ଓଡିଶା

odisha

By

Published : May 15, 2023, 10:30 PM IST

ETV Bharat / bharat

ନିଜ ଦଳର ସରକାରକୁ ଚେତାବନୀ ଦେଲେ ପାଇଲଟ, ଦାବି ପୂରଣ ନହେଲେ ଆନ୍ଦୋଳନ

ଜନସଂଘର୍ଷର ପଦଯାତ୍ରାର ଶେଷ ଦିନରେ ଗେହେଲୋଟ ସରକାରଙ୍କୁ ଚେତାବନୀ ଦେଲେ ସଚିନ ପାଇଲଟ । ମାସ ଶେଷ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନ । ଅଧିକ ପଢନ୍ତୁ

ନିଜ ଦଳର ସରକାରକୁ ଚେତାବନୀ ଦେଲେ ପାଇଲଟ, ଦାବି ପୂରଣ ନହେଲେ ଆନ୍ଦୋଳନ
ନିଜ ଦଳର ସରକାରକୁ ଚେତାବନୀ ଦେଲେ ପାଇଲଟ, ଦାବି ପୂରଣ ନହେଲେ ଆନ୍ଦୋଳନ

ଜୟପୁର: କର୍ଣ୍ଣାଟକରେ କଂଗ୍ରେସ ଐତିହାସିକ ବହୁମତ ପାଇ ସରକାର ଗଠନ କରିବାକୁ ଯାଉଛି । ହେଲେ ଅନ୍ୟତମ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ ଦଳୀୟ ଅନ୍ତକନ୍ଦଳ ପ୍ରଶମିତ ହେବା ପରିବର୍ତ୍ତେ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । କେବଳ ଦୁର୍ନୀତି ପ୍ରସଙ୍ଗକୁ ଆଳ ଦଳର ଯୁବନେତା ତଥା ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କ ଦଳୀୟ ପ୍ରତିଦ୍ବନ୍ଦ୍ବୀ ସଚିନ ପାଇଲଟ ବିଦ୍ରୋହ ଡାକରା ଦେଇଛନ୍ତି । ଜନ ସଂଘର୍ଷ ପଦଯାତ୍ରା ଜାରି ରଖିଥିବା ପାଇଲଟ ଏବେ ସିଧା ସରକାରକୁ ତାଙ୍କ ଦାବି ପୂରଣ କରିବା ପାଇଁ ମହଲତ ସହ ଚେତାବନୀ ଦେଇଛନ୍ତି । ଏହି ମାସ ଶେଷ ସୁଦ୍ଧା ସରକାର ତାଙ୍କ ଦାବି ପ୍ରତି ଦୃଷ୍ଟି ନଦେଲେ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ପାଇଲଟ ।

ବର୍ତ୍ତମାନର ଗେହେଲୋଟ ସରକାରଙ୍କ ବିରୋଧରେ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ଶୂନ ଆଳରେ ମୋର୍ଚ୍ଚା ଖୋଲିଛନ୍ତି ପାଇଲଟ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ତିନି ସୂତ୍ରୀ ଦାବି ମଧ୍ୟ ରଖିଛନ୍ତି । ପୂର୍ବର ବସୁନ୍ଧରା ରାଜେ ସିନ୍ଧିଆ ସରକାର ଅମଳରେ ହୋଇଥିବା ଦୁର୍ନୀତି ଅଭିଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ, ରାଜସ୍ଥାନ ଲୋକସେବା ଆୟୋଗର ପୁନଃନିର୍ମାଣ ଏବଂ ପେପର ଲିକ୍ ଘଟଣାରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ସହ ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ପାଇଲଟ । ଏହି 3 ପ୍ରମୁଖ ଦାବି ସହ ଏବେ ଜନ ସଂଘର୍ଷ ପଦଯାତ୍ରା ଆରମ୍ଭ କରିଛନ୍ତି । ସରକାର ଯଦି ତାଙ୍କ ଦାବି ପୂରଣ ପ୍ରତି ଆନ୍ତରିକତା ପ୍ରଦର୍ଶନ ନକରନ୍ତି କିମ୍ବା କୌଣସି ଦାବି ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ, ସେ ବ୍ୟାପକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।


ଆଜି ଜନ ସଂଘର୍ଷ ଯାତ୍ରାର ଶେଷ ଦିନରେ ପାଇଲଟ ଜନତାଙ୍କୁ ସମ୍ବୋଧିତ କରିଥିଲେ । କହିଥିଲେ, ‘‘ଏହି ପଦଯାତ୍ରାର ଏହା ଶେଷ ଦିନ । ହେଲେ ଆମ ଦାବି ପୂରଣ ନହେବା ଯାଏ, ଆମେ ନୀରବ ରହିବା ନାହିଁ । ମାସ ଶେଷ ମଧ୍ୟରେ ସରକାର ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆନ୍ଦୋଳନ କରାଯିବ । ଏହି ପ୍ରସ୍ତାବିତ ଆନ୍ଦୋଳନ ଗାନ୍ଧୀବାଦକୁ ଅନୁସରଣ କରି କରାଯିବ । ଏହି ଆନ୍ଦୋଳନରେ ଆମେ ପୁରା ରାଜ୍ୟକୁ ଯୋଡିବାକୁ ପ୍ରାୟାସ କରିବୁ । ଆମେ ଲୋକଙ୍କ ସମସ୍ୟା ଉତ୍ଥାପନ କରିବା ସହ ତାର ସମାଧାନ କରିବା ଦିଗରେ ଆନ୍ଦୋଳନ ଆରମ୍ଭ କରିବୁ ଓ ଆମ ଆନ୍ଦୋଳନ ସହ ସମଗ୍ର ରାଜ୍ୟବାସୀଙ୍କୁ ଯୋଡିବାକୁ ପ୍ରୟାସ କରିବୁ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details