ଶ୍ରୀନଗର:ପୁଣି ସୀମାରେ ଆତଙ୍କୀ ଓ ସୁରକ୍ଷାକର୍ମୀ ମୁହାମୁହିଁ । ଜମ୍ମୁ କାଶ୍ମୀର ଅନନ୍ତନାଗର ଶ୍ରୀଗୁଫାୱାର ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଆଇଏସଜେକେର (Islamic State of Jammu and Kashmir)ର ଜଣେ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବଳୟ ।
ଜାମ୍ମୁ-କାଶ୍ମୀର ପୋଲିସ ଇନସପେକ୍ଟର ଜେନେରାଲଙ୍କ ସୂଚନା ଅନୁସାରେ ମୃତ ଆତଙ୍କୀ ବିଜବେହାର ପୋଲିସ ଷ୍ଟେସନରେ ଆଇଏସଆଇ ମହଦ ଅସରଫଙ୍କ ହତ୍ୟା କରିବାରେ ସାମିଲ ଥିଲା । ନିପାତ ଆତଙ୍କୀ ଜଣକ ହେଲା କୋଡିପୋରା ଅଞ୍ଚଳର ଫହିମ ଭଟ ବୋଲି ଜଣାପଡିଛି । ଘେରା ବନ୍ଦୀ କରି ପୋଲିସ, ସିଆରପିଏଫ ଓ ସୁରକ୍ଷାବାହିନୀଙ୍କ ମିଳିତ ଅପରେସନ ଜାରି ରହିଛି । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଆତଙ୍କ ସୃଷ୍ଟି କରୁଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ଏବେ ଭାରତରେ ତା’ର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରିଛି । ତାର ଯୋଜନାକୁ ପଣ୍ଡ କରିବାକୁ ଶପଥ ନେଇଛି ଭାରତୀୟ ସେନା ।