ନୂଆଦିଲ୍ଲୀ:ୟୁକ୍ରେନରେ ଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଆଡ଼ଭାଇଜରି ଜାରି କଲା ଭାରତୀୟ ଦୂତାବାସ(Indian Embassy) । ତୁରନ୍ତ କିଭ୍ ଛାଡିବାକୁ ସମସ୍ତ ଭାରତୀୟଙ୍କୁ ଆଜି (ମଙ୍ଗଳବାର) ଦୂତାବାସ ନିର୍ଦ୍ଦେଶ ଦେଇଛି । ୟୁକ୍ରେନ ଓ ଋଷର ଯୁଦ୍ଧ ଅଧିକ ଘନଉଥିବା ବେଳେ ଏପରି ନିର୍ଦ୍ଦେଶ ଦେଇଛି ଭାରତୀୟ ଦୂତାବାସ । ସେପଟେ ଅପରେସନ ଗଙ୍ଗାରେ ଭାରତୀୟ ବାୟୁସେନାକୁ ଯୋଗ ଦେବା ପାଇଁ ମୋଦି କଥା ଦେଇଥିବା ଜଣାପଡ଼ିଛି । ଏହାସହିତ ଅପରେସନ ଗଙ୍ଗାରେ ସ୍ପାଇସ ଜେଟକୁ ସାମିଲ କରାଯାଇଛି ।
କିଭରେ ଥିବା ସମସ୍ତ ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ କିଭ ଛାଡନ୍ତୁ । କିଭରେ ଉପଲବ୍ଧ ଥିବା ରେଳ ସେବା କିମ୍ବା ଯେକୌଣସି ସ୍ଥାନାନ୍ତରଣ ସେବାର ବ୍ୟବହାର କରି ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଦୂତାବାସ ଦେଇଛି ନିର୍ଦ୍ଦେଶ । ମଙ୍ଗଳବାର ଫ୍ରେସ ଆଡ଼ଭାଇଜରି ମାଧ୍ୟମରେ ଦୂତାବାସ ପ୍ରବାସୀ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛି । ଆଜି ୬ଷ୍ଠ ଦିନରେ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ସହ ଅଧିକ ବିପଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଦୂତାବାସ ପ୍ରବାସୀ ଭାରତୀୟଙ୍କୁ ସତର୍କ କରାଇଛି ।
ତେବେ ସୂଚନା ଥାଉ କି ୟୁକ୍ରେନ ବିରୁଦ୍ଧରେ ଋଷର ସାମରିକ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ଯେଉଁଠାରେ ବି ରହିଛନ୍ତି ଶାନ୍ତ ଓ ନିରାପଦ ରହିବାକୁ ପୂର୍ବରୁ ଦୂତାବାସ କହିଥିଲା । କିଭକୁ ଯାତ୍ରା କରୁଥିବା ସମସ୍ତଙ୍କୁ ଅସ୍ଥାୟୀ ଭାବରେ ନିଜ ନିଜ ସହରକୁ ଫେରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ସେପଟେ 'ଅପରେସନ୍ ଗଙ୍ଗା' ଅଭିଯାନ ମାଧ୍ୟମରେ ଭାରତୀୟଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ କାର୍ଯ୍ୟ ଜାରି ରହିଛି । ଏହି ଥଇଥାନ ଉଦ୍ୟମକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତୀୟ ବାୟୁସେନାକୁ ସ୍ଥାନାନ୍ତର କାର୍ଯ୍ୟରେ ଯୋଗ ଦେବାକୁ ଆଦେଶ ଦେଇଛନ୍ତି ।