ଡେରାଡୁନ: ଏନଟିପିସି (National Thermal Power Corporation Limited) ଦ୍ବାରା ନିର୍ମାଣ ହେଉଥିବା ବିଷ୍ଣୁଗଡ଼ ପ୍ରକଳ୍ପ କାରଣରୁ ଯୋଶୀମଠ ଭୂସ୍ଖଳନ ହୋଇଥିବା ଅଭିଯୋଗ ହେଉଛି । ଏନେଇ ଯୋଶୀମଠ ବଞ୍ଚାଅ ସଂଘର୍ଷ ସମିତି ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏନଟିପିସି ଦ୍ବାରା ଜାରି ରହିଥିବା ବିଷ୍ଣୁଗଡ଼ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରିବାକୁ ଦାବି ହେଉଛି । ଏନେଇ ଯୋଶୀମଠ ନିକଟବର୍ତ୍ତୀ ବିଭିନ୍ନ ଗ୍ରାମର ହଜାରହଜାର ପ୍ରଭାବିତ ଯୋଶୀମଠ ବଞ୍ଚାଅ ସଂଘର୍ଷ ସମିତି ନେତୃତ୍ବରେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି ।
ଏହି ଶୋଭାଯାତ୍ରାରେ ଯୋଗଦେଇ ଯୋଶୀମଠ ବଞ୍ଚାଅ ସଂଘର୍ଷ ସମିତିର ସଦସ୍ୟ ଇନ୍ଦ୍ରେସ ମୈଖୁରୀ ଏହି ବିପର୍ଯ୍ୟୟ ପାଇଁ ଏନଟିପିସିର ବିଷ୍ଣୁଗଡ଼ ପ୍ରକଳ୍ପକୁ ଦାୟୀ କରିଛନ୍ତି । ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସେ ବିଷ୍ଣୁଗଡ଼ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି । ଏହାସହ ସେ ହେଲଙ୍ଗ ମାରୱାରୀ ବାଇପାସର କାମ ବନ୍ଦ କରାଯିବା ପାଇଁ ମଧ୍ୟ ଦାବି କରିଛନ୍ତି । ସେ କହିଛନ୍ତି, "ଯୋଶୀମଠ ବିପର୍ଯ୍ୟୟକୁ ଏତେଦିନ ବିତିଯାଇଥିଲେ ମଧ୍ୟ ସରକାର ପ୍ରଭାବିତଙ୍କୁ ପୁନର୍ବାସ ତଥା ଥଇଥାନ ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏଭଳି ପରିସ୍ଥିତିରେ ଯୋଶୀମଠର ଅସ୍ଥିତ୍ବ ବଞ୍ଚାଇବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ ।" ସେହିଭଳି ଏହି ଶୋଭାଯାତ୍ରାରେ ଶାମିଲ ହୋଇଥିବା ମହିଳାମାନେ କହିଛନ୍ତି, ଯୋଶାମଠ ବିପର୍ଯ୍ୟୟର ଏକମାତ୍ର କାରଣ ହେଉଛି ଏନଟିପିସି । ଆଜି ଏନଟିପିସି କାରଣରୁ ଆମେ ଘରଦ୍ବାର ଛାଡ଼ି ରାଜରାସ୍ତାକୁ ଆସିଛୁ ।