ଗୌହାଟୀ:ଗତକାଲି ବିରୋଧୀଙ୍କ ମିଳିତ ମେଣ୍ଟ ନିଜ ନାମ ଘୋଷଣା କରିଛି । ଯାହାର ନାମ ଭାରତୀୟ ଜାତୀୟ ପ୍ରଗତିଶୀଳ ସମାବେଶୀ ମେଣ୍ଟ ବା ଦେଶର ନାମ ସହ ‘INDIA’ ରଖାଯାଇଛି । ଯାହାକୁ ନେଇ ସମାଲୋଚନାମୂଳକ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି । କିଛି ଏନଡିଏ ସହଯୋଗୀ ଏକ ରାଜନୈତିକ ମେଣ୍ଟର ନାମ ଦେଶର ନାମ ସହ ନାମକରଣ କରିବା ଉଚିତ ନୁହେଁ ବୋଲି କହିଛନ୍ତି । ତେବେ ଏହାରି ମଧ୍ୟରେ ଏକ ରୋଚକ ଖବର ମଧ୍ୟ ସାମ୍ନାକୁ ଆସିଛି । ଭାରତୀୟ ଜନତା ପାର୍ଟିର ଅନ୍ୟତମ ବରିଷ୍ଠ ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବିରୋଧୀଙ୍କ ମେଣ୍ଟର ନାମ ଘୋଷଣା ହେବା ପରେ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ ବାୟୋରେ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ତାଙ୍କ ସୋସିଆଲ ମିଡିଆରେ ଏକାଧିକ ଆକାଉଣ୍ଟର ‘‘ଚିଫ୍ ମିନିଷ୍ଟର ଅଫ ଆସାମ, ଇଣ୍ଡିଆ’’ ଲେଖାଯାଇଥିବା ବେଳେ ବିଶ୍ବଶର୍ମା ଏହାକୁ ଇଣ୍ଡିଆ ପରିବର୍ତ୍ତେ ଭାରତକୁ ପରିବର୍ତ୍ତନ କରିଛନ୍ତି ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କର ଫେସ୍ବୁକ୍ ଓ ଟ୍ବିଟର ଆକାଉଣ୍ଟରେ ନିଜ ପରିଚୟ ବା ବାୟୋର କଭର ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କ ଫଟୋ ଥିଲା । ସେଠାରେ ତଳେ ଇଂରାଜୀରେ ତାଙ୍କ ନାମ ଲେଖାଯାଇଥିବା ସହ ‘‘ଚିଫ ମିନିଷ୍ଟର ଅଫ ଆସାମ, ଇଣ୍ଡିଆ’’ ଲେଖାଯାଇଥିଲା । ହେଲେ ଗତକାଲି ବିରୋଧୀଙ୍କ ମହାମେଣ୍ଟର ନାମ ‘ଇଣ୍ଡିଆ’ ରଖାଯିବା ପରେ ସେ ଏଥିରେ ପରିବର୍ତ୍ତନ କରିଛନ୍ତି । ଅନ୍ୟ ସମସ୍ତ ସୂଚନା ପୂର୍ବ ଭଳି ଥିବା ବେଳେ କେବଳ ଇଣ୍ଡିଆ ସ୍ଥାନରେ ସେ ଭାରତ ଲେଖିଛନ୍ତି । ଏହା ବିରୋଧୀଙ୍କ ମେଣ୍ଟ ନାମକରଣର ପ୍ରଭାବ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ଏହି ପରିବର୍ତ୍ତନ ସମ୍ପର୍କରେ ବିଶ୍ବଶର୍ମା କୌଣସି ପୋଷ୍ଟ କରିନାହାନ୍ତି କିମ୍ବା ଅନ୍ୟ କୌଣସି ସୂଚନା ଦେଇନାହାନ୍ତି ।
2024 ସାଧାରଣ ନିର୍ବାଚନକୁ ଆଉ ମାତ୍ର ପ୍ରାୟ 8 ମାସ ଥିବା ଜାତୀୟ ସ୍ତରରେ ମେଣ୍ଟ ରାଜନୀତି ଜୋର ଧରିଛି । ଗତକାଲି ବେଙ୍ଗାଲୁରୁରେ 26ଟି ଦଳକୁ ନେଇ ବିରୋଧୀ ମେଳି କରିଥିବା ବେଳେ ଦିଲ୍ଲୀରେ ବସିଥିଲା ଶାସକ ବିଜେପି ନେତୃତ୍ବାଧୀନ NDA ବୈଠକ । ଗତକାଲି ବୈଠକର ବିରୋଧୀ ମହାମେଣ୍ଟ ନିଜର ନାମ ‘ଭାରତୀୟ ଜାତୀୟ ପ୍ରଗତିଶୀଳ ସମାବେଶୀ ମେଣ୍ଟ’ ଅର୍ଥାତ (ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲିଆନ୍ସ) ବା INDIA ଘୋଷଣା କରିଥିଲା ।