ଭୋପାଲ:ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ କୋଚିଂ ସେଣ୍ଟରର ଶିକ୍ଷକଙ୍କୁ ଉଲଗ୍ନ କରି ରାସ୍ତାରେ ମାଡ଼ ମରାଯାଇଛି । ଅଭିଯୋଗ ଆଣିଥିବା ଛାତ୍ରୀଙ୍କର ପରିବାର ଓ ସମ୍ପର୍କୀୟ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏପରି ଏକ ଅଭାବନୀୟ ଘଟଣା ମଧ୍ୟ ପ୍ରଦେଶ ଇନ୍ଦୋରରେ ଦେଖିବାକୁ ମିଳିଛି । ଏବେ ପୋଲିସ ଭାଇରାଲ ଭିଡିଓ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି । ତାକୁ ମଧ୍ୟ ଚିହ୍ନଟ କରାଯାଇ ସାରିଛି । ଖୁବଶୀଘ୍ର ଗିରଫ କରାଯିବା ନେଇ ପୋଲିସ କହିଛି ।
ଘଟଣାଟିଇନ୍ଦୋର ସହରର ଟୁକୁଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ଦୁଇଜଣ କୋଚିଂ ଶିକ୍ଷକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଆସୁଥିବା ଅଭିଯୋଗ ହୋଇଥିଲା । ଏପରି କାଣ୍ଡର ଶିକାର ହୋଇଥିବା ଅଭିଯୋଗରେ ଛାତ୍ରୀଜଣକ ନିଜ ପରିବାର ସଦସ୍ୟଙ୍କୁ କହିଥିଲେ । ଏହା ପରେ କ୍ରୋଧିତ ପରିବାର ସଦସ୍ୟ କୋଚିଂ ସେଣ୍ଟରରେ ପହଞ୍ଚି ଜଣେ ଶିକ୍ଷକଙ୍କୁ ଉଲଗ୍ନ କରି ମାଡ଼ ମାରିଥିଲେ । କୋଚିଂ ସେଣ୍ଟର ସମ୍ମୁଖରେ ବେଶ କିଛି ସମୟ ଧରି ଶିକ୍ଷକଜଣଙ୍କୁ ମାଡ ମରାଯାଇଥିଲା । ପରେ ଖବର ପାଇ ପୋଲିସ ପହଞ୍ଚି ସେମାନଙ୍କୁ ଉତ୍ୟକ୍ତ ଲୋକଙ୍କଠାରୁ ଶିକ୍ଷକଙ୍କୁ ଉଦ୍ଧାର କରି ହେପାଜତକୁ ନେଇଥିଲା । ଏହା ପରେ ଭାଇରାଲ ଭିଡିଓ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଏବେ ସୁଦ୍ଧା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।