ହାଇଦ୍ରାବାଦ:ଚୀନ ସହ ସୀମା ବିବାଦ ପରେ ପୂର୍ବ-ଲଦାଖ କ୍ଷେତ୍ରରେ କ୍ରମାଗତ ସାମରିକ ଭିତ୍ତିଭୂମି ସୁଦୃଢ କରିବା ସହ ସର୍ଭିଲାନ୍ସ ବ୍ୟବସ୍ଥାକୁ ବଢାଇବାରେ ଲାଗିଛି ଭାରତୀୟ ସେନା । ଅନ୍ୟପଟେ ଚୀନ ସେନା ମଧ୍ୟ ପ୍ରକୃତ ନିୟନ୍ତ୍ରଣ ରେଖାର ଅପରପାର୍ଶ୍ବରେ ସାମରିକ ଭିତ୍ତିଭୂମି ବଢାଇବାରେ ଲାଗିଛି । ଡ୍ରାଗନ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଡ୍ରୋନ ମୁତୟନ ସଂଖ୍ୟା ବଢାଇବାରେ ଲାଗିଛି ସେନା । ପୂର୍ବ-ଲଦାଖ କ୍ଷେତ୍ର ଓ ସିକିମ ସୀମା ସଲଗ୍ନ ପ୍ରକୃତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ନୂଆ ଡ୍ରୋନ ୟୁନିଟ ମୁତୟନ ଆରମ୍ଭ ମଧ୍ୟ କରାଯାଇଛି ।
ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିଜର ପ୍ରସ୍ତୁତି ସହ ଚୀନ ସେନାର ଗତିବିଧି ଉପରେ କଡା ନଜର ରଖିଛି ଭାରତୀୟ ସୁରକ୍ଷା ବଳ । ଏହି କ୍ରମରେ ସର୍ଭିଲାନ୍ସ ବ୍ୟବସ୍ଥାକୁ ପ୍ରଭାବଶାଳୀ କରିବା ପାଇଁ ଆଡଭାନ୍ସ ଡ୍ରୋନ ସିଷ୍ଟମ ମୁତୟନ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ଅତ୍ୟାଧୁନିକ ଡ୍ରୋନଗୁଡିକ ଚୀନ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବେ । ଏହି ଡ୍ରୋନଗୁଡିକରେ ସାଟେଲାଇଟ କମ୍ୟୁନିକେସ ସିଷ୍ଟମ ମଧ୍ୟ ବିକଶିତ ହୋଇଛି । ଫଳରେ ତ୍ବରିତ ଭାବେ ସୂଚନା ସଂଗ୍ରହ ଓ ଏସମ୍ପର୍କିତ ତଥ୍ୟ ସୁରକ୍ଷା ବଳ ନିକଟରେ ପହଞ୍ଚିବା ପ୍ରକ୍ରିୟା ମଧ୍ୟ ସୁଗମ ହେବ ।