ନୂଆଦିଲ୍ଲୀ/ ମୁମ୍ବାଇ: କୋଭିଡ ମହାମାରୀ ସମୟରେ ବିଶ୍ବ ଦରବାରରେ ବଢିଛି ଭାରତର ଗୁରୁତ୍ବ । କୋଭିଡ ଟିକା ଓ ଅନ୍ୟ ଚିକିତ୍ସା ସହାୟତା ସାମଗ୍ରୀ ସମଗ୍ର ବିଶ୍ବର ବିଭିନ୍ନ ରାଷ୍ଟ୍ରକୁ ପଠାଇ ଭାରତ ତାର ଗୁରୁତ୍ବକୁ ବିଶ୍ବ ଦରବାରରେ ଆହୁରି ବୃଦ୍ଧି କରିବାରେ ସଫଳ ହୋଇଥିବା କହିଛନ୍ତି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ (UN Secretary General Antonio Guterres)। 3 ଦିନିଆ ଭାରତ ଗସ୍ତରେ ଆସିଥିବା ଜାତିସଂଘ ମୁଖ୍ୟ ଗୁଟେରେସ ଆଜି (ବୁଧବାର) IIT ବମ୍ବେର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ବୋଧିତ କରିବା ବେଳେ କୋଭିଡ ମହାମାରୀ ସମୟରେ ବିଶ୍ବ ସାମ୍ନା କରିଥିବା ସ୍ଥିତି ଓ ଭାରତ ଗ୍ରହଣ କରିଥିବା ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିବା ସହ ଭାରତର ଭୂମିକାକୁ ପ୍ରଶଂସା କରିଥିଲେ ।
ଗୁଟେରସ କହିଥିଲେ, ‘‘କୋଭିଡ ମହାମାରୀ ସମୟରେ ଆପଣଙ୍କ ଔଷଧ ଓ ଟିକା ଯୋଗାଣ ଓ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନ ଓ ଅସ୍ଥିର ଶ୍ରୀଲଙ୍କାକୁ ମାନବୀୟ ସହାୟତା ପ୍ରେରଣ ସମଗ୍ର ବିଶ୍ବରେ ଭାରତର ପ୍ରାଧାନ୍ୟକୁ ଆହୁରି ବଢାଇଛି । ଭାରତ ବର୍ତ୍ତମାନ ଜାତିସଂଘର ଏକ ପ୍ରମୁଖ ସହଯୋଗୀ ରାଷ୍ଟ୍ର ହୋଇପାରିଛି । ସେହିପରି କେବଳ ବିଶ୍ବକୁ ଚିକିତ୍ସା ସହାୟତା ନୁହେଁ ବରଂ ଭାରତ ନିଜ ଦେଶରେ କୋଭିଡ ବିରୋଧୀ ଲଢେଇରେ ପ୍ରଭାବୀ ଭାବେ ଲଢିଥିବା ମଧ୍ୟ କହିବାକୁ ଭୁଲି ନଥିଲେ ଜାତିସଂଘ ମୁଖ୍ୟ । ଭାରତ ବିଶ୍ବର ସର୍ବବୃହତ କୋଭିଡ ଟିକାକରଣ ଡ୍ରାଇଭ ଆରମ୍ଭ କରିଥିଲା । ଏହି ମିଶନରେ ପ୍ରାୟ 2 ମିଲିୟନ ଟିକା ପ୍ରଦାନ କରାଯାଇଥିବା ଗୁଟେରସ କହିଥିଲେ ।