ପାଣାଜୀ: ସଂଗ୍ରହାଳୟରେ ମୁଖ୍ୟତଃ ପୁରାତନ ସମୟ ଓ ଇତିହାସ ସମ୍ବନ୍ଧିତ ବସ୍ତୁ ସାଇତି ରଖାଯାଏ । ହେଲେ ମଦ ସଂଗ୍ରହାଳୟ କେବେ ଶୁଣିଛନ୍ତି କି ? ହଁ, ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଦେଶରେ ପ୍ରଥମ ଥର ପାଇଁ ଗୋଆରେ ଖୋଲିଛି ମଦ ସଂଗ୍ରହାଳୟ । ଏହି ସ୍ଥାନ ପାର୍ଟି କରିବା ଏବଂ ବେଳାଭୂମି ପ୍ରେମୀଙ୍କର ସବୁଠାରୁ ପ୍ରିୟ ସ୍ଥାନ ବୋଲି ବିବେଚନା କରାଯାଏ । ସଂଗ୍ରହାଳୟ ମାଧ୍ୟମରେ ଲୋକଙ୍କୁ ଏଠାକାର ସଂସ୍କୃତି ଏବଂ ଅନନ୍ୟ ଇତିହାସ ବିଷୟରେ ସୂଚନା ଦିଆଯିବ । ଏହାର ନାମ 'ଅଲ୍ ଏବାଉଟ ଆଲକୋହଲ୍' (All About Alcohol) ରଖାଯାଇଛି । ଏହି ସଂଗ୍ରହାଳୟଟି କାଣ୍ଡୋଲିମରେ ଅବସ୍ଥିତ । ଏହି ଜାଗା ସ୍ଥାନୀୟଲୋକ ଦ୍ବାରା ପିଆଯାଉଥିବା 'ଫେନି' ମଦ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ । ଯାହା ନଡ଼ିଆ କିମ୍ବା କାଜୁ ଫଳରୁ ତିଆରି ।
କାଣ୍ଡୋଲିମରେ ଥିବା ଏହି ସଂଗ୍ରହାଳୟ 500 ବର୍ଷ ପୂରୁଣା ଫେନିର କାହାଣୀ କହିବ । ସଂଗ୍ରହାଳୟରେ ଶତାବ୍ଦୀ ପୁରୁଣା ଫେନୀର ବୋତଲ, କାଚରେ ନିର୍ମିତ ବାସନ, ପୁରୁଣା କାଠରେ ନିର୍ମିତ କଣ୍ଟେନର ରହିଛି । ଯାହା ଏହା ପଛରେ ଥିବା ଲୁକ୍କାୟିତ ଇତିହାସ ବିଷୟରେ ସୂଚନା ଦେବ । ଏହି 'ଅଲ୍ ଏବାଉଟ ଆଲକୋହଲ୍' ସଂଗ୍ରହାଳୟର ପ୍ରତିଷ୍ଠାତା ନନ୍ଦନ କୁଦଚାଡକର କହିଛନ୍ତି ଯେ, ସଂଗ୍ରହାଳୟ ଆରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ଗୋଆର ସମୃଦ୍ଧ ଏତିହ୍ୟ, ବିଶେଷ କରି ଫେନୀର କାହାଣୀ ଜଣାଇବାର ଅଛି। ଯାହାକୁ ଏଠାରେ ବହୁତ ପସନ୍ଦ କରାଯାଏ ।