ହାଇଦ୍ରାବାଦ:ଆଜି ତେଲେଙ୍ଗାନାରେ ଭୋଟିଂ ସରିବା ପରେ ପ୍ରକାଶ ପାଇଛି 5 ରାଜ୍ୟ ପାଇଁ ଏକଜିଟ ପୋଲ ବା ‘ବୁଥବାହୁଡା ଜନମତ’ ପ୍ରକାଶ ପାଇଛି । କଂଗ୍ରେସ ତେଲେଙ୍ଗାନା ଓ ଛତିଶଗଡରେ ଆଗରେ ରହିଛି । ସେହିପରି ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ବିଜେପି ଆଗରେ ରହିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଆକଳନ ତେଲେଙ୍ଗାନା କ୍ଷେତ୍ରରେ ଦେଖିବାକୁ ମିଳିଛି । ରାଜ୍ୟ ଗଠନ ହେବା ପରଠାରୁ କ୍ଷମତାରେ ରହି ଆସିଥିବା କେସିଆରଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏଥର କ୍ଷମତାଚ୍ୟୁତ ହୋଇପାରେ । ତେଲେଙ୍ଗାନାରେ କଡା ମୁକାବିଲା ମଧ୍ୟରେ ବିଆରଏସ ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିବା ନେଇ ଆଶା କରାଯାଉଥିଲା । ମାତ୍ର ଏକାଧିକ ଗଣମାଧ୍ୟମ ସଂସ୍ଥା କଂଗ୍ରେସ ଅଧିକ ଆସନ ସଂଖ୍ୟା ବହୁମତ ହାସଲ କରିବାକୁ ଯାଉଥିବା ସଙ୍କେତ ଦେଇଛନ୍ତି ।
ତେଣୁ ଏହି ‘ଏକଜିଟ ପୋଲ’ ଯଦି ‘ଏକଜାଟ ପୋଲ’ରେ ପରିଣତ ହୁଏ, ତେବେ କେସିଆରଙ୍କ ହାଟ୍ରିକ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନରେ ରହିଯିବ । ଅନ୍ୟପଟେ ଏକଜିଟ ପୋଲରେ ଦଳକୁ ବହୁମତ ମିଳୁଥିବା ଜଣାପଡିବା ପରେ କଂଗ୍ରେସ କ୍ୟାମ୍ପ ଉତ୍ସାହିତ ନଜର ଆସିଲାଣି । ଆଜି ଅପରାହ୍ନରେ ଭୋଟ ଦେବା ବେଳେ ପ୍ରଦେଶ କଂଗ୍ରେସ ରିବନ୍ତ ରେଡ୍ଡୀ କେସିଆରଙ୍କୁ ବିଦାୟୀ ମୁଖ୍ୟମନ୍ତ୍ରୀ କହିବା ସହ ରାଜ୍ୟରେ କଂଗ୍ରେସ ଶାସନ ଆରମ୍ଭ ହେବାକୁ ଯାଉଥିବା କହିଥିଲେ । ଏପରିକି 3 ତାରିଖରେ ଜନାଦେଶ ଆସିବା ପରେ 6 ତାରିଖରେ କଂଗ୍ରେସ ସରକାରର ଶପଥଗ୍ରହଣ ଉତ୍ସବ ଆୟୋଜିତ ହେବା ନେଇ ମଧ୍ୟ ତାରିଖ ସ୍ପଷ୍ଟ କରିଥିଲେ ।
କଣ କହୁଛି ଏଥର ଏକଜିଟ ପୋଲ:
ଏକାଧିକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ଏକଜିଟ ପୋଲରେ ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ଆଶ୍ଚର୍ଯ୍ୟଜନକ ଭାବେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଠାରୁ ଆଗରେ ରହିଛି କଂଗ୍ରେସ । ରାଜ୍ୟରେ ମ୍ୟାଜିକ ନମ୍ବର 60 ଥିବା ବେଳେ ଇଣ୍ଡିଆ ଟିଭି -ସିଏନଏକ୍ସ କଂଗ୍ରେସକୁ 63-79 ଆସନ ସହ ସ୍ପଷ୍ଟ ବହୁମତ ମିଳିବା ନେଇ ଆକଳନ କରିଛନ୍ତି । ସେହିପରି ବିଆରଏସ 31-47 ଆସନ ସହ ବହୁମତ ପଛରେ ରହିବା ନେଇ ସଂସ୍ଥା କହିଛି । ସେହିପରି ବିଜେପି ମାତ୍ର 2-4 ଆସନ ଓ MIMIM ପୂର୍ବ ପରି 5- 7 ଆସନ ମଧ୍ଯରେ ସୀମିତ ରହିବା ନେଇଅନୁମାନ କରିଛି ସଂସ୍ଥା । ଜନ କି ବାତ ବିଆରଏସକୁ 40-55 ଓ କଂଗ୍ରେକୁ 48-64, ବିଜେପିକୁ 2-4 ଓ MIMIM କୁ 6-8 ଆସନ ମିଳିବା ନେଇ ଆକଳନ ପ୍ରକାଶ ପାଇଛି । ରିପବ୍ଲିକ ଟିଭି-ମାର୍ଟିଜ କଂଗ୍ରେସକୁ 58-68 ଆସନ, ବିଆରଏସକୁ 46-56 , ବିଜେପିକୁ 5-9 ଓ MIMIM 5-7 ଆସନ ମିଳିବ । ଟିଭି-9 ଭାରତ ବର୍ଷ- ପୋଲଷ୍ଟାର କଂଗ୍ରେସକୁ 49-59 ଆସନ ବିଆରଏସକୁ 48- 58 ଆସନ, ବିଜେପି 5-10 ଓ MIMIM 6-8 ଆସନ ମିଳିବା ନେଇ ଆକଳନ ପ୍ରକାଶ କରିଛି । ପ୍ରାୟ ସମସ୍ତ ଏକଜିଟ ପୋଲରେ କଂଗ୍ରେସ ବହୁମତର ନିକଟତର କିମ୍ବା ସ୍ପଷ୍ଟ ବହୁମତ ପାଇବା ନେଇ ଆକଳନ ପ୍ରକାଶ ପାଇଛି ।