ନୂଆଦିଲ୍ଲୀ:ମହାକାଶ ବିଜ୍ଞାନରେ ବଡ ଉବଲବ୍ଧି ହାସଲ କରିବାକୁ ଯାଉଛି ଭାରତ । ଋଷ, ଆମେରିକା ଚୀନ ପରେ ଏବେ ସାରା ବିଶ୍ବର ନଜର ଭାରତ ଉପରେ ରହିଛି । ଆଜି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ତୃତୀୟ ମୁନ୍ ମିଶନ ଚନ୍ଦ୍ରଯାନର ଅବତରଣ । ଜହ୍ନରେ ଉଡିବ ତ୍ରିରଙ୍ଗା ଶୁଭିବ ଜୟହିନ୍ଦ । ଚାନ୍ଦରେ ପାଦ ଥାପିବ ଚନ୍ଦ୍ରଯାନ । ଏନେଇ 140 କୋଟି ଭାରତୀୟଙ୍କ ମନରେ ଉତ୍କଣ୍ଠା ଓ ଉତ୍ସାହ । ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ଜହ୍ନରେ ନାଁ ଲେଖି ଇତିହାସ ରଚିବ ଭାରତ । ଦୁନିଆ ଦେଖିବ ଭାରତର ଦମ । ଆଜି ସନ୍ଧ୍ୟା 6ଟା 4 ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-3 । ଭାରତବାସୀଙ୍କ ସ୍ବପ୍ନର ଉଡାଣ ଭରିଥିବା ଚନ୍ଦ୍ରଯାନ-3ର ସଫ୍ଟ ଲ୍ୟାଣ୍ଡିଂ ସମୟର ସେହି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା ।
4ଟି ପର୍ଯ୍ୟାୟରେ ହେବ ଲ୍ୟାଣ୍ଡିଂ:ଚନ୍ଦ୍ରଯାନ -3ର ଲ୍ୟାଣ୍ଡିଂ ପ୍ରକ୍ରିୟା 4ଟି ପର୍ଯ୍ୟାୟରେ ହେବ । ସେଗୁଡିକ ହେଉଛି ରଫ ବ୍ରେକିଙ୍ଗ, ଆଲଟିଚ୍ୟୁଡ୍ ହୋଲଡ, ଫାଇନ ବ୍ରେକିଙ୍ଗ ଓ ଟର୍ମିନାଲ ଡିସେଣ୍ଟ । ରଫ ବ୍ରେକିଙ୍ଗ ପର୍ଯ୍ୟାୟରେ ବେଗ ସେକେଣ୍ଡ ପିଛା 1.6 କିମି ରହିବ ଏହା 690 ସେକେଣ୍ଡ ଯାଏ ଚାଲିବ । ଆଲଟିଚ୍ୟୁଡ୍ ହୋଲଡ ପର୍ଯ୍ୟାୟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ କରିବ । ଫାଇନ ବ୍ରେକିଙ୍ଗ ପର୍ଯ୍ୟାୟ 175 ସେକେଣ୍ଡ ଯାଏ ଚାଲିବ । ଏଥିଲେ ଲ୍ୟାଣ୍ଡର ବିକ୍ରମର ଉଚ୍ଚତା ମପାଯିବ । ଟର୍ମିନାଲ ଡିସେଣ୍ଟରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର 150 ମିଟର ଉପର ସ୍ଥିତିକୁ ଚାଲିଆସିବ । ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ଚନ୍ଦ୍ରପୃଷ୍ଠର ଫଟୋ ଉଠାଇ ଆରମ୍ଭ କରିବ । ଅବତରଣ ପ୍ରକ୍ରିୟାର ସିଧାପ୍ରସାରଣ ହେବ ।
ସଫଳତା ପାଇଁ ପୂଜାପାଠ:ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ଡିଂ ନେଇ ଭାରତବାସୀଙ୍କ ମନରେ ଉତ୍ସାହ ଉଦୀପନା ଭରି ରହିଛି । ସେହି ଐତିହାସିକ ମୁହୂର୍ତ୍ତକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆଜି ସନ୍ଧ୍ୟାରେ ଜହ୍ନରେ ଇତିହାସ ରଚିବ ଭାରତ । ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ଡିଂ ଶୁଭ ମନାସୁଛି ସାରା ଦେଶ । ମୁମ୍ବାଇଠୁ ନେଇ ଉତ୍ତରାଖଣ୍ଡ ଓ ଭୋପାଳ ସବୁଠି ଚାଲିଛି ପୂଜାର୍ଚ୍ଚନା । ହୋମଯଜ୍ଞ ସାଙ୍ଗକୁ ମହାଦେବଙ୍କୁ ଜଳାଭିଷେକ ହୋଇଛି । ଉଜୈନର ମହାକାଳେଶ୍ବର ମନ୍ଦିରରେ ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପାଇଁ ଭଷ୍ମ ଆଳତୀ ହୋଇଛି ।
ଦକ୍ଷିଣ ଆଫ୍ରିକାରୁ ଲ୍ୟାଣ୍ଡିଂ ଦେଖିବେ ମୋଦି: ଦୁଇ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବାକୁ ଯାଉଥିବାବେଳେ ଏହା ପରେ ଦେଶବାସୀଙ୍କ ନଜର ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ବେଶ୍ ଉତ୍ସୁକ ଅଛନ୍ତି । ସେ 15ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି । ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ସେ ହାତଛଡା କରିବେ ନାହିଁ । ଦକ୍ଷିଣ ଆଫ୍ରିକାରୁ ସେ ଭର୍ଚୁଆଲ ଭାବେ ସଫ୍ଟ ଲ୍ୟାଣ୍ଡିଂ କାର୍ଯ୍ୟକ୍ରମରେ ସାମିଲ ହେବେ । ସେଠାରୁ ସେ ଚନ୍ଦ୍ରଯାନର ଅବତରଣ ପ୍ରକ୍ରିୟା ଦେଖିବେ ।