ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତ ପରେ ଏବେ ଭାରତର ପ୍ରମୁଖ ପର୍ଯ୍ୟଟନ ମାନଚିତ୍ରରେ ଯୋଡି ହୋଇସାରିଛି ଭାରତ ମହାସାଗରେ ଥିବା ଭାରତୀୟ କେନ୍ଦ୍ରଶାସିତ ଦ୍ବୀପପୁଞ୍ଜ । ଗୁଗୁଲରେ ଏହାକୁ ନେଇ ରେକର୍ଡ ସଂଖ୍ୟକ ସର୍ଚ୍ଚ ମଧ୍ୟ ହୋଇଛି । ଏହାରି ମଧ୍ୟରେ ଭାରତ ସରକାର ଲାକ୍ଷାଦ୍ବୀପରେ ପର୍ଯ୍ୟଟନ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରିବାକୁ ଯାଉଛନ୍ତି । ଲାକ୍ଷାଦ୍ବୀପରେ ନୂଆ ବିମାନ ବନ୍ଦର ନିର୍ମାଣ କରିବାକୁ ସରକାର ଯୋଜନା କରୁଛନ୍ତି । ଲାକ୍ଷାଦ୍ବୀପର ମିନିକୟ ଦ୍ବୀପରେ ନିର୍ମାଣ ହେବାକୁ ଥିବା ଏହି ନୂତନ ବିମାନ ବନ୍ଦର ଉଭୟ ସାମରିକ ଓ ବେସାମରିକ ଅପରେସନ ପାଇଁ ଭାବେ ବ୍ୟବହୃତ ହେବ। ଫଳରେ ଆରବ ସାଗର ଓ ହୀନ୍ଦ ମହାସାଗରରେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ ହେବା ସହ ଲାକ୍ଷାଦ୍ବୀପରେ ପର୍ଯ୍ୟଟନ ମଧ୍ୟ ନୂଆ ଭିତ୍ତିଭୂମି ପାଇବାକୁ ଯାଉଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ପ୍ରଥମେ ଏହି ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଉପସ୍ଥାପିତ କରାଯାଇଥିଲା । ଏବେ ଭାରତୀୟ ବାୟୁସେନା ମଧ୍ୟ ଏହି ପ୍ରସ୍ତାବ ସରକାରଙ୍କ ନିକଟରେ ରଖିଛି । ଏହି ନୂତନ ପ୍ରସ୍ତାବିତ ବିମାନ ବନ୍ଦର ବାୟୁସେନା ଦ୍ବାରା ବ୍ୟବହୃତ ହେବ । ଏହା ବେସାମରିକ ବିମାନ ବନ୍ଦର ଭାବେ ମଧ୍ୟ ସେବା ପ୍ରଦାନ କରିବ । ଫଳରେ ଭାରତ ଆରବ ସାଗର ଓ ଭାରତ ମହାସାଗରେ ସୁରକ୍ଷା ବ୍ୟବସ୍ଥା ଓ ପାଟ୍ରୋଲିଂକୁ ପୂର୍ବାପେକ୍ଷା ଅଧିକ ପ୍ରଭାବୀ କରିପାରିବ ।