ଜଳ ହେଉଛି ସୃଷ୍ଟିରେ ସବୁ ପ୍ରାଣୀଙ୍କ ଜୀବନଧାରଣର ଏକ ମୌଳିକ ଆବଶ୍ୟକତା ଏବଂ ଏହାକୁ ସମସ୍ତେ ନିଜ ଜୀବନ ପାଇଁ ଏକ ମୂଲ୍ୟବାନ ସମ୍ବଳ ଭାବରେ ବିବେଚନା କରିବା ଉଚିତ । ଏହି ସଚେତନତା ଅଭାବରୁ ଏବେ ଆମ ଦେଶ ଏକ ଗୁରୁତର ଏବଂ ଅଭୂତପୂର୍ବ ଜଳ ସଂକଟର ସମ୍ମୁଖୀନ ହେବାକୁ ଯାଉଛି । ଅଢ଼େଇ ବର୍ଷ ତଳେ ନୀତି ଆୟୋଗ ସତର୍କ କରାଇ ଦେଇଥିଲେ ଯେ, ଏବେ ଦେଶର 60 ପ୍ରତିଶତ ଲୋକ ଜଳାଭାବ ଜନିତ ଗୁରୁତର ସଂକଟର ସମ୍ମୁଖୀନ ହେଉଛନ୍ତି ଏବଂ ଦେଶରେ ଉପଲବ୍ଧ ଜଳ ପରିମାଣ ସହ ତୁଳନା ନେଲେ 2030 ମସିହା ସୁଦ୍ଧା ଲୋକଙ୍କ ଆବଶ୍ୟକତା ଦୁଇ ଗୁଣ ଅଧିକ ହୋଇଥିବ ।
ଆୟୋଗ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଥିଲା ଯେ, ଦେଶର 70 ପ୍ରତିଶତ ଜଳ ସମ୍ପଦ ଦୂଷିତ ହୋଇଯାଇଛି ଏବଂ ଏହା ଫଳରେ ପ୍ରତି ବର୍ଷ ଦୁଇ ଲକ୍ଷ ଅସହାୟ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ଏହି ପରିସ୍ଥିତି ଯୋଗୁଁ ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପିର ଛଅ ପ୍ରତିଶତ ହରାଇବାକୁ ପଡୁଛି ବୋଲି ଆୟୋଗ କହିଥିଲେ । ଦ୍ବିତୀୟ ଥର ପାଇଁ କ୍ଷମତାସୀନ ହେବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବରେ ଦେଶର ସମସ୍ତ ଗ୍ରାମର ସରପଞ୍ଚମାନଙ୍କୁ 12ଟି ଭାଷାରେ ଚିଠି ଲେଖି ବୃଷ୍ଟିଜଳ ସଂରକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ । ବର୍ତ୍ତମାନ ସେ ଜଳ ସଂରକ୍ଷଣ ନିମନ୍ତେ ଉଦ୍ଦିଷ୍ଟ 100 ଦିନିଆ କାର୍ଯ୍ୟକ୍ରମରେ ଭାଗ ନେବାକୁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି ।
ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଜଳ ସଂରକ୍ଷଣ ପ୍ରସଙ୍ଗରେ ଏକ ପ୍ରଚାର ଅଭିଯାନ ଚାଲିବ ବୋଲି ନିକଟରେ ପ୍ରସାରିତ ତାଙ୍କର ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି । ଜଳ ସଂରକ୍ଷଣ ସଂପର୍କରେ ମୋଦିଙ୍କ ବାର୍ତ୍ତାରୁ 2003 ମସିହାରେ ବାଜପେୟୀଙ୍କ ଅଭିଯାନ କଥା ମନେପଡ଼େ । ସେତେବେଳେ ତେଲୁଗୁ ରାଜ୍ୟର ‘ଜଳ ଯଜ୍ଞମ୍’ ଅଭିଯାନ ଯୋଗୁଁ ଜଳ ସଂରକ୍ଷଣ ସଂପର୍କରେ ସାରା ଦେଶରେ ସଚେତନତା ସୃଷ୍ଟି ହୋଇଥିଲା ଏବଂ ବିଭିନ୍ନ ନଦୀରୁ ପଙ୍କୋଦ୍ଧାର, ଜଳସେଚନ ପାଇଁ ପୋଖରୀ ଓ ଜଳାଶୟ ସୃଷ୍ଟି କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ବାଜପେୟୀ ଲୋକଙ୍କୁ ଆହ୍ବାନ ଦେଇଥିଲେ । ସ୍ବଳ୍ପ ଖର୍ଚ୍ଚରେ ଜଳ ସଂରକ୍ଷଣ ନିମନ୍ତେ ଜ୍ଞାନକୌଶଳ ପ୍ରବର୍ତ୍ତନ ଦିଗରେ ଦେଶର ବୈଜ୍ଞାନିକ ସମାଜ ପ୍ରୟାସ କରୁ ବୋଲି ମଧ୍ୟ ସେ ଚାହିଁଥିଲେ । ହେଲେ, ପରବର୍ତ୍ତୀ ସମୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନର ଅଭାବ ଏବଂ ବହୁମୂଲ୍ୟ ଜଳ ସଂପଦ ପ୍ରତି ଅବହେଳା ପ୍ରଦର୍ଶନ କାରଣରୁ ସବୁଆଡ଼େ ଏବେ ସତର୍କ ଘଣ୍ଟି ବାଜିବାରେ ଲାଗିଛି ।
ବିଶ୍ବ ତାପନ କାରଣରୁ ପାଣିପାଗ ଭିତ୍ତିକ ଋତୁଚକ୍ରରେ ବିଷମତା ଉପୁଜିଲା । ଏହାର ଫଳସ୍ବରୂପ, ଆଜି ପର୍ଯ୍ୟନ୍ତ ଜଳାଭାବ ପୀଡ଼ିତ ଅଞ୍ଚଳ ରୂପେ ପରିଚିତ ସ୍ଥାନରେ ମଧ୍ୟ ବନ୍ୟା ହେଲା । ଏହି ଦୁଃଖ ଓ ଯାତନାର ଅନ୍ତ ସେତେବେଳେ ଘଟିବ, ଯେତେବେଳେ ଲୋକେ ପରିସ୍ଥିତି ପରିବର୍ତ୍ତନ ଦିଗରେ ସଂକଳ୍ପବଦ୍ଧ ଏବଂ ଐକ୍ୟବଦ୍ଧ ଭାବରେ ଅଗ୍ରସର ହେବେ । ବିଭିନ୍ନ ଭାରତୀୟ ଭାଷାରେ ଏଭଳି ବହୁ ଉକ୍ତି ରହିଛି, ଯେଉଁଥିରେ ଜଳସେଚନ ନିମନ୍ତେ ଉଦ୍ଦିଷ୍ଟ ପୋଖରୀ ଏବଂ ଜଳାଶୟଗୁଡ଼ିକରୁ ପଙ୍କ ବାହାର କରି ସେଗୁଡ଼ିକୁ ସଫା ରଖିବାର ତାତ୍ପର୍ଯ୍ୟ ନିହିତ । ପ୍ରାଚୀନ କାଳରୁ ହିଁ ଜଳ ସଂପଦର ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ଉଦ୍ୟମ ଅବ୍ୟାହତ ରହିଛି । ବିଶ୍ବ ଜନସଂଖ୍ୟାର 18 ପ୍ରତିଶତ ଭାରତରେ ରହନ୍ତି । ସେହିଭଳି ବିଶ୍ବର ପ୍ରାୟ 18 ପ୍ରତିଶତ ପ୍ରାଣୀଧନ ମଧ୍ୟ ଭାରତରେ ଅଛନ୍ତି । କିନ୍ତୁ ସାରା ବିଶ୍ବରେ ଥିବା ଜଳୀୟ ଉତ୍ସର ମାତ୍ର 4 ପ୍ରତିଶତ ଆମ ଦେଶରେ ଉପଲବ୍ଧ ।
