୍ୟକ୍ତିବିଶେଷଙ୍କୁ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ କାରଯାଇପାରେ ବୋଲି ବିଲ୍ ରେ ପ୍ରାବଧାନ ରହିଛି । ତେବେ କେରଳ ସରକାରଙ୍କ ଏହି ବିଲକୁ ବିରୋଧୀ କଂଗ୍ରେସ ବିରୋଧ କରିଥିଲା । ଜଣେ ଶିକ୍ଷାବିତଙ୍କ ବଦଳରେ ସର୍ବୋଚ୍ଚ କୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଏହି ପଦବୀରେ ଅବସ୍ଥାପିତ କରିବାର ପ୍ରାବଧାନ ରଖାଯାଉ ବୋଲି କଂଗ୍ରେସ କହିଥିଲା ।

ଗତ କିଛି ମାସ ହେବ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଓ ବିଜୟନ ସରକାର ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । କିଛି ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ରାଜ୍ୟପାଳ ପଦରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲା ବେଳେ ସେମାନେ ମଧ୍ୟ ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ କୋର୍ଟର ଆଶ୍ରୟ ନେଇଛନ୍ତି । ଏହାରି ମଧ୍ୟରେ କେରଳ ସରକାର ମଧ୍ୟ ଏପରି ବିଲ ପାରିତ କରି ରାଜ୍ୟପାଳଙ୍କ କ୍ଷମତା ହ୍ରାସ କରିବା ପାଇଁ ପ୍ରୟାସ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details