ହାଇଦ୍ରାବାଦ: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ବାୟୁସେନା ଫ୍ଲାଏପାଷ୍ଟରେ ଅଂଶଗ୍ରହଣ କରିବେ ପ୍ରାୟ 50ରୁ ଅଧିକ ଲଢୁଆ ବିମାନ ଓ ହେଲିକପ୍ଟର । ଏହି କାର୍ଯ୍ୟକ୍ରମରେ ଅଂଶହଗ୍ରହଣ କରିବାକୁ ଥିବା ଲଢୁଆ ବିମାନ ମଧ୍ୟରେ ରାଫେଲ, ସୁଖୋଇ-30, ମିଗ-29, ଜାଗୁଆର ପରି ଲଢୁଆ ବିମାନ ରହିଛନ୍ତି । ସେହିପରି ବିମାନ ସହ ଏମ.ଆଇ-17 ସମେତ ଅନ୍ୟ କିଛି କମ୍ବାଟ ହେଲିକପ୍ଟର ମଧ୍ୟ ଫ୍ଲାଏପାଷ୍ଟରେ ଅଂଶଗ୍ରହଣ କରିବେ । ରାଜଧାନୀର କର୍ତ୍ତବ୍ୟପଥ ଉପରେ ଏହି ବିମାନଗୁଡିକ ଭାରତୀୟ ବାୟୁଶକ୍ତିର ସାମର୍ଥ୍ୟ ପ୍ରଦର୍ଶନ କରିବା ନେଇ ବାୟୁସେନା ପକ୍ଷରୁ କୁହାଯାଇଛି ।
ବାୟୁସେନା ଜନସମ୍ପର୍କ ଅଧିକାରୀ କହିଛନ୍ତି, ଏହି ଜାତୀୟ ଦିବସରେ ଭାରତୀୟ ବାୟୁସେନା ତାର ଶକ୍ତି ପ୍ରଦର୍ଶନ କରିବ । ଲଢୁଆ ବିମାନ ସହ ଲାଇଟ କମ୍ବାଟ ହେଲିକପ୍ଟର ଆପାଚି, ଏଏଲଏଚ ମାର୍କ-IV, ଏଲସିଏଚ ପରି ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର ଏଥର ଫ୍ଲାଏପାଷ୍ଟରେ ନିଜର ପ୍ରଥମ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ରାଫେଲ ବିମାନ ଭର୍ଟିକାଲ ସେପରେ ଉଡାଣ କୌଶଳ ପ୍ରଦର୍ଶନ କରିବା ସହ ଅନ୍ୟ ବୃହତ ବିମାନ ମଧ୍ୟରେ ସି-17 ଗ୍ଲୋବମାଷ୍ଟର, C130J ପରି ବୃହତ ପରିବହନ ବିମାନ ମଧ୍ୟ ସାମିଲ ହେବେ । ଅନ୍ୟପଟେ କର୍ତ୍ତବ୍ୟପଥରେ ଭାରତୀୟ ବାୟୁସେନାର ପ୍ରଜ୍ଞାପନ ମେଢ ମଧ୍ୟ ସାମିଲ ହେବ । ଚଳିତଥର ବାୟୁସେନା ତାର ପ୍ରଜ୍ଞାପନ ମେଢର ଥମ୍ ରହିଛି ‘‘ପାଓ୍ବର ବିଅଣ୍ଡ ବାଉଣ୍ଡ୍ରି’’। ବର୍ତ୍ତମାନ ସୟର ସାମରିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ତଥା ସମନ୍ବିତ ଯୁଦ୍ଧ କୌଶଳ, ଯୋଗଯୋଗ ସରଞ୍ଜାମ ଓ ପ୍ରଯୁକ୍ତିବିଦ୍ୟାକୁ ଉକ୍ତ ପ୍ରଜ୍ଞାପନ ମେଢରେ ପ୍ରଦର୍ଶିତ କରାଯିବ । ଏହି ମେଢରେ ବାୟୁସେନାର ସାଟେଲାଇଟ (GSAT-7A) ଓ ସର୍ଭିଲାନ୍ସ ପ୍ଲେନ (ନେତ୍ର) ମଧ୍ୟ ସ୍ଥାନ ପାଇବ ।