ନୂଆଦିଲ୍ଲୀ:ପୂର୍ବ ଲଦ୍ଦାଖରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି । ଏହାରି ଭିତରେ ଆସନ୍ତାକାଲି(ସୋମବାର) ଭାରତ ଓ ଚୀନ ମଧ୍ୟରେ ୧୯ତମ କମାଣ୍ଡର ସ୍ତରୀୟ ଆଲୋଚନା ହେବାକୁ ଯାଉଛି । ଏଥିରେ ଦୁଇ ଦେଶର ସେନା ଅଧିକାରୀ ପୂର୍ବ ଲଦ୍ଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ(LAC) ଚାଲିଥିବା ସୈନ୍ୟ ଗତିବିଧିକୁ ଶେଷ କରିବା ପ୍ରସଙ୍ଗରେ ଆଲୋଚନା କରିବେ । ଭାରତ ପଟ ଚୁସୁଲ ମୋଲ୍ଡ ସୀମାରେ ଏହି ବୈଠକ ବସିବ ବୋଲି ସୂତ୍ରରୁ ସୂଚନା ମିଳିଛି । ଏହାପୂର୍ବରୁ ଅନୁଷ୍ଠିତ ୧୮ତମ ରାଉଣ୍ଡ୍ ଆଲୋଚନାରେ ପୂର୍ବ ଲଦ୍ଦାଖରୁ ଚୀନ ସୈନ୍ୟ ପ୍ରତ୍ୟାହାର କରିବା ପ୍ରସଙ୍ଗରେ କୌଣସି ନିଷ୍କର୍ସ ବାହାରି ନଥିଲା ।
ପୂର୍ବ ରାଉଣ୍ଡ୍ ଭଳି ଆସନ୍ତାକାଲି ବୈଠକରେ ଭାରତ ପକ୍ଷରୁ ଲେଫ୍ଟନାଣ୍ଟ୍ ଜେନେରାଲ ରସିମ ବାଲି ନେତୃତ୍ବ ନେବେ । ଆଲୋଚନାରେ ଭାରତ ପୂର୍ବ ଲଦ୍ଦାଖର ଡେପ୍ସାଙ୍ଗ୍ ଓ ଡେମଚୋପ୍ ଅଞ୍ଚଳରୁ ସେନା ପ୍ରତ୍ୟାହାର ଉପରେ ଚାପ ପକାଇବ । ଏଥିରେ ବୈଦେଶିକ ମନ୍ତ୍ରଣାଳୟ ଓ ଆଇଟିବିପିର ଅଧିକାରୀମାନେ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ତେବେ ଜି-୨୦ ଶିଖର ସମ୍ମିଳନୀକୁ ଏକ ମାସରୁ କମ୍ ସମୟ ଥିବାବେଳେ ଏହା ପୂର୍ବରୁ ଏହି କମାଣ୍ଡସ୍ତରୀୟ ଆଲୋଚନା ହେବାକୁ ଯାଉଛି । ଜି୨୦ ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ସାମିଲ ହେବାର ସୂଚନା ରହିଛି ।