ନୂଆଦିଲ୍ଲୀ: ‘‘ମୋ ବାପାଙ୍କୁ କେନ୍ଦ୍ର ସଚିବ ପଦରୁ ବିଦା କରି ଦେଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । 1980 ରେ ଇନ୍ଦିରା କ୍ଷମତାକୁ ଫେରିବା ପରେ ମୋ ବାପାଙ୍କୁ କେନ୍ଦ୍ର ପ୍ରତିରକ୍ଷା ଉତ୍ପାଦନ ସଚିବ ପଦରୁ ହଟାଇ ଦେଇଥିଲେ । ପରେ ତାଙ୍କ ପୁଅ ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳରେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଥିଲା । ତାଙ୍କ ପରିବର୍ତ୍ତେ ଜଣେ କନିଷ୍ଠ ଅଧିକାରୀଙ୍କୁ କେନ୍ଦ୍ର ସଚିବ ଭାବେ ନିଯୁକ୍ତି ମିଳିଥିଲା ।’’ ନିଜ ପିତାଙ୍କ ଜୀବନ ସମ୍ପର୍କରେ ଏପରି ତଥ୍ୟ ପ୍ରକାଶ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।
ଆଜି (ମଙ୍ଗଳବାର) ଜାତୀୟ ଖବର ସରବରାହ ସଂସ୍ଥା ANI ସହ ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ଏପରି ସୂଚନା ଦେଇଛନ୍ତି କୂଟନିତୀଜ୍ଞରୁ ବୈଦେଶିକ ମନ୍ତ୍ରୀ ହୋଇଥିବା ଡ ଏସ.ଜୟଶଙ୍କର । ଜୟଶଙ୍କରଙ୍କ ପିତା ଡ. ସୁବ୍ରମଣ୍ୟମ ମଧ୍ୟ ଜଣେ ସର୍ବାଭାରତୀୟ ଅଧିକାରୀ ଥିଲେ । ହେଲେ 1980 ରେ ପୁଣି ଥରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କେନ୍ଦ୍ରରେ କ୍ଷମତାକୁ ଫେରିବା ପରେ ତାଙ୍କୁ ପଦରୁ ହଟାଇ ଦେଇଥିଲେ ।
ଆଜି ANI କୁ ଦେଇଥିବା ସାକ୍ଷାତକାରରେ ଜୟଶଙ୍କର କହିଛନ୍ତି, ‘‘ ମୁଁ ଜଣେ ଉତ୍ତମ ବିଦେଶ ସେବା ଅଧିକାରୀ ହେବାକୁ ଇଚ୍ଛୁକ ଥିଲି । ବୈଦେଶିକ ସଚିବ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିବା ମୋର ଇଚ୍ଛା ଥିଲା । ମୋର ପିତା ମଧ୍ୟ ଜଣେ ସର୍ବଭାରତୀୟ ଅଧିକାରୀ ଥିଲେ । ସେ 1979 ରେ ଗଠନ ହୋଇଥିବା ଜନତା ଦଳ ସରକାରରେ ସର୍ବକନିଷ୍ଠ କେନ୍ଦ୍ର ସଚିବ ଭାବେ ଅବସ୍ଥାପିତ ହୋଇଥିଲେ । 1980 ରେ କେନ୍ଦ୍ର ପ୍ରତିରକ୍ଷା ଉତ୍ପାଦନ ସଚିବ ଭାବେ ନିଯୁକ୍ତି ପାଇଲେ । ହେଲେ 1980 ରେ ଇନ୍ଦିରା ଗାନ୍ଧୀ ପୁଣି କ୍ଷମତାକୁ ଫେରିବା ପରେ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା । ଇନ୍ଦାରଙ୍କ କ୍ଷମତାକୁ ଫେରିବା ପରେ ପ୍ରଥମ ସଚିବ ଭାବେ ତାଙ୍କୁ ହିଁ ଦାୟିତ୍ବ ହରାଇବାକୁ ପଡିଥିଲା । ସେ ମନ୍ତ୍ରଣାଳୟରେ ସର୍ବାଧିକ ଅଭିଜ୍ଞ ବ୍ୟକ୍ତି ଥିବା ତାଙ୍କ ସହକର୍ମୀ ମାନେ କରୁଥିଲେ ।’’
