ନୂଆଦିଲ୍ଲୀ:ସଂସଦ ମୌସୁମୀ ଅଧିବେଶନ ସରକାରଙ୍କ ବିରୋଧରେ ବିରୋଧୀ ରଣନୀତି ପ୍ରସ୍ତତ କରୁଛନ୍ତି । ମୌସୁମୀ ଅଧିବେଶନରେ ଶାସକ ଦଳ ବିରୋଧରେ ଏକାଠୀ ହୋଇଛନ୍ତି ଇଣ୍ଡିଆ ମେଣ୍ଟ । ବିରେଧୀ ଦଳ ମେଣ୍ଟ ଇଣ୍ଡିଆ ଲୋକସଭାରେ ସରକାରଙ୍କ ବିରୋଧୀରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ରାଜ୍ୟସଭା ବିରୋଧୀ ଦଳ ନେତାଙ୍କ ନେତୃତ୍ବରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ବିଶେଷ ସୁତ୍ରରୁ ଜଣାପଡିଛି ।
ଗୃହରେ ମଣିପୁର ହିଂସାକୁ ନେଇ ଆଲୋଚନା କରିବା ଉପରେ ବିରୋଧୀ ଦଳ ନେତା ଏକ ବୈଠକ କରିଥିଲେ । ଗୃହରେ ପ୍ରଧାନମନ୍ତ୍ରୀ ମଣିପୁର ପ୍ରସଙ୍ଗରେ ଆଲୋଚନା କରନ୍ତୁ ବୋଲି କଂଗ୍ରେସ ନେତା ଦାବି କରି ଆସୁଛନ୍ତି । ବୈଠକରେ ବିରୋଧୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରିଥିବା ଜଣାପଡିଛି । କଂଗ୍ରେସ ନେତା ଜୟୀରାମ ରମେଶ, ପ୍ରମୋଦ ତିୱାରୀ ଓ ଆପ୍ ସାଂସଦ ରାଘବ ଚଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ନିକଟରେ 26 ବିରୋଧୀ ଦଳ ସେମାନଙ୍କ ନାମ 'ଇଣ୍ଡିଆ' ଘୋଷଣା କରିଥିଲେ ।
ଏହା ବି ପଢନ୍ତୁ...Parliament Monsoon Session: ଥମୁନି ମଣିପୁର ତାତି, ଦିନ ୨ଟା ଯାଏଁ ଲୋକସଭା ମୁଲତବୀ
ବିରୋଧୀ ଦଳ ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁଲ ଖଡଗେ କହିଛନ୍ତି, "ପ୍ରଧାନମନ୍ତ୍ରୀ ତାଙ୍କ ଅହଂକାର ଛାଡ଼ି ଗୃହରେ ମଣିପୁର ପ୍ରସଙ୍ଗରେ ବିବୃତ୍ତି ରଖନ୍ତୁ । 83 ଦିନ ହେବ ମଣିପୁରରେ ହିଂସା ପରିସ୍ଥିତି ଜାରି ରିହିଛି । ଗୋଟିଏ ପରେ ଗୋଟିଏ ଭୟଙ୍କର ଘଟଣା ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତି କେବଳ ମଣିପୁର ନୁହେଁ ସମଗ୍ର ଉତ୍ତରପୂର୍ବ ରାଜ୍ୟ ଉପରେ ପ୍ରଭାବ ପକାଇଛି ।"
ସରକାରଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଥିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି,'' 2047 ସୁଦ୍ଧା ଭାରତ ବିକଶିତ ଦେଶ ହେବ ଏହି ସ୍ବପ୍ନ ନେଇ ଆମକୁ ବଞ୍ଚିବାକୁ ହେବ । ଆମର ପ୍ରଥମ ସରକାରରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । 2019ରେ ଆମ ଆସନ 282ରୁ 303କୁ ବୃଦ୍ଧି ହୋଇଥିଲା । ଏଥର ବି ତାଙ୍କୁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଦିଅ ଆମେ 350ରୁ ଅଧିକ ଆସନ ଜିତିବୁ ।''
ଏହା ବି ପଢନ୍ତୁ...Parliament Monsoon Session: ସଞ୍ଜୟ ସିଂହଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି, ରାତି ସାରା ସାଂସଦଙ୍କ ଧାରଣା
ପ୍ରକାଶଥାଉ କି, ଜୁଲାଇ 20ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ମଣିପୁର ହିଂସାକୁ ନେଇ ଝଡ ଲାଗି ରହିଛି । କାର୍ଯ୍ୟଦିବସକୁ 5ଦିନ ହୋଇଥିଲେ ବି ଗୃହରେ କୌଣସି ଫଳପ୍ରଦ ଆଲୋଚନା ହୋଇପାରୁନାହିଁ । ମଣିପୁର ହିଂସାକୁ ନେଇ ଆଲୋଚନା ସହ ଉଭୟ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବୃତ୍ତି ରଖନ୍ତୁ ବୋଲି ଦାବି କରି ଆସୁଛନ୍ତି ବିରୋଧୀ । ଗତକାଲି (ସୋମବାର) ମଣିପୁର ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ବେଳେ ରାଜ୍ୟସଭାରୁ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ସସ୍ପେଣ୍ଡ କରାଯାଇଥିଲା । ସଞ୍ଜୟ ସିଂହଙ୍କୁ ବଳକା କାର୍ଯ୍ୟଦିବସରୁ ସସ୍ପେଣ୍ଡ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର । ଏହାପରେ ସଂସଦ ଭିତରେ ଓ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ ବିରୋଧୀ । ଗତକାଲିଠୁ ରାତି ସାରା ସଂସଦ ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣାରେ ବସିଛନ୍ତି ରାଜ୍ୟସବା ବିରୋଧୀ ଦଳ ସାଂସଦ । ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି ସହ ଗୃହରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଛନ୍ତି ଧାରଣାଗତ ସାଂସଦ ।