ହାଇଦ୍ରାବାଦ: ନାରୀ ରୂପରେ ଶକ୍ତି ସ୍ବରୂପେଣି । ଅସମୀମ ଧୌର୍ଯ୍ୟ ଓ ସାମର୍ଥ୍ୟ ଓ ସହନଶକ୍ତିର ସେ ପୂଜାରଣୀ । ସେ ରକ୍ଷତା ପୁଣି ସଂହାରକର୍ତ୍ତା । ସବୁ ସମ୍ପର୍କର ମୂଳଦୁଆ ଜଣେ ନାରୀ । ସେ ମା’, ଜନନୀ, ଭଗିନୀ, ଜାୟା ରୂପରେ ନିଭାଏ ଅସଂଖ୍ୟ ଚରିତ୍ର । ମା ରୂପରେ ମମତାମୟୀ, ତ ଭଗିନୀ ହୋଇ ସ୍ନେହୀ ....ପୁଣି ଜାୟା ହୋଇ ବାଣ୍ଟେ ସୁଖଦୁଃଖ । ଆଜି ସେହି ନାରୀକୁ ସଲାମ ଜଣାଉଛି ସାରା ବିଶ୍ବ । ଆଉ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ ।
ଜାତିସଂଘ ପକ୍ଷରୁ 1975 ମସିହା ଠାରୁ ପ୍ରତିବର୍ଷ ଆଜିର ତାରିଖ ଅର୍ଥାତ ମାର୍ଚ୍ଚ 8 କୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଅଛି । ମହିଳାଙ୍କୁ ସମ୍ମାନ, ସମାନତା ଦେବା ସହ ଲିଙ୍ଗଗତ ବୈଷମ୍ୟ ଓ ରଙ୍ଗଭେଦ ଦୂରୀକରଣ କରି ସେମାନଙ୍କୁ ସାମାଜିକ, ସାଂସ୍କୃତିକ, ରାଜନୈତିକ କ୍ଷେତ୍ରରେ ପ୍ରାଧାନ୍ୟ ଦେବା ଏହି ଦିବସର ମୂଳ ଲକ୍ଷ୍ୟ । ବାଇଗଣୀ ରିବନ ଏହି ଦିନର ପ୍ରତୀକ ।
ଚଳିତ ବର୍ଷ ମହିଳା ଦିବସର ଥିମ ବା ଉଦ୍ଦେଶ୍ୟ ରହିଛି ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରିବା। ଯେଉଁଥିରେ ଲିଙ୍ଗଗତ ବୈଷମ୍ୟତା ଓ ଅସମାନତାକୁ ଚ୍ୟାଲେଞ୍ଜ କରି ଏଥିରେ ପରିବର୍ତ୍ତନ ଆଣିପାରିବେ । ମହିଳାଙ୍କ ସଫଳତାକୁ ଏକ ଉତ୍ସବ ଭାବେ ମନାଇବା । ଏହା ଦ୍ବାରା ନୂଆ ବିଶ୍ବ ସୃଷ୍ଟି କରିବା । ଚ୍ୟାଲେଞ୍ଜ ଗ୍ରହଣ କରିବା ଦ୍ବାରା ପରିବର୍ତ୍ତନ ଆସେ, ତେଣୁ ସବୁ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ଜରୁରୀ ।