ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି କୋରୋନା ସଂକ୍ରମଣ । ବିଗତ କିଛି ଦିନ ହେଲା ଦୈନିକ 10 ହଜାରରୁ କମ୍ ପଜିଟିଭ ମାମଲା ଚିହ୍ନଟ ହେଉଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ 7,219 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 7,219 fresh Covid Cases) । ଗତକାଲି ଏହି ସଂଖ୍ୟା 6,168 ଥିଲା । ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ, ଅନ୍ୟପଟେ ପ୍ରତିଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ 9,651 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା 4,38,65,016ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ (Union Health Ministry) ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 56,745ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 1.98% ରହିଛି । ଏବେ ସୁଦ୍ଧା 5,27,965 ହଜାରରୁ ଅଧିକ କୋରୋନା ସଂକ୍ରମିତ(Corona Positive) ପ୍ରାଣ ହରାଇଛନ୍ତି । ଏବେ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯାଉଛି ।