ହାଇଦ୍ରାବାଦ: ଦୁଇଟି ଦେଶ, ଦୁଇଟି ଧର୍ମ...ଆଉ ଧର୍ମ ପାଇଁ ଯୁଦ୍ଧ । ଜଣେ ଜିତିବା ପାଇଁ ଲଢୁଛି, ଆଉ ଜଣେ ନିଜ ଅସ୍ତିତ୍ବ ବଜାୟ ରଖିବା ପାଇଁ । ଉଭୟ ଦେଶ ନିଜ ନିଜ ଧର୍ମକୁ ସମ୍ବେଦନଶୀଳ, ଯାହା ପରିଶେଷରେ ସଂଘର୍ଷର ରୂପ ନେଇଛି । ଏହା ଆଜି କି କାଲିର କଥା ନୁହେଁ, ବରଂ କଥା ଏହା 19 ଶତାବ୍ଦୀର କଥା । ଯେତେବେଳେ ଗୋଟିଏ ଧର୍ମ ବଞ୍ଚିବା ପାଇଁ ରାହା ଖୋଜୁଥିଲା । ଅବ୍ରାହମ ଧର୍ମରୁ ଜାତ 3 ଟି ମୁଖ୍ୟ ଧର୍ମ-ଇହୁଦୀ ଧର୍ମ, ଇଶାଇ(ଖ୍ରୀଷ୍ଟିଆନ୍), ଇସଲାମ । କୁହାଯାଏ, ଇହୁଦୀ ପରେ ଇସାଇ ଓ ଇସାଇରୁ ଇସଲାମର ଜନ୍ମ । ଆମ ବିଶ୍ବରେ ଇସଲାମ ଓ ଇସାଇଙ୍କ ସଂଖ୍ୟା ସର୍ବାଧିକ । ସମୟ ଥିଲା ଯେତେବେଳେ ଇହୁଦୀ ସର୍ବବ୍ୟାପୀ ଥିଲେ ମାତ୍ର କାଳକ୍ରମେ ସେମାନଙ୍କ ବଂଶ ଲୋପ ପାଇବାକୁ ବସିଲା ଆଉ ବଳିଗଲା କେବଳ ଇସ୍ରାଏଲ୍ । ଏବେ ଇସ୍ରାଏଲ୍ ଉପରେ ମଧ୍ୟ ଆରବ ଦେଶର ନଜର । ଆରବ ଦେଶ ମଧ୍ୟରେ ପାଲେଷ୍ଟାଇନ ଗୋଟିଏ ଦେଶ ଆଉ ଇସ୍ରାଏଲ-ପାଲେଷ୍ଟାଇନ୍ ଆଜି ଆମ ଆଲୋଚନାର ବିଷୟ ।
ଧର୍ମ ଓ ଧାର୍ମିକ ବିଶ୍ବାସ ନେଇ ଯଦି ଦୁଇ ଦେଶ ବିଷୟରେ ଆଲୋଚନା କରିବା ତେବେ ତାହା ଗୋଟେ ଅଲଗା ଅଧ୍ୟାୟ ହେବ । ତେଣୁ ଆମେ ଦେଶର ଉଦଭାବନରୁ ଆଲୋଚନା କରିବା । 10 ଶତାବ୍ଦୀରେ ରୁଷିଆ-ୟୁରୋପରେ ଆଣ୍ଟି ସେମିଟିଜିମ୍ ଓ ଜିଙ୍ଗୋଇଜିମ ବଢିବାକୁ ଲାଗିଲା । ଆଣ୍ଟି ସେମିଟିଜିମର ଅର୍ଥ ଇହୁଦୀଙ୍କ ସମୂଳେ ନାଶ । ଧିରେ ଧିର ଏହି ପ୍ରତିବାଦ ଇହୁଦୀଙ୍କୁ ଅତ୍ୟାଚାର କରିବା ଆରମ୍ଭ କଲା ତେଣୁ ସେମାନେ ପ୍ରାଣ ବଞ୍ଚାଇବା ପାଇଁ ପାଲେଷ୍ଟାଇନ ଅଭିମୁଖେ ଯାତ୍ରା କରିବା ଆରମ୍ଭ କଲେ । 