ନୂଆଦିଲ୍ଲୀ:ଇସ୍ରାଏଲ ପାଇଁ ଗୁପ୍ତଚଗିରି କରିବା ଅଭିଯୋଗରେ କତାରରେ ଗିରଫ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର 8 ପୂର୍ବ ଅଧିକାରୀଙ୍କ ସହ ସ୍ଥାନୀୟ ଜେଲରେ ସାକ୍ଷାତ କରିଛନ୍ତି ଭାରତୀୟ ରାଷ୍ଟ୍ରଦୂତ । ଡିସେମ୍ବର 3 ତାରିଖରେ ଦୋହାରେ ଅବସ୍ଥାପିତ ଭାରତୀୟ ଦୂତାବାସର ରାଷ୍ଟ୍ରଦୂତ କତାର ଜେଲରେ ବନ୍ଦୀ ଥିବା ଏହି ପୂର୍ବ ଅଧିକାରୀମାନଙ୍କୁ ଭେଟି ଆଲୋଚନା କରିଥିବା ନେଇ ଆଜି ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି । କେବଳ ଭାରତୀୟ ରାଷ୍ଟ୍ରଦୂତ ନୁହନ୍ତ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗରେ କତାର ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିବା ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ବାଗଚି କହିଛନ୍ତି ।
ବାଗଚିଙ୍କ ସୂଚନା ଅନୁସାରେ, ଦୁବାଇରେ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (CoP28)ରେ ଅଂଶଗ୍ରହଣ କରିବା ଅବସରରେ କତାରର ଅମିରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ । ଉଭୟଙ୍କ ମଧ୍ଯରେ ହୋଇଥିବା ଦ୍ବିପାକ୍ଷିକ ଆଲୋଚନାରେ ଭାରତୀୟ ପୂର୍ବ ନୌସୈନିକଙ୍କୁ ଦଣ୍ଡାଦେଶ ମାମଲାରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ଆଲୋଚନା ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିବାକୁ ବାଗଚି ମନା କରିଛନ୍ତି । ଅନ୍ୟପଟେ ଭାରତ ଆଇନଗତ ଭାବେ ମଧ୍ୟ ଏହି ଲଢେଇ ଲଢୁଛି । ଭାରତ କତାର କୋର୍ଟରେ ଏକ ଅପିଲ ମଧ୍ୟ ଦାଏର କରିସାରିଛି । ନଭେମ୍ବର 23 ଓ 30 ତାରିଖରେ ମାମଲାର ଦୁଇଟି ଶୁଣାଣି ଯାଇଛି । ପରବର୍ତ୍ତୀ ଶୁଣାଣି ଖୁବଶିଘ୍ର ହେବା ନେଇ ଆଶା କରାଯାଉଛି । ଯାହା କିଛି ସମ୍ଭବ ଭାରତ ପକ୍ଷରୁ ପ୍ରାଥମିକତାର ସହ ପଦକ୍ଷେପ ଗ୍ରହଣ କରାଯାଉଥିବା ବାଗଚି କହିଛନ୍ତି ।
ସୂଚନା ଅନୁସାରେ, ଏହି 8 ପୂର୍ବତନ ନୌସେନାଧିରୀଙ୍କୁ ଗତବର୍ଷ ସେପ୍ଟେମ୍ବରର ଗୁପ୍ତଚରଗିରି କରିବା ଅଭିଯୋଗରେ ଗିରଫ କରିଥିଲା କତାର । ଏମାନେ ପୂର୍ବରୁ ନୌସେନାରେ ଉଚ୍ଚପଦସ୍ଥ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଏମାନଙ୍କ ମଧ୍ୟରେ ଭାରତୀୟ ନୌସେନା ଜାହାଜର କମାଣ ସମ୍ଭାଳିଥିବା ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ରହିଛନ୍ତି । ଏହି ସମସ୍ତ ପୂର୍ବ ଅଧିକାରୀମାନେ ଭାରତୀୟ ନୌସେନାରୁ ସେବାନିବୃତ୍ତ ହେବା ପରେ କତାରରେ ଏକ ଗ୍ଲୋବାଲ୍ ଟେକ୍ନୋଲୋଜି ଏବଂ କନ୍ସଲଟାନ୍ସ ସର୍ଭିସେସ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହି କମ୍ପାନୀ କତାର ସଶସ୍ତ୍ର ବାହିନୀକୁ ତାଲିମ ଏବଂ ଆନୁଷଙ୍ଗିକ ସେବା ଯୋଗାଇ ଆସୁଛି ।