ବେଙ୍ଗାଲୁରୁ:ଭାରତୀୟ ଜନତା ପାର୍ଟି ସରକାର ବିରୋଧରେ 40 ପ୍ରତିଶତ ପିସି କାରବାର ଅଭିଯୋଗକୁ ମୁଦ୍ଦା କରି ନିର୍ବାଚନ ଲଢିଥିଲା କଂଗ୍ରେସ । ଏକକ ବହୁମତରେ ସରକାର ମଧ୍ୟ ଗଠନ କଲା । ହେଲେ କ୍ଷମତାକୁ ଆସିବାର ମାତ୍ର ଦୁଇମାସ ହୋଇନଥିବା ବେଳେ ରାଜ୍ୟର କୃଷି ମନ୍ତ୍ରୀଙ୍କ ନାମରେ ଆସିଲା ପିସି ମାଗିବାର ଅଭିଯୋଗ । ଏହା କୌଣସି ବ୍ୟକ୍ତିବିଶେଷ ନୁହନ୍ତି ବରଂ କୃଷି ବିଭାଗରେ କାର୍ଯ୍ୟରତ ଏକାଧିକ ଅଧିକାରୀ ନିଜ ବିଭାଗୀୟ ମନ୍ତ୍ରୀଙ୍କ ନାମରେ ଲାଞ୍ଚ ମାଗିବା ଅଭିଯୋଗ କରି ରାଜ୍ୟପାଳଙ୍କୁ ଅଭିଯୋଗ କଲେ । ଯାହାକୁ ଅତି ଗମ୍ଭୀରତାର ସହ ନେଇଛି ସିଦ୍ଧରମୈୟା ସରକାର । କୃଷି ମନ୍ତ୍ରୀ ଏନ.ଚାଲୁଭରାୟସ୍ବାମୀଙ୍କ ବିରୋଧରେ CID ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।
ଅଭିଯୋଗ ଅନୁସାରେ ମାଣ୍ଡ୍ଯା ଜିଲ୍ଲାର 7ଜଣ ସହକାରୀ କୃଷି ନିର୍ଦ୍ଦେଶକ ବିଭାଗୀୟ ମନ୍ତ୍ରୀ ଏନ.ଚଲୁଭାରାୟସ୍ୱାମୀଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣି ରାଜ୍ୟପାଳ ଥାଓ୍ବରଚାନ୍ଦ ଗେହେଲଟଙ୍କୁ ପତ୍ର ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମନ୍ତ୍ରୀ ଜିଲ୍ଲା କୃଷି ବିଭାଗରୁ ପ୍ରାୟ 6 ରୁ 7ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ । କୃଷି ବିଭାଗ ଯୁଗ୍ମ ନିର୍ଦ୍ଦେଶକଙ୍କ ଦ୍ବାରା ଜିଲ୍ଲା ସହକାରୀ କୃଷି ନିର୍ଦ୍ଦେଶକଙ୍କୁ ଏହି ରାଶି ପ୍ରଦାନ କରିବା ପାଇଁ ଚାପ ମଧ୍ୟ ପକାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ରାଜ୍ୟପାଳ ଏହି ଅଭିଯୋଗକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମଧ୍ୟ ସେମାନେ ଚିଠିରେ ଉଲ୍ଲେଖ କରିଥିଲେ ।
ସେମାନେ ଅଭିଯୋଗ କରିଛନ୍ତି ଯେ, ବିଭାଗରେ ଏପରି ଲାଞ୍ଚ କାରବାର ନିୟମିତ ଜାରି ରହିଛି । ଏହାକୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସମାନେ ଆତ୍ମହତ୍ୟା ମଧ୍ୟ କରିବାକୁ ପଛାଇବେ ନାହିଁ । ତେବେ ଏପରି ଚମର ଅଭିଯୋଗପତ୍ର ପାଇବା ପରେ ରାଜଭବନ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ନିର୍ଦ୍ଦେଶ ମଧ୍ୟ ମିଳିଛି । ତୁରନ୍ତ ତଦନ୍ତ ଆରମ୍ଭ କରିବା ଓ ଅଭିଯୋଗରେ ସତ୍ୟତା ଥିଲେ ମନ୍ତ୍ରୀ ଓ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟପାଳ ଗେହେଲଟ ନିର୍ଦ୍ଦେଶ ଦେଇଛନ୍ତି ।