ଓଡିଶା

odisha

ଭାରତୀୟ ବଂଶୋଦ୍ଭବ ମନପ୍ରିତ ମୋନିକା ସିଂ ହେଲେ ଆମେରିକାର ପ୍ରଥମ ମହିଳା ଶିଖ୍‌ ଜଜ୍

By

Published : Jan 9, 2023, 8:58 PM IST

ଆମେରିକାରେ ପୁଣି ଚର୍ଚ୍ଚାରେ ଜଣେ ଭାରତୀୟ ବଂଶୋଦ୍ଭବ । ମନପ୍ରିତ ମୋନିକା ସିଂ ଆମେରିକାର ପ୍ରଥମ ମହିଳା ଶିଖ ଜଜ୍‌ । ଅଧିକ ପଢନ୍ତୁ

ଭାରତୀୟ ବଂଶୋଦ୍ଭବ ମନପ୍ରିତ ମୋନିକା ସିଂ ହେଲେ ଆମେରିକାର ପ୍ରଥମ ମହିଳା ଶିଖ ଜଜ୍‌
ଭାରତୀୟ ବଂଶୋଦ୍ଭବ ମନପ୍ରିତ ମୋନିକା ସିଂ ହେଲେ ଆମେରିକାର ପ୍ରଥମ ମହିଳା ଶିଖ ଜଜ୍‌

ହାଇଦ୍ରାବାଦ:ଯୁକ୍ତରାଷ୍ଟ୍ର ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କ ସଫଳତା । ଭାରତୀୟ ବଂଶୋଦ୍ଭବ ମନପ୍ରିତ ମୋନିକା ସିଂ ଆମେରିକାର ପ୍ରଥମ ମହିଳା ଶିଖ୍‌ ଜଜ୍‌ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଭାରତୀୟ ବଂଶୋଦ୍ଭବ ମୋନିକା ସିଂ ଆମେରିକାର ହୋଷ୍ଟନ ସହରରେ ଜନ୍ମଗ୍ରହଣ କରିଥିବା ବେଳେ ଏବେ ସେ ବାଲାଏରରେ ଅବସ୍ଥାନ କରୁଛନ୍ତି ।

1970 ରେ ମୋନିକା ସିଂଙ୍କ ବାପା ଭାରତରୁ ଆମେରିକା ଚାଲି ଯାଇଥିଲେ । ସେଠାରେ ସେ ନାଗରିକତା ଗ୍ରହଣ କରିବା ସହ ସପରିବାର ଅବସ୍ଥାନ କରିଥିଲେ । ସେଠାରେ ମୋନିକାଙ୍କର ଜନ୍ମ ହୋଇଥିଲା । ଆମେରିକାରେ ଜନ୍ମିତ ମୋନିକା ହେଉଛନ୍ତି ମୂଳ ଭାରତୀୟ ।

ମୋନିକା ପ୍ରାୟ 20ବର୍ଷ ଧରି ଆମେରିକାରେ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ସେହିପରି ସେ ଆମେରିକା ନ୍ୟାୟିକ ବ୍ୟବସ୍ଥାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ ଏକାଧିକ ସିଭିଲ ରାଇଟ୍ସ ସଂଗଠନର ସଦସ୍ୟ ମଧ୍ୟ ରହିଛନ୍ତି । ପ୍ରାଦେଶିକ ଓ ଜାତୀୟ ସ୍ତରରେ ସେ ବହୁ ସିଭିଲ ରାଇଟ୍ସ କାର୍ଯ୍ୟକ୍ରମରେ ସେ ପ୍ରତିନିଧିତ୍ବ ମଧ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ଆଜି ସେ ଆମେରିକାର ହ୍ୟାରିସ କଣ୍ଟ୍ରିଂ ଜଜ୍‌ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଆମେରିକା ନ୍ୟାୟିକ ବ୍ୟବସ୍ଥାରେ ଆଇନଜୀବୀରୁ ବିଚାରପତି ଭାବେ ନୂତନ ଦାୟିତ୍ବ ଗ୍ରହଣ କରିବା ପରେ ବେଶ ଖୁସି ପ୍ରକାଶ କରିଛନ୍ତି ମୋନିକା ସିଂ । ଏହା ତାଙ୍କ ପାଇଁ ଏକ ବଡ ସଫଳତା ବୋଲି ସେ ଦର୍ଶାଇଛନ୍ତି । ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ଆମେରିକାର ପ୍ରଥମ ଭାରତୀୟ- ଆମେରିକୀୟ ବିଚାରପତି ରବି ସନ୍ଦିଲ ମଧ୍ୟ ଅଂଶଗ୍ରହଣ କରିଥିଲେ । ରବି ହେଉଛନ୍ତି ଆମେରିକାର ନ୍ୟାୟିକ ବ୍ୟବସ୍ଥାରେ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ପ୍ରଥମ ଭାରତୀୟ ତଥା ପ୍ରଥମ ଏସୀୟ ନାଗରିକ । ମୋନିକାଙ୍କ ଶପଥ ଗ୍ରହଣ ଉତ୍ସବରେ ସଭାପତିତ୍ବ କରିଥିଲେ ସନ୍ଦିଲ ।

ବର୍ତ୍ତମାନ ଆମେରିକାରେ ପ୍ରାୟ 5ଲକ୍ଷ ଶିଖ ଧର୍ମାବଲମ୍ବୀ ରହୁଛନ୍ତି । ସେଥିମଧ୍ୟରୁ ପ୍ରାୟ 20ହଜାର ଶିଖ୍‌ ମୋନିକାଙ୍କ ହୋମ ଟାଉନ ହୋଷ୍ଟନରେ ରହୁଛନ୍ତି । ତେଣୁ ମୋନିକାଙ୍କର ଏହି ସଫଳତା ସମଗ୍ର ପ୍ରବାସୀ ଶିଖ ସମ୍ପ୍ରଦାୟର ସଫଳତା ବୋଲି କହିଛନ୍ତି ଅନ୍ୟତମ ଭାରତୀୟ ବଂଶୋଦ୍ଭବ ଜଜ୍‌ ସାନ୍ଦିଲ । ସେହିପରି ହୋଷ୍ଟନ ସହରର ମେୟର ସିଲଭେଷ୍ଟର ଟର୍ନର ମଧ୍ୟ ସଫଳତା ପାଇଁ ମୋନିକାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ଆମେରିକା ଓ ହୋଷ୍ଟନ ସହରର ବିବିଧତାର ଉଦାହରଣ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details