ତେବେ ତାଙ୍କୁ ପଦରୁ ହଟାଯିବା ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ କରିନାହାନ୍ତି ଜୟଶଙ୍କର । ତାଙ୍କ ପିତା ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ । ଏହି କାରଣରୁ ହୁଏତ ତାଙ୍କ ସହ ଏପରି ହୋଇଥାଇପାରେ ବୋଲି ଜୟଶଙ୍କର କହିଛନ୍ତି । ପରେ ସେ କେବେ ସଚିବ ହୋଇନଥିଲେ । ଇନ୍ଦିରାଙ୍କ ପରେ ରାଜୀବ ଗାନ୍ଧୀଙ୍କ ସରକାରରେ ମଧ୍ୟ ତାଙ୍କୁ ଉଚିତ ଗୁରୁତ୍ବ ମିଳିନଥିଲା । ତାଙ୍କ ଠାରୁ କନିଷ୍ଠ ଜଣେ ଅଧିକାରୀଙ୍କୁ ସଚିବ ପଦରେ ନିଯୁକ୍ତ କରାଯାଇଥିଲା । ଯେତେବେଳେ ତାଙ୍କ ବଡ ଭାଇ ସଚିବ ହେଲେ ତାଙ୍କ ପିତା ସର୍ବାଧିକ ଖୁସି ଥିଲେ । ପିତାଙ୍କ ଦେହାନ୍ତ ପରେ ସେ ମଧ୍ୟ କେନ୍ଦ୍ର ସଚିବ ହେଲେ ବୋଲି ଜୟଶଙ୍କର କହିଛନ୍ତି ।
2015 ରୁ 2018 ପର୍ଯ୍ୟନ୍ତ ବୈଦେଶିକ ସଚିବ ଭାବେ କାର୍ଯ୍ୟ କରିଥିଲେ ଜୟଶଙ୍କର । କୂଟନୀତିରେ ତାଙ୍କର ଅତ୍ୟନ୍ତ କୁଶଳତା କାରଣରୁ ତାଙ୍କୁ ବୈଦେଶିକ ବିଭାଗର ମନ୍ତ୍ରୀ ଭାବେ 2019 ରେ ଗଠିତ ନରେନ୍ଦ୍ର ମୋଦି ଦ୍ବିତୀୟ ପାଳିରେ ଦାୟିତ୍ବ ମିଳିଥିଲା । ତେବେ ସକ୍ରିୟ ରାଜନୀତିକୁ ନଆସି ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଦେଶିକ ମନ୍ତ୍ରଣାଳୟ ପାଇଥିବା ଜୟଶଙ୍କର ଦେଶର ଜଣେ ଜଣାଶୁଣା କୂଟନୀତିଜ୍ଞ । ତାଙ୍କ ପିତା ଡ. ସୁବ୍ରମଣ୍ୟମ ମଧ୍ୟ ସ୍ବାଧୀନତା ପରବର୍ତ୍ତୀ ସମୟରେ ଜଣେ ପ୍ରଖ୍ୟାତ ଜାତୀୟ ସୁରକ୍ଷା ରଣନୀତିକାର ଥିଲେ । 2011 ରେ ତାଙ୍କର ଦେହାନ୍ତ ହୋଇଥିଲା ।
ସେହିପରି ସେ ମୋଦି 2.0 ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ଓ ଗୁରୁତ୍ବପୂର୍ଣ୍ଣ ବୈଦେଶିକ ମନ୍ତ୍ରଣାଳୟ ସମ୍ଭାଳିବା ନେଇ ତାଙ୍କ ନିକଟରେ କୌଣସି ପୂର୍ବ ସୂଚନା ନଥିଲା । ମୋଦି ସରକାର 2 ର ଏହି ନିଷ୍ପତ୍ତି ତାଙ୍କ ପାଇଁ ଅନିଶ୍ଚିତ ଓ ଅପ୍ରତ୍ୟାଶ୍ରିତ ଥିଲା ବୋଲି ପ୍ରକାଶ କରିଛନ୍ତି ଜୟଶଙ୍କର । ଜୟଶଙ୍କର ହେଉଛନ୍ତି 1977 ବ୍ୟାଚର ବୈଦେଶିକ ସେବା ଅଧିକାରୀ । ଚୀନ ଓ ଆମେରିକା ପରି ଦେଶରେ ଭାରତକୁ ପ୍ରତିନିଧିତ୍ବ କରିବା ପରେ ସେ ବୈଦେଶିକ ସଚିବ ଭାବେ ଉଲ୍ଲେଖନୀୟ ଦକ୍ଷତା ପ୍ରଦର୍ଶନ କିରଥିଲେ । ପରେ ମୋଦି 2.0 ସରକାରରେ ଅଣନିର୍ବାଚିତ ଭାବେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ବୈଦେଶିକ ମନ୍ତ୍ରୀ ଭାବେ ସ୍ଥାନ ମିଳିଥିଲା । ପରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