ନୂଆଦିଲ୍ଲୀ: ନୌସେନାକୁ ମିଳିବ ବଳ । ସମୁଦ୍ରରେ ଶତ୍ରୁ ହେବ ଚିତପଟ୍ଟାଙ୍ଗ । ଆଜି (ରବିବାର) ଭାରତୀୟ ନୌସେନାରେ ସାମିଲ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ ମୋର୍ମୁଗାଓ (INS Mormugao) । ସମୁଦ୍ର ପଥରେ ଶତ୍ରୁକୁ ମାତ୍ ଦେବ ଏହି ପି15ବି ଷ୍ଟିଲଥ ମିଶାଇଲ ବିଧ୍ବଂସକାରୀ ଯୁଦ୍ଧଜାହାଜ । ଭାରତ ମହାସାଗରରେ ଚୀନର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ ଆଇଏନଏସ ମୋର୍ମୁଗାଓ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୌସେନା ଡକୟାର୍ଡ ମୁମ୍ବାଇରେ ଏହାକୁ ନୌସେନାରେ ସାମିଲ କରାଇବେ ।
ଏହି ଯୁଦ୍ଧପୋତରେ ସେନ୍ସର, ଆଧୁନିକ ରାଡାର ଏବଂ ସଠିକ ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର ପ୍ରଣାଳୀର ବ୍ୟବସ୍ଥା ରହିଛି । 163 ମିଟର ଲମ୍ବ ଓ 17ମିଟର ପ୍ରସ୍ଥ ବିଶିଷ୍ଟ ଏହି ଯୁଦ୍ଧପୋତକୁ ଜଳବତରଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପଶ୍ଚିମ ତଟସ୍ଥିତ ଐତିହାସିକ ଗୋଆର ବନ୍ଦର ନଗରୀ ମାରର୍ମୁରାଓର ନାମ ଅନୁଯାୟୀ ଏହି ଯୁଦ୍ଧପୋତର ନାମକରଣ କରାଯାଇଛି । ଆତ୍ମନିର୍ଭର ଭାରତ ଅଭିଯାନ ଅନୁଯାୟୀ ସ୍ବଦେଶୀ ମୋର୍ମୁଗାଓକୁ ଭାରତୀୟ ନୌସେନା ଡିଜାଇନ ଦ୍ବାରା ନିର୍ମାଣ କରାଯାଇଛି । ମାଜଗାନ୍ ଡକ ସିପିଆନ ଲିମିଟେଡ ଦ୍ବାରା ଏହା ନିର୍ମିତ ହୋଇଛି ।