ଶ୍ରୀନଗର: ମହାମାରୀ କାଳରେ ପ୍ରକୃତିର କରାଳ ରୂପ । ଜମ୍ମୁ କାଶ୍ମୀର କିଶଓ୍ବାର ଜିଲ୍ଲାରେ ବାଦଲ ଫଟା ବର୍ଷାରେ ଏବେ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ନିଖୋଜ ରହିଛନ୍ତି । ଏହାସହ ୧୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ଡୋଡା ଡିଆଇଜି ଉଦୟ ଭାସ୍କର ବିର୍ଲା ସୂଚନା ଦେଇଛନ୍ତି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କରାଯାଇଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।
ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥିବା କିଛି ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଉଦ୍ଧାରକାରୀ ଦଳ ସବୁ ପ୍ରକାର ଉଦ୍ୟମ କରୁଛନ୍ତି । କିନ୍ତୁ ଖରାପ ପାଗ କାରଣରୁ ବିଳମ୍ବ ଘଟୁଛି । ବନ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଲୋକଙ୍କୁ ଜମ୍ମୁ କାଶ୍ମୀର ପ୍ରଶାସନ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ଏହାସହ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଆହତମାନଙ୍କୁ 50,000 ଟଙ୍କାର ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରାଯାଇଛି । ଏବଂ SDRF ପକ୍ଷରୁ ମଧ୍ୟ 12,700 ଟଙ୍କା ମଧ୍ୟ ପ୍ରଦାନ କରାଯିବ ।
ଯେଉଁ ମାନେ ଏହି ବାତ୍ୟାରେ ନିଜର ବାସଗୃହ ହରାଇଛନ୍ତି ସେମାନଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯିବ । ଜାମ୍ମୁ କାଶ୍ମୀର ସରକାର ପ୍ରଭାବିତ ପରିବାରକୁ ସହାୟତା ତଥା ସୁରକ୍ଷା ଦେବା ପାଇଁ ଯଥାସମ୍ଭବ ଉଦ୍ୟମ କରିବେ ବୋଲି ଲେଫ୍ଟନାଣ୍ଟ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି । ସେପଟେ ଜାମ୍ମୁ କାଶ୍ମୀରର ଏଭଳି ସ୍ଥିତି ନେଇ ରାଜ୍ୟପାଳ ମନୋଜ ସିହ୍ନା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ର ଶାସିତ ଅଞ୍ଚଳରେ ଉପୁଜିଥିବା ପରିସ୍ଥିତିର ସମାଧାନ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।