ଅବହେଳା ଜନିତ ଭୂପୃଷ୍ଠ ଜଳ ଉତ୍ସ ନଷ୍ଟ ଏବଂ ଭୂତଳ ଜଳର ମାତ୍ରାଧିକ ଉପଯୋଗ ଯୋଗୁଁ ଜଳାଭାବ ସମସ୍ୟା ବର୍ଷକୁ ବର୍ଷ ଉତ୍କଟ ରୂପ ଧାରଣ କରୁଛି । ଯେହେତୁ ଦେଶର ମୋଟ ବୃଷ୍ଟିପାତର 70 ପ୍ରତିଶତ 100 ଦିନ ଭିତରେ ହୋଇଥାଏ, ଦେଶରେ ବର୍ଷା ଜଳ ସଂରକ୍ଷଣ କରିବାର ଉପାୟ ନଥାଏ । ବର୍ଷର ଅବଶିଷ୍ଟ ଦିନରେ ଜଳର ଆବଶ୍ୟକତା ପୂରଣ କରିବା ଉପାୟ ଅଭାବରୁ ଆଗାମୀ ଦିନରେ ଦେଶ ଏକ ସଂକଟପୂର୍ଣ୍ଣ ଭବିଷ୍ୟତର ସମ୍ମୁଖୀନ ହେବା ଆଶଙ୍କା ଲାଗି ରହିଛି । କେଇ ଦଶନ୍ଧି ତଳେ, ଦେଶରେ ଉପଲବ୍ଧ ଜଳ ପରିମାଣ ମୁଣ୍ଡପିଛା 5000 ଘନ ମିଟର ରହିଥିଲା । ଆଜି ଏହା 1486 ଘନ ମିଟରକୁ ଖସି ଆସିଛି । 2031 ମସିହା ସୁଦ୍ଧା ମୁଣ୍ଡ ପିଛା ଉପଲବ୍ଧ ଜଳ ପରିମାଣ ଆହୁରି ହ୍ରାସ ପାଇ 1367 ଘନ ମିଟରରେ ପହଞ୍ଚିବ । ଉପଲବ୍ଧ ଜଳର କେବଳ ପରିମାଣ ନୁହେଁ, ବରଂ ଏହାର ଗୁଣ ମଧ୍ୟ ପ୍ରଭାବିତ ହେବ ।
କେହି ଜଣେ ଆସି ପରିସ୍ଥିତିକୁ ସୁଧାରି ଦେବ ବୋଲି ରହିଥିବା ଚିନ୍ତାଧାରାକୁ ଲୋକେ ବଦଳାଇବା ଉଚିତ । ଭାରତରେ ବର୍ଷକୁ 4 ଲକ୍ଷ କୋଟି ଘନ ମିଟର ବର୍ଷାଜଳ ଉପଲବ୍ଧ ହେଉଛି । ହେଲେ ଏହି ବର୍ଷାଜଳର ମାତ୍ର ଏକ ଚତୁର୍ଥାଂଶ ଉପଯୋଗ କରାଯାଉଛି । ଯଦି ରଣକୌଶଳ ଭିତ୍ତିକ ଦୃଷ୍ଟିକୋଣରୁ ଗଠିତ ଏକ ଯୋଜନା ପ୍ରଣୀତ ହୋଇପାରେ, ତେବେ ଏହାର ସହାୟତାରେ ଭାରତ ବର୍ଷକୁ ଅନ୍ୟୂନ 2 ଲକ୍ଷ କୋଟି ଘନ ମିଟର ବର୍ଷାଜଳ ସଂରକ୍ଷଣ କରି ରଖିପାରିବ ଏବଂ ଜଳ ଉପଲବ୍ଧତା କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିବ । ଭାରତ ତୁଳନାରେ ଇସ୍ରାଏଲରେ ମାତ୍ର ଏକ ଚତୁର୍ଥାଂଶ ବର୍ଷାଜଳ ଉପଲବ୍ଧ ହୋଇଥାଏ । ତେବେ, ଜ୍ଞାନକୌଶଳ ଉପଯୋଗ ବଳରେ ଏହା ଏକ ବିପର୍ଯ୍ୟୟକୁ ସୁଯୋଗରେ ପରିବର୍ତ୍ତନ କରିପାରିଛି ଏବଂ ଏକ ସମ୍ଭାବ୍ୟ ବିପଜ୍ଜନକ ସ୍ଥିତିକୁ ଏଡ଼ାଇ ଯିବାରେ ସକ୍ଷମ ହୋଇପାରିଛି । ଭୂତଳ ଜଳ ପୁନଃ ସଂରକ୍ଷଣ କ୍ଷେତ୍ରରେ ଇସ୍ରାଏଲର ସଫଳ କାହାଣୀରୁ ଭାରତ କିଛି ଶିଖିବା କଥା । କୁହାଯାଏ, ଭଗୀରଥ ଋଷି ତପସ୍ୟା ବଳରେ ଗଙ୍ଗାକୁ ପୃଥିବୀପୃଷ୍ଠକୁ ଆଣିଥିଲେ ଏବଂ ଜଳ ସଂରକ୍ଷଣ ନିମନ୍ତେ ଦେଶର ପ୍ରତିଟି ନାଗରିକ ଠିକ୍ ସେହିଭଳି ତପସ୍ୟା କରିବା ଉଚିତ । ଦେଶରେ ପ୍ରଚୁର ଜଳ ଏବଂ ଶସ୍ୟ ଅମଳ ଲକ୍ଷ୍ୟପୂରଣ ପାଇଁ ଜଳ ସଂରକ୍ଷଣ ଏକ ଜନ ଆନ୍ଦୋଳନର ରୂପ ନେବା ଉଚିତ ।