ବେଙ୍ଗାଲୁରୁ:ଟିକେଟ କନ୍ଦଳ ଯୋଗୁ ବିଜେପି ଛାଡି କଂଗ୍ରେସ କ୍ୟାମ୍ପରେ ସାମିଲ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଜଗଦୀଶ ଶେଟ୍ଟରଙ୍କୁ ନେଇ ଚର୍ଚ୍ଚା । ତାଙ୍କର କଂଗ୍ରେସ କ୍ୟାମ୍ପରେ ଏଣ୍ଟ୍ରି ପରେ କଂଗ୍ରେସ ଶିବିର ଏବେ ଉତ୍ସାହିତ । ରାଜ୍ୟରେ ବିଜେପି କାର୍ଡ ପରି ଖସିବାରେ ଲାଗିଛି । ଜଣେ ପରେ ଜଣେ ବଜେପି ନେତା ଦଳ ଛାଡିବାରେ ଲାଗିଛନ୍ତି । ବିଜେପି ଏଥର ସରକାର ଗଠନ କରିପାରିବ ନାହିଁ । ଦଳ ସଷ୍ଟ ବହୁମତରେ ସରକାର ଗଠନ କରିବ ବୋଲି କଂଗ୍ରେସ ଦାବି କରିଛି । ଗତକାଲି ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଥିବା ଶେଟ୍ଟର ଆଜି (ସୋମବାର) ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି ।
ଜଗଦୀଶଙ୍କ ଏପରି ଏଣ୍ଟ୍ରିକୁ ନେଇ କଂଗ୍ରେସ ଶିବିରରେ ବେଶ ଉତ୍ସାହ ଦେଖାଯାଇଛି । ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ଜାତୀୟ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ, କର୍ଣ୍ଣାଟକ ବିରୋଧୀ ଦଳ ନେତା ସିଦ୍ଧରମୈୟା, ପ୍ରଦେଶ କଂଗ୍ରେସ ମୁଖ୍ୟ ଡି.କେ ଶିବ କୁମାରଙ୍କ ସମେତ ଅନ୍ୟ ନେତାଙ୍କ ଗହଣରେ ସେ ଆଜି ହାତ ଧରିଛନ୍ତି । ତାଙ୍କ ଯୋଗଦାନ କଂଗ୍ରେସକୁ ସୁଦୃଢ କରିବା ନେଇ ବିଭିନ୍ନ ଦଳୀୟ ନେତା ମତ ପ୍ରକାଶ କରିଥିଲେ ।
ଶେଟ୍ଟରଙ୍କ କଂଗ୍ରେସ ମିଶ୍ରଣ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ୟାଦ୍ଦିରୋପ୍ପା କହିଥିଲେ, ଜଗଦୀଶ ଯଦି ନିଷ୍ପତ୍ତିରେ ପରିବର୍ତ୍ତନ କରି ଫେରିଆସନ୍ତି, ତେବେ ତାଙ୍କୁ ସ୍ବାଗତ କରାଯିବ । ହେଲେ ଗତକାଲି ଦଳ ଛାଡି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ନେଇ ଅନୁମାନ କରାଯାଉଥିବା ଜଗଦୀଶ ଆଜି କଂଗ୍ରେସରେ ସାମିଲ ହୋଇଥିଲେ । ସେ ସାମିଲ ହେବା ପରେ ବିଜେପି ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛି କଂଗ୍ରେସ ।
ଏହା ମଧ୍ୟ ପଢନ୍ତୁ:-କର୍ଣ୍ଣାଟକ ବିଜେପିରେ ବିଦ୍ରୋହର ଆଭାଷ: ଟିକେଟ ନମିଳିଲେ ଦଳ ବିରୋଧରେ ଲଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର