ବାଂଲାଦେଶ ପ୍ରତିଷ୍ଠା ଦିବସ ଅବସରରେ ଭାରତକୁ କୃତଜ୍ଞତା ଜଣାଇ ଶେଖ୍ ମୁଜିବୁର ରେହମନ ଦେଇଥିବା ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ‘ଭାରତୀୟ ଯବାନମାନେ ଆମ ପାଇଁ ସେମାନଙ୍କ ଜୀବନ ଦେଇଛନ୍ତି । ସେମାନଙ୍କର ଏହି ଅବଦାନକୁ ମୋ ଦେଶବାସୀ ସବୁଦିନ ପାଇଁ ମନେ ରଖିବେ।’ ବାଂଲାଦେଶର ଏହି ଜନକଙ୍କୁ ମହାତ୍ମା ଗାନ୍ଧି ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ବାଂଲାଦେଶ ଗସ୍ତ ଐତିହାସିକ ଥିଲା ।
କେବଳ ଏକ ପଡ଼ୋଶୀ ରାଷ୍ଟ୍ର ନୁହେଁ, ଏଥିସହିତ ଐତିହାସିକ, ସାମାଜିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଆଦି ପ୍ରତ୍ୟେକ କ୍ଷେତ୍ରରେ ଭାରତ ସହିତ ବାଂଲାଦେଶର ବହୁ ଯୁଗର ସମ୍ପର୍କ ରହି ଆସିଛି । ବାଂଲାଦେଶ ମୁକ୍ତି ସଂଗ୍ରାମ ପ୍ରମାଣିତ କରି ଦେଇଛି ଯେ, ଏକ ରାଷ୍ଟ୍ର ଧର୍ମ ତୁଳନାରେ ଭାଷାଗତ ଦୃଷ୍ଟିରୁ ଅଧିକ ନିବିଡ଼ । ବାଂଲାଦେଶ ସୃଷ୍ଟି ପଛରେ ଅନ୍ତର୍ଜାତୀୟ ମାତୃଭାଷା ଦିବସର ଉତ୍ସାହ ରହିଛି । ଏକ ସ୍ବାଧୀନ ରାଷ୍ଟ୍ର ଗଠନ ସମୟରେ ଏହାର ଦୁର୍ବଳ ଅର୍ଥନୀତି କାରଣରୁ ତତ୍କାଳୀନ ଆମେରିକା ବୈଦେଶିକ ମନ୍ତ୍ରୀ ହେନରୀ କିସିଙ୍ଗର ଏହାକୁ ଏକ ‘ବାସ୍କେଟ୍ କେସ୍’ ସହ ତୁଳନା କରି ଉପହାସ କରିଥିଲେ । କିନ୍ତୁ ଆଜି ବାଂଲାଦେଶ ସବୁ କ୍ଷେତ୍ରରେ ପାକିସ୍ତାନକୁ ଟପି ଯାଇଛି । ସୁତରାଂ ବାସ୍ତବରେ ବାଂଲାଦେଶ ପାଇଁ ଏହା ଏକ ସୁବର୍ଣ୍ଣ ଜୟନ୍ତୀର ବର୍ଷ ।
ଅନେକ ଉତଥାନ ଓ ପତନ ପରେ 1975ରେ ଇନ୍ଦିରା ଗାନ୍ଧି ଏବଂ ମୁଜିବୁର ରେହମନଙ୍କ ମଧ୍ୟରେ ଭାରତ-ବାଂଲାଦେଶ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଶରଣାର୍ଥୀ ସମ୍ପର୍କୀତ ସମସ୍ୟା, ନଦୀ ଜଳ ବିବାଦ, ସୀମା ବିବାଦ ଏବଂ ସୀମାରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଆଦି ଯେତେ ସବୁ ପ୍ରସଙ୍ଗ ବାଂଲାଦେଶ ସମ୍ମୁଖୀନ ହୋଇଥିଲା ସେସବୁକୁ କେନ୍ଦ୍ର କରି ଭାରତ ଓ ବାଂଲାଦେଶ ମଧ୍ୟରେ ଦୂରତା ବଢିବାକୁ ଲାଗିଥିଲା । ବାଂଲାଦେଶ ଭିତରେ କିଛି ଭାରତ ବିରୋଧୀ ଗୋଷ୍ଠୀର ଅପପ୍ରଚାର ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପ୍ରତିକୂଳ ପ୍ରଭାବ ପକାଇଥିଲା । ବାଂଲାଦେଶର ସାମରିକ ଶାସନର ଅବସାନ ପରେ ଗଣତନ୍ତ୍ର ବ୍ୟବସ୍ଥା ସ୍ଥାପନ ହେବା ସହିତ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଥିବା ଭୁଲ ବୁଝାମଣା ଧୀରେ ଧୀରେ ଦୂର ହେଉଛି । 2015ରେ ଜମି ବିବାଦର ସ୍ଥାୟୀ ସମାଧାନ ହୋଇଥିଲା। ଯଦି ଦଶ ବର୍ଷ ତଳର ପୁରୁଣା ତିସ୍ତା ନଦୀ ଜଳ ଆବଣ୍ଟନ ଚୁକ୍ତି କାର୍ଯ୍ୟକାରୀ ହୁଏ ତେବେ ଉପମହାଦେଶରେ ବିକାଶର ଏକ ନୂଆ ଇତିହାସ ସୃଷ୍ଟି ହେବ ।