ଜୟପୁର:ଲାଞ୍ଚ ନେଇ ଧରା ପଡିଲେ ରାଜସ୍ଥାନ ଜୟପୁର ମେୟର ମୁନେଶ ଗୁର୍ଜରଙ୍କ ସ୍ବାମୀ । ସ୍ବାମୀଙ୍କ ଗିରଫଦାରୀ ପରେ ମେୟରଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ହେଲେ ଏହାକୁ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ନିଲମ୍ବିତ ହୋଇଥିବା ମେୟର ମୁନେଶ ଗୁର୍ଜର ।
ଅଭିଯୋଗ ଅନୁସାରେ, ମେୟର ମୁନେଶଙ୍କ ସ୍ୱାମୀ ସୁଶୀଲ ଗୁର୍ଜର ଏବଂ ନାରାୟଣ ସିଂ ଏବଂ ଅନିଲ ଦୁବେ ନାମକ ଦୁଇ ଜଣ ଅଭିଯୁକ୍ତ ମଧ୍ୟସ୍ଥି ଜଣେ ବ୍ୟକ୍ତିଙ୍କଠାରୁ ଜମି ପଟ୍ଟା ସମ୍ପର୍କିତ କାର୍ଯ୍ୟ ପାଇଁ ପ୍ରାୟ 2 ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଜଣାପଡ଼ିଥିଲା । ଗତକାଲି ରାତିରେ ରାଜ୍ୟ ଦୁର୍ନୀତି ନିବାରଣ ବ୍ୟୁରୋ ମେୟରଙ୍କ ସ୍ବାମୀଙ୍କ ସମେତ ଏହି 3 ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫଦାରୀ ପରେ ମେୟର ମୁନେଶ ଗୁର୍ଜରଙ୍କ ଘରେ ପୋଲିସ ରେଡ କରିଥିଲା । ଏଥିରେ 40 ଲକ୍ଷ ନଗଦ ଟଙ୍କା ଏବଂ ଜମି ଲିଜ୍ ସମ୍ପର୍କିତ ଫାଇଲ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି ।
ଘଟଣାର ତଦନ୍ତକାରୀ ଅଧିକାରୀ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ସୁଶୀଲ ଗୁର୍ଜରଙ୍କ ସହଯୋଗୀ ନାରାୟଣ ସିଂଙ୍କ ଘରୁ 8 ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ପରେ ମେୟର ମୁନେଶଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସ୍ଥାନୀୟ ସ୍ବୟଂ ଶାସନ ବିଭାଗର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ହ୍ରଦେଶ କୁମାର ଶର୍ମା କହିଛନ୍ତି ଯେ ଏହି ଘଟଣାରେ ମେୟରଙ୍କ ସମ୍ପୃକ୍ତ ଅଭିଯୋଗ ସନ୍ଦେହଜନକ । ତଦନ୍ତ ଆରମ୍ଭ ହୋଇଛି । ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ମେୟରଙ୍କୁ ତାଙ୍କ ପଦରୁ ନିଲମ୍ବିତ କରାଯାଇଛି ।