ଶ୍ରୀନଗର:ଜମ୍ମୁ କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ବିରୋଧରେ ସର୍ବୋଚ୍ଚ କୋର୍ଟରେ ହୋଇଥିବା ମାମଲା ଯୁକ୍ତି ବାଢି ନିଲମ୍ବିତ ହୋଇଥିବା ସରକାରୀ ଅଧ୍ୟାପକଙ୍କ ବିରୋଧରେ ଆଜି (ରବିବାର) ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ସ୍ଥାନୀୟ ପ୍ରଶାସନ । ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ନେତୃତ୍ବାଧୀନ ପ୍ରଶାସନ ଏହି ନିଲମ୍ବନ ଜାରି କରିଥିଲା । ଏହାକୁ ନେଇ ସର୍ବୋଚ୍ଚ କୋର୍ଟରେ ମଧ୍ୟ ମାମଲା ହୋଇଥିଲା । ଅଗଷ୍ଟ 25 ତାରିଖରେ ଏହି ଆଦେଶକୁ ପ୍ରତ୍ୟାହାର କରାଯିବା ସହ ଅଧ୍ୟାପକଙ୍କୁ କଲେଜ ଆସିବାକୁ କୁହାଯାଇଛି ।
କାଶ୍ମୀରକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ଧାରା-370 ଏବଂ 35 (A) ଉଚ୍ଛେଦ ପ୍ରତ୍ୟାହାର ଦାବିରେ ସୁପ୍ରିମକୋର୍ଟରେ ଏକାଧିକ ପକ୍ଷ ଚ୍ୟାଲେଞ୍ଜ କରିଥିଲେ । ଏହି ପରିପ୍ରେକ୍ଷୀରେ ଜହୁର ଅହମ୍ମଦ ଭଟ୍ଟ ନାମକ ଏହି ସରକାରୀ ରାଜନୀତି ବିଜ୍ଞାନ ଅଧ୍ୟାପକ ଶୁଣାଣି ସମୟରେ କୋର୍ଟରେ ହାଜର ହୋଇ ନିଜ ଯୁକ୍ତି ବାଢ଼ିଥିଲେ । ସେବା ସର୍ତ୍ତାବଳୀ ଉଲ୍ଲଂଘନ ଅଭିଯୋଗରେ ଏହି ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଥିଲେ ଜମ୍ମୁ-କାଶ୍ମୀର ପ୍ରଶାସନ ।
ଅଧ୍ୟାପକ ଜଣକ ଶ୍ରୀନଗର ସ୍ଥିତ ଜବାହର ନଗର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟାପନା କରୁଥିଲେ । କୋର୍ଟରେ ପକ୍ଷ ରଖିବା ପରେ କର୍ମଚାରୀ (ଆଚରଣ) ଅଧିନିୟମ 1971ର ଉଲଙ୍ଘନ ଅଭିଯୋଗରେ ତାଙ୍କୁ ତୁରନ୍ତ ସେବାରୁ ନିଲମ୍ବିତ କରାଯାଇଥିଲା । ଜମ୍ମୁ-କାଶ୍ମୀରର ସିଭିଲ ସର୍ଭିସେସ୍ ରେଗୁଲେସନ୍ (CSR), ଜମ୍ମୁ-କାଶ୍ମୀର ସରକାରୀ କର୍ମଚାରୀ (ଆଚରଣ) ନିୟମ ୧୯୭୧ ଏବଂ ଜମ୍ମୁ-କାଶ୍ମୀର ଅବକାଶ ନିୟମ ଆଧାରରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।