ନୂଆଦିଲ୍ଲୀ:କାନାଡା ପରେ ଖଲିସ୍ତାନୀ ଆତଙ୍କବାଦୀ ପ୍ରସଙ୍ଗରେ ତିକ୍ତ ହେଲା ଭାରତ-ଆମେରିକା ସମ୍ପର୍କ । ଆମେରିକାରେ ମୋଷ୍ଟ ଓ୍ବାଣ୍ଟେଡ ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ ଫର ଜଷ୍ଟିସର ମୁଖ୍ୟ ଗୁରୁପନ୍ତଓ୍ବନ୍ତ ପନ୍ନୁକୁ ହତ୍ୟା କରିବା ନେଇ ଭାରତ ଷଡଯନ୍ତ୍ର କରୁଥିବା ସମ୍ପର୍କରେ ଆମେରିକାର ଅଭିଯୋଗକୁ ଭାରତ ଖଣ୍ଡନ କରିଛି । ଏହା ଅତି ଚିନ୍ତାର ବିଷୟ ଓ ଏପରି ଅଭିଯୋଗ ଭାରତ ନୀତିର ବିରୋଧୀ ବୋଲି ବିଦେଶ ମନ୍ତ୍ରଣାଳୟ କହିଛି । ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରନ୍ଦିମ ବାଗଚି କହିଛନ୍ତି, ଆମେରିକାରେ କୌଣସି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ସେଠାରେ ଅବସ୍ଥାପିତ ଜଣେ ଭାରତୀୟ ଅଧିକାରୀଙ୍କ ସହ ଯୋଡାଯାଉଛି ।
ଆଜି ସାପ୍ତାହିକ ପ୍ରେସମିଟକୁ ସମ୍ବୋଧିତ କରି ବାଗଚି କହିଛନ୍ତି, ‘‘ଅନ୍ତର୍ଜାତୀୟ ସ୍ତରରେ ସଂଗଠିତ ଅପରାଧ, ସ୍ମଗ୍ଲିଂ ଓ ମାରଣାସ୍ତ୍ର ଯୋଗାଣ ଆଦି ପ୍ରସଙ୍ଗ ତଦନ୍ତକାରୀ ସଂସ୍ଥା ପାଇଁ ଏକ ଗମ୍ଭୀର ବିଷୟ । ଏବେ ଭାରତ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିସାରିଛି । ଏହି କମିଟି ଅନୁସାରେ ଆମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବୁ । ଆମେରିକା-ଭାରତ ସୁରକ୍ଷା ସହଯୋଗ ସମ୍ମିଳନୀରେ ଆମେରିକା କିଛି ସୁରକ୍ଷା ସମ୍ପର୍କିତ ତଥ୍ୟ ଭାରତକୁ ପ୍ରଦାନ କରିଥିଲା । ଏହାକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇଛି । ସୁରକ୍ଷାର ସମସ୍ତ ଦିଗକୁ ତଦନ୍ତ ପରିସରକୁ ଆଣିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି । ଏହି କମିଟିର ପରାମର୍ଶ ଆଧାରରେ ଆଗାମୀ ପଦକ୍ଷେପ ଜାରି ରହିବ । ଏହା ଏକ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ହୋଇଥିବା କାରଣରୁ ଏହା ଉପରେ ଅଧିକ କିଛି ସୂଚନା ପ୍ରଦାନ କରିବା ଉଚିତ ନୁହେଁ ।’’ ସେହିପରି କାନାଡାର ଅଭିଯୋଗ ପ୍ରସଙ୍ଗରେ ବାଗଚି କହିଥିଲେ, କାନାଡା ନିୟମିତ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ପୃଷ୍ଠପୋଷକତା କରୁଛି । ମିଥ୍ୟା ଅଭିଯୋଗ କରିଆସୁଛି ।
ଏହା ମଧ୍ୟ ପଢନ୍ତୁ :- ଆମେରିକାର ସାଂଘାତିକ ଅଭିଯୋଗ; ଖଲିସ୍ତାନୀ ଆତଙ୍କୀ ପନ୍ନୁକୁ ହତ୍ୟା ଷଡଯନ୍ତ୍ର କରୁଛି ଭାରତ