ବେଙ୍ଗାଲୁରୁ:କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ର ଲଢେଇ ହେଉଛି । ଦୁଇ ଦଳ ପୂର୍ଣ୍ଣ ବହୁମତରେ ସରକାର ଗଠନ ପାଇଁ ଆଶାବାଦୀ ଅଛନ୍ତି । ତେବେ ଏଥର ନିର୍ବାଚନରେ ଖୁବ୍ ଚର୍ଚ୍ଚାରେ ରହିଛି ଦୁଇଟି ଆସନ । ହୁବଲି-ଧାନୱାଦ ମଧ୍ୟ ଏବଂ ଅଥାନି ନିର୍ବାଚନ ମଣ୍ଡଳୀ ଉପରେ ସମସ୍ତଙ୍କ ନଜର ରହିଛି । ଏହାର କାରଣ ହେଉଛି, ଏହି ହାଇପ୍ରୋଫାଇଲ ସିଟ୍ରେ ବିଜେପିକୁ ଟକ୍କର ଦେଉଛନ୍ତି ଏହାର ଦୁଇ ହେଭିୱେଟ ବାଗି ନେତା । ଟିକେଟ ନମିଳିବାରୁ କଂଗ୍ରେସ ହାତ ଧରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ହୁବଲି ଆସନରୁ ଏବଂ ପୂର୍ବ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ଅଥାନିରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ।
ବିଜେପିରୁ ମୁଖ୍ୟମନ୍ତ୍ରୀ ଥିବା ଜଗଦୀଶ ସେଟ୍ଟାର ୧୯୯୯ ଏବଂ ୨୦୧୩ରେ ବିରୋଧି ଦଳ ନେତା ଥିଲେ । ୨୦୦୮ରୁ ୨୦୧୩ରେ ମଧ୍ୟରେ ବାଚସ୍ପଚି ଏବଂ ପରେ ଗ୍ରାମୀଣ ବିକାଶ ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । ସଦାନନ୍ଦ ଗୌଡାଙ୍କ ଇସ୍ତଫା ପରେ ସେଟ୍ଟାର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୩ରେ ତାଙ୍କରି ନେତୃତ୍ବରେ ବିଜେପି ନିର୍ବାଚନ ଲଢିଥିଲା । ହେଲେ ଦଳକୁ ମାତ୍ର ୪୦ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ୨୦୧୮ ନିର୍ବାଚନରେ ଯଦିଓ ଲକ୍ଷ୍ମଣ ସାବଦୀ ହାରି ଯାଇଥିଲେ ତଥାପି ବିଜେପି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିଥିଲା ।