ମୁମ୍ବାଇ:ଦେଶରେ ଖୁବଶୀଘ୍ର 5G ସେବା ଆରମ୍ଭ ହେବା ନେଇ ଆଶା କରାଯାଉଥିବାବେଳେ, ଏନେଇ ବଡ ଘୋଷଣା କରିଛି ଅଗ୍ରଣୀ ଟେଲିକମ କମ୍ପାନୀ ‘ରିଲିଆନ୍ସ’ । ଚଳିତ ଦିଓ୍ବାଲିରୁ ଦେଶରେ ହାଇସ୍ପିଡ 5G ସେବା ଯୋଗାଇବା ଆରମ୍ଭ କରିବ ରିଲିଆନ୍ସ (Reliance to launch Jio 5 G)। 2023 ସୁଦ୍ଧା ସମଗ୍ର ଦେଶକୁ 5G ଟେଲିକମ ସେବା ସହ ଯୋଡିବା ନେଇ କମ୍ପାନୀ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏନେଇ କାର୍ଯ୍ୟ ଆରମ୍ଭ କରିବା ପାଇଁ ସୟାରହୋଲ୍ଡରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରିଲିଆନ୍ସ ମୁଖ୍ୟ ମୁକେଶ ଅମ୍ବାନୀ (Reliance chairman Mukesh Ambani)।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର 45ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି ଅମ୍ବାନୀ ଘୋଷଣା କରିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ଦିଲ୍ଲୀ, ମୁମ୍ବାଇ, କୋଲକାତା ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି । ପରବର୍ତ୍ତୀ ସମୟରେ ଦେଶର ଅନ୍ୟ ସମସ୍ତ ସ୍ଥାନକୁ ସମ୍ପ୍ରସାରଣ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । ଆସନ୍ତା ବର୍ଷ (2023) ଡିସେମ୍ବର ସୁଦ୍ଧା ଦେଶର ସମସ୍ତ ତହସିଲ ଓ ବ୍ଲକରେ ସୁପରଫାଷ୍ଟ 5G ସେବା ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଲକ୍ଷ୍ୟ ଆଜିକୁ ଠିକ 18 ମାସ ବ୍ୟବଧାନ ମଧ୍ୟରେ ସାରିବା ନେଇ ମିଶନ ରହିଥିବା ସଂସ୍ଥା ମୁଖ୍ୟ ଅମ୍ବାନୀ କହିଛନ୍ତି ।