1881-1884 ମଧ୍ୟରେ ରୁଷିଆରେ ଇହୁଦୀଙ୍କ ବିରୋଧରେ କାର୍ଯ୍ୟକଳାପ ତୀବ୍ର ହେବାରେ ଲାଗିଲା । ଖାଲି ରୁଷ୍ ନୁହେଁ ସେତେବେଳେ ଜର୍ମାନୀର ହିଟଲର୍ ଶାସନ ମଧ୍ୟ କୌଣସି ଗୁଣରେ କମ୍ ନଥିଲା । ଇହୁଦୀଙ୍କୁ ସେମାନେ ଏତେ ଘୃଣା କରୁଥିଲେ ଯେ, ଟ୍ରେନରେ ଲକ୍ଷ ଲକ୍ଷ ଇହୁଦୀଙ୍କୁ ଆଣି ଗ୍ୟାସ ଚାମ୍ବରକୁ ଠେଲି ଦେଉଥିଲେ । ଗ୍ୟାସ ଚାମ୍ବରରେ ଉଚ୍ଚ ତାପମାତ୍ରାରେ ବିଶାକ୍ତ ଗ୍ୟାସ ଥାଏ, ଯାହା ଇହୁଦୀଙ୍କୁ 5 ମିନିଟ ବି ନିଶ୍ବାସ ନେବାକୁ ଦିଏନି । ଏମିତି କରି ହିଟଲର୍ ପ୍ରାୟ 80 ଲକ୍ଷ ଇହୁଦୀଙ୍କ ହତ୍ୟା କରିଛି ।
1917 ପ୍ରଥମ ବିଶ୍ବ ଯୁଦ୍ଧରେ ବ୍ରିଟିସରମାନେ ପାଲେଷ୍ଟାଇନକୁ ଓଟୋମୋନ ଟର୍କୋମୋନ୍ ଶାସନରୁ ମୁକ୍ତ କରି ନିଜ ଅକ୍ତିଆରକୁ ଆଣିଲେ ଆଉ ସେମାନେ ଇହୁଦୀଙ୍କ ପାଇଁ ଗଢିବାକୁ ଚାହିଁଲେ ଦେଶ ଭିତରେ ଆଉ ଗୋଟେ ଦେଶ । ପାଲେଷ୍ଟାଇନ ମଧ୍ୟରେ ଇସ୍ରାଏଲ ଗଠନ ନେଇ ବ୍ରିଟିଶର ଆଣିଲେ ବାଲଫୋର୍ ଡିକଲାରେସନ୍( Balfour declaration) ମାତ୍ର 1919ରେ ପାଲେଷ୍ଟାଇନ୍ ଏହାକୁ ବିରୋଧ କଲା ତ' କିଛି ସମୟ ପାଇଁ ଦେଶ ଗଠନକୁ ସ୍ଥଗିତ ରଖାଗଲା । ତେବେ ପୁଣି 1922ରେ ସଂଯୁକ୍ତ ରାଷ୍ଟ୍ରର ପୂର୍ବତନ ଷ୍ଟ୍ରକଚର୍ ଲିଗ୍ ନେସନ୍ ପୁଣି ଏହି ମାମଲାକୁ ଅଫିସିଆଲି ସମର୍ଥନ କରିବା ଆରମ୍ଭ କଲା । 1936 ବେଳକୁ ପ୍ରାୟ ସମସ୍ତ ଆରବ ଦେଶ ଇସ୍ରାଏଲ୍ ଗଠନ ବିରୋଧରେ ଏକାଠି ହୋଇଗଲେ ଓ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଦେଲେ ମାତ୍ର 1939 ବେଳକୁ ବ୍ରିଟିଶର ଏହାକୁ ଦମନ କରିସାରିଥିଲେ । ଅନେକ ବାଦ ବିବାଦ ପରେ ଶେଷରେ 1948 ବେଳକୁ ଗଠିତ ହେଲା ଇସ୍ରାଏଲ୍ । ସଂଯୁକ୍ତ ରାଷ୍ଟ୍ର ରିଜୋଲେସନ୍ 181 ରେ ପାଲେଷ୍ଟାଇନରୁ ଇହୁଦୀ ଆଉ ଆରବ ଦେଶ ମଧ୍ୟରେ ବାଣ୍ଟିଦେଲେ । ଏ ସବୁ ମଧ୍ୟରେ ଗୁରୁତ୍ବ ବହନ କରୁଥିବା ଜେରୁଜେଲମକୁ ସଂଯୁକ୍ତ ରାଷ୍ଟ୍ର ନିଜ କବଜାରେ ରଖିଲା ।
ଛୋଟିଆ ଦେଶଟିଏ ଇସ୍ରାଏଲ୍, ଲୋକ ସଂଖ୍ୟା ବି ବହୁତ କମ୍ ମାତ୍ର ସେମାନଙ୍କ ଏକତା ସେମାନଙ୍କୁ ଆତ୍ମନିର୍ଭର କରିପାରିଛି । ଆଉ ଏହି ଆତ୍ମନିର୍ଭରର ପ୍ରମାଣ ସେମାନେ ପ୍ରତ୍ୟେକ ଥର ଯୁଦ୍ଧରେ ଦେଖାଇ ଦେଇଛନ୍ତି । ଇସ୍ରାଏଲ ଗଠିତ ହେବା ପରେ ପ୍ରଥମେ ଆରବ ଦେଶ ଓ ଇସ୍ରାଏଲ୍ ମଧ୍ୟରେ 8 ମାସର ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧ ଚାଲିବା ମଧ୍ୟରେ ପ୍ରାୟ 7 ଲକ୍ଷରୁ ଉର୍ଦ୍ଧ୍ବ ପାଲେଷ୍ଟାଇନ ବାସିନ୍ଦା ୱେଷ୍ଟ ବ୍ୟାଙ୍କ, ଗାଜା ଓ ପଡୋଶୀ ଆରବ ଦେଶକୁ ସ୍ଥାନାନ୍ତିରତ ହୋଇଗଲେ । ପୁଣି 1967ରେ ଆଉ ଏକ 6 ଦିନିଆ ଯୁଦ୍ଧରେ ଇସ୍ରାଏଲ୍ ଏକୁଟିଆ ଇଜିପ୍ଟ, ଜୋରଦାନ, ସିରିଆକୁ ହରାଇଥିଲା । ଆଉ ପାଲେଷ୍ଟାଇନ ମଧ୍ୟରେ ଥିବା ୱେଷ୍ଟ ବ୍ୟାଙ୍କ, ଗାଜା, ଗୋଲାନ୍ ହାଇଟକୁ ଅକ୍ତିଆର କରିଥିଲା । ଏତେ ପରେ ବି ଆରବ ଦେଶ ପୁଣି 1973ରେ ଇସ୍ରାଏଲ ଉପରେ ଆକ୍ରମଣ କଲା ଆଉ ପରାସ୍ତ ହେଲା । ପାଲେଷ୍ଟାଇନ ସେନାକୁ ଜବାବ ଦେବା ପାଇଁ ଇସ୍ରାଏଲ ଲେବାନନ୍ ଉପରେ ଆକ୍ରମଣ କଲା ।
ସେପଟେ 1987-1993ରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଶାନ୍ତି ଚୁକ୍ତି ହେଲା ମାତ୍ର ତାହା ମଧ୍ୟ ବିଫଳ ହେଲା । ଏହାପରେ ପିଏଲଓ( ପାଲେଷ୍ଟାଇନ ଲିବେରେସନ୍ ଅର୍ଗାନାଇଜେସନ୍) ମୁଖ୍ୟ ୟସୀର ଅରଫାତ ଗାଜା ଓ ଜେରିକୋରେ ଜବରଦସ୍ତି ଶାସନ ଆରମ୍ଭ କଲେ । ମାତ୍ର ସଂଘର୍ଷ ସେବେ ବଢିଲା ଯେତେବେଳେ ଧାର୍ମିକ ଭାବନାକୁ ଆଘାତ ଲାଗିବା ଆରମ୍ଭ ହେଲା । ଇସ୍ରାଏଲର ଦକ୍ଷିଣପନ୍ଥୀ ନେତା ଏରିୟର ଶାରୋନ୍ ଜେରୁଜେଲମ ସ୍ଥିତି ମୁସଲମାନଙ୍କ ତୃତୀୟ ସବୁଠାରୁ ପବିତ୍ର ସ୍ଥାନ ଅଲ-ଅସ୍କା ମସଜିଦରେ ପ୍ରବେଶ କଲେ । ଅଲ-ଅସ୍କା ମସଜିଦ ପୂର୍ବ ଜେରୁଜେଲମର ଟେମ୍ପଲ ମାଉଣ୍ଟରେ ଅବସ୍ଥିତ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ଉଭୟ ଇହୁଦୀ ଆଉ ଇସଲାମଙ୍କ ପାଇଁ ଧର୍ମୀୟ ସ୍ଥଳୀ, ଯାହା ଉଭୟ ଦେଶର ସଂଘର୍ଷର ଏକ ପ୍ରମୁଖ କାରଣ ।