ନୂଆଦିଲ୍ଲୀ:ଭାରତୀୟ ବାୟୁସେନାରେ ସାମିଲ ହେବ 100ଟି ସ୍ବଦେଶୀ ନିର୍ମିତ ହାଲୁକା ଅତ୍ୟାଧୁନିକ ଲଢୁଆ ବିମାନ LCA Mark 1A ବା ଆଡଭାନ୍ସ ତେଜସ । ଏନେଇ ବାୟୁସେନା ମୁଖ୍ୟ ମାର୍ଶଲ ବି.ଆର ଚୌଧୁରୀ ବିଧିବଦ୍ଧ ଘୋଷଣା କରିଛନ୍ତି । 13 ତାରିଖରେ ସ୍ପେନ ନିର୍ମିତ ବୃହତ୍ତ ପରିବହନ ବିମାନ C-295 ଭାରତୀୟ ବାୟୁସେନାରେ ସାମିଲ ହୋଇଛି । ସ୍ପେନରେ ଥିବା ମାର୍ଶଲ ଚୌଧୁରୀ ଏହି କ୍ରୟ ନିଷ୍ପତ୍ତି ନେଇ ଜାତୀୟ ଖବର ସରବରାହ ସଂସ୍ଥା ଏନଆଇଏକୁ ପ୍ରତିକ୍ରିୟା ଦେଇ ସ୍ପଷ୍ଟ କରିଛନ୍ତି ।
ବାୟୁସେନା ମୁଖ୍ୟ କହିଛନ୍ତି, ‘‘ଭାରତୀୟ ବାୟୁସେନା 100ଟି ହାଲୁକା ଲଢୁଆ ବିମାନ କ୍ରୟ କରିବାକୁ ଯାଉଛି । ଏହାକୁ ବାୟୁସେନାରେ ସାମିଲ କରାଯିବା ପରେ ଏହା ମିଗ ସିରିଜରର ସ୍ଥାନ ନେବ । ଏହି ମିଗ ସିରିଜରେ ମିଗ-21,ମିଗ -23, ଓ ମିଗ-27 ରହିଛି । ଏହା ପୁରୁଣା ବିମାନ, ତେଣୁ ବର୍ତ୍ତମାନ ସମୟରେ ବାୟୁସେନା ନିକଟରେ ପର୍ଯ୍ୟାପ୍ତ ସଂଖ୍ୟକ LCA ବର୍ଗର ବିମାନ ରହିବା ଜରୁରୀ । ଆମେ ପୂର୍ବରୁ 83ଟି LCA-1A ପାଇଁ ଚୁକ୍ତି ସ୍ୱାକ୍ଷର କରିସାରିଛୁ । ଏବେ ଆମେ ଅନ୍ଯ 100 ତେଜସ ବିମାନ ପାଇଁ କ୍ରୟ କରିବାକୁ ଯାଉଛୁ ।’’
ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ଏଚଏଲ) ଦ୍ବାରା ଏହି ହାଲୁକା ଲଢୁଆ ବିମାନକୁ ନିର୍ମାଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଭାରତୀୟ ବାୟୁସେନାରେ ଏହି ବର୍ଗର ବିମାନ ସାମିଲ ହୋଇସାରିଲାଣି । ପରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତି ଅନୁସାରେ 83ଟି ବିମାନ ବାୟୁସେନାକୁ ହସ୍ତାନ୍ତର ହେବ । ଆସନ୍ତାବର୍ଷ (2024) ଫେବୃଆରୀରେ ଏହି ଚୁକ୍ତିନାମାର ପ୍ରଥମ ବିମାନ ହାଲ ବାୟୁସେନାକୁ ହସ୍ତାନ୍ତର କରିବାକୁ ଲକ୍ଷ୍ୟ ରଖିଛି । LCA ମାର୍କ 1A ହେଉଛି ତେଜସର ନୂତନ ଭର୍ସନ